Odiapua.com

ସ୍ପଷ୍ଟ କରନ୍ତୁ ଅପରାଜିତା; ସ୍ପଷ୍ଟ କରୁ ବିଜେପି ..

ଭୁବନେଶ୍ୱର: ବିବାଦ ଉପୁଜିବା ପରେ ପୁରୀ ଜଗନ୍ନାଥ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ହୋଇ ସାରିଥିବା ବେଳେ ଲିଙ୍ଗରାଜ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ଏ’ ପର୍ଯ୍ୟନ୍ତ ପ୍ରତ୍ୟାହାର ହୋଇ ନାହିଁ। ଏହାଦ୍ୱାରା ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ ବାଧାପ୍ରାପ୍ତ ହେବା ଆଶଙ୍କା ରହିଛି। ଏନଏମଏର ପ୍ରସ୍ତାବିତ ବାଇ- ଲ’ ପ୍ରତ୍ୟାହାର ନେଇ ଦାବି ଜୋର୍ ଧରିଥିବା ବେଳେ ଓଡ଼ିଶାର ପ୍ରମୁଖ ଐତିହ୍ୟ ସ୍ଥଳର ଅସ୍ତିତ୍ୱକୁ ଧ୍ୱଂସ କରିବାକୁ କେନ୍ଦ୍ର ସରକାର ସୁଚିନ୍ତିତ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ବିଜେଡି ପକ୍ଷରୁ କୁହାଯାଉଛି। ସେହିପରି ଲିଙ୍ଗରାଜ ମନ୍ଦିର ସଂପର୍କିତ ଏନଏମଏର ପ୍ରସ୍ତାବିତ ବାଇ- ଲ’ ଉପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠିଛି। ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ଅପରାଜିତାଙ୍କ ନିରବତା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଟ୍ୱିଟରରେ ‘ଅପରାଜିତା ନିଖୋଜ’ ହ୍ୟାସଟ୍ୟାଗ୍ ଟ୍ରେଣ୍ଡ୍ ହେଉଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନ କାନ୍ଥବାଡ଼ି, କ୍ୟାବିନ ଆଦିରେ ‘ଅପରାଜିତା ନିଖୋଜ’ ନେଇ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି। ଏହା ଉପରେ ପ୍ରତିକ୍ରିୟା ରଖି ଭୁବନେଶ୍ୱରବାସୀ ମୋ’ ଅନୁପସ୍ଥିତି ଅନୁଭବ କରୁଥିବା ଜାଣି ଖୁସି ହେଲି, ସଂସଦର ବଜେଟ ଅଧିବେଶନ ଚାଲିଥିବାରୁ ଦିଲ୍ଲୀରେ ଅଛି। ଫେବ୍ରୁଆରୀ ୧୫ରେ ଭୁବନେଶ୍ୱର ଫେରିବି ଏବଂ ଭୁବନେଶ୍ୱରରେ ପହଞ୍ଚିବା ପରେ ଜାତୀୟ ଐତିହ୍ୟ ପ୍ରାଧିକରଣ- ଏନ୍ଏମ୍ଏ ଉପନିୟମ ଚିଠା ପ୍ରସ୍ତାବ ସଂପର୍କରେ ଅନୁଧ୍ୟାନ କରିବି। ୧୫ କିମ୍ବା ୧୬ ତାରିଖରେ ଏକାମ୍ର କ୍ଷେତ୍ର ଯାଇ ଘଟଣା ବୁଝିବି, ଅନୁସନ୍ଧାନ କରି ତା’ପରେ ମନ୍ତବ୍ୟ ଦେବି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ତେବେ, ଏଠାରେ କିଛି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏନଏମଏର ପ୍ରସ୍ତାବିତ ବାଇ- ଲ’ ଉପରେ ବିବାଦ ଉପୁଜିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। ଶ୍ରୀମନ୍ଦିର ପାଇଁ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ପ୍ରସ୍ତାବିତ ଉପନିୟମକୁ ସ୍ଥଗିତ ରଖିବା ନେଇ ବିଜେଡିର ଏକ ସଂସଦୀୟ ଟିମ୍ ଯାଇ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କୁ ଭେଟି ଆପତ୍ତି ଜଣାଇଲେ। ଏହାପରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲଙ୍କ ସହିତ ଆଲୋଚନା କରିବାକୁ ବିଜେପି ପକ୍ଷରୁ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ସାଂସଦ ନିତେଶ ଗଙ୍ଗଦେଓ, ସଙ୍ଗୀତା ସିଂହଦେଓ, ଅଶ୍ୱିନୀ ବୈଷ୍ଣବ, ରଘୁନାଥ ମହାପାତ୍ର, ସୋନାଲ ମାନସିଂହ ଆଦି ଯାଇଥିଲେ। ତେବେ ସେଠି ଅପରାଜିତା ଷଡ଼ଙ୍ଗୀ କାହିଁକି ନଥିଲେ? ତାଙ୍କୁ ଡକାଯାଇ ନଥିଲା, ନାଁ ତାଙ୍କୁ ଡକାଯିବା ସତ୍ତ୍ୱେ ସେ ଯାଇନଥିଲେ ଏହା ସ୍ପଷ୍ଟ ହେବା ଉଚିତ୍। ସେହିପରି ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ)ର ପ୍ରସ୍ତାବିତ ଉପନିୟମ କେବଳ ତ’ ଶ୍ରୀମନ୍ଦିର ପାଇଁ ନଥିଲା, ଲିଙ୍ଗରାଜ ମନ୍ଦିର ପାଇଁ ବି ଥିଲା। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା ପାଇଁ ଯାଇଥିବା ଦୁଇ ମନ୍ତ୍ରୀ ଏବଂ ସାଂସଦ ମାନେ କେବଳ ଜଗନ୍ନାଥ ମନ୍ଦିର କଥା ଆଲୋଚନା କରି ଲିଙ୍ଗରାଜ ମନ୍ଦିର କଥା ଛାଡ଼ିଦେଲେ କାହିଁକି ଏବଂ ଏହାପରେ ପୁଣି ଲେଖାଶ୍ରୀ ଆଉ କିଛି ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡକାଇ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଲିଙ୍ଗରାଜ ମନ୍ଦିର କଥା ସମାଧାନ ନକରି କେବଳ ଜଗନ୍ନାଥଙ୍କ ମନ୍ଦିର କଥାରେ ଧନ୍ୟବାଦ ଜଣାଇ ମିଠା ଖୁଆଖୁଇ ହୋଇ ଖୁସି ହେବାର ମାନେ କ’ଣ, ଏହା ମଧ୍ୟ ସ୍ପଷ୍ଟ ହେବା ଉଚିତ୍।
/- ଦେବଦତ୍ତ ରଥ