Odiapua.com

ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବିରେ ତହସିଲ୍‌ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ: ବନ୍ୟା କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦାବି ନେଇ ବିଜେପି ପକ୍ଷରୁ ମାହାଙ୍ଗା ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମାହାଙ୍ଗା ବ୍ଲକ୍ କୁଆଁପାଳସ୍ଥିତ ତାରିଣୀ ମନ୍ଦିରରୁ ବିଜେପି ନେତା ଶାରଦା ପ୍ରଧାନଙ୍କ ନେତୃତ୍ବରେ କାର୍ଯ୍ୟକର୍ତ୍ତାମାନେ ପଦଯାତ୍ରାରେ ବାହାରି ତହସିଲ୍ ସମ୍ମୁଖରେ ପହଞ୍ଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମାହାଙ୍ଗା ତହସିଲ ଅନ୍ତର୍ଗତ ସମସ୍ତ ୩୭ ଗ୍ରାମ ପଞ୍ଚାୟତ ବନ୍ୟା ପ୍ରପିଡ଼ିତ ଅଞ୍ଚଳ ଭାବେ ପରିଚିତ। ବିରୂପା , ଗେଙ୍ଗୁଟି , ଗୋବରୀ , ମଇଯୋରା ଓ ଶୁକ ସମେତ ବହୁ ପାଟନଳୀରେ ବର୍ଷାଜଳ ନିଷ୍କାସନ ହେବା ସମ୍ଭବ ହେଉନାହିଁ। ଗୋବରୀ ପ୍ରତ୍ୟେକ୍ଷ ଭାବେ ସମୁଦ୍ରରେ ମିଶିଥିଲେ ମଧ୍ୟ ଏହାକୁ ନଦୀର ମାନ୍ୟତା ଦିଆଯାଇ ନଥିବାରୁ ଏହା ମାହାଙ୍ଗାର ଦୁଃଖ ପାଲଟିଛି। ବର୍ଷାଜଳ ନିଷ୍କାସନ ପାଇଁ ବିଭିନ୍ନ ନଦୀବନ୍ଧ ମରାମତି ଓ ପାଟନାଳୀ ଖନନ ପାଇଁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏତେ ଟଙ୍କାର ରାଜସ୍ୱ ଖର୍ଚ୍ଚ ହେବା ପରେ ମଧ୍ୟ ପ୍ରତିବର୍ଷ ବର୍ଷାଜଳ ନିଷ୍କାଷନ ଜନିତ ଅସୁବିଧା ମାହାଙ୍ଗାର ଜନସାଧାରଣ ସମ୍ମୁଖୀନ ହେଉଛନ୍ତି। ମାହାଙ୍ଗା ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ନକରି ପ୍ରତିବର୍ଷ ମରାମତି ନାମରେ କୋଟି କୋଟି ଟଙ୍କା ହରିଲୁଟ୍ ହେଉଛି। ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ ଏକର ପିଛା ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା, ଲଗାଣ ବର୍ଷାରେ ଭାଙ୍ଗି ଯାଇଥିବା ସମସ୍ତ କଚାଘରକୁ ପକ୍କାଘର ନିର୍ମାଣ ନିମନ୍ତେ ସହାୟତା ପ୍ରଦାନ ଏବଂ ଗୋବରୀକୁ ନଦୀର ମାନ୍ୟତା ପ୍ରଦାନ କରିବା ଦାବିରେ ଏହି ଗଣଧାରଣା ଅନୁଷ୍ଠିତ ହୋଇଥିଲା।

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମାହଙ୍ଗା ଅଞ୍ଚଳର ଯୁବନେତା ସାରଦା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୂବନମୋହନ ଜେନା, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ଦୁର୍ଯ୍ୟୋଧନ ସାହୁ, ଜିଲ୍ଲା ଉପସଭାପତି ମନୋରଞ୍ଜନ ନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଯାଜ୍ଞସେନୀ ଜେନା, ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ପବିତ୍ର ପରିଡ଼ା, ଜିଲ୍ଲା କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଗୌତମ ରାୟ ଚୌଧୁରୀ ପ୍ରମୂଖ ଯୋଗଦେଇଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ସାରଦା ପ୍ରଧାନ ଚେତାବନୀ ଦେଇଛନ୍ତି।
-@Dr