– ଆଗାମୀ ଦିନରେ ଜନସାଧାରଣଙ୍କ ଯେକୌଣସି ଅତିରିକ୍ତ ଖାଦ୍ୟ ଆବଶ୍ୟକତା ପୂରଣ ପାଇଁ ଭାରତୀୟ ଖାଦ୍ୟ ନିଗମ ପ୍ରସ୍ତୁତ
– କେନ୍ଦ୍ରୀୟ ଭଣ୍ଡାର ପାଇଁ ଇତି ମଧ୍ୟରେ ୩୮୨ ଲକ୍ଷ ମେଟ୍ରିକ ଟନ ଗହମ ଏବଂ ୧୧୯ ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗୃହୀତ ହୋଇସାରିଛି
– ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ ଦେଶର ୪୨ ଲକ୍ଷ କୃଷକଙ୍କୁ ୭୩, ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି
ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଚାଷୀମାନଙ୍କଠାରୁ ଗହମ ସଂଗ୍ରହ କରିବାରେ ସରକାରୀ ସଂସ୍ଥାଗୁଡିକ ଚଳିତ ଜୁନ ୧୬ ତାରିଖ ସୁଦ୍ଧା ସର୍ବକାଳୀନ ରେକର୍ଡ ହାସଲ କରିଛନ୍ତି। ଏପର୍ଯ୍ୟନ୍ତ କେନ୍ଦ୍ରୀୟ ଭଣ୍ଡାର ପାଇଁ ମୋଟ ୩୮୨ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ସଂଗୃହୀତ ହୋଇଛି। ୨୦୧୨-୧୩ରେ ଏ କ୍ଷେତ୍ରରେ ଯେଉଁ ରେକର୍ଡ ପ୍ରତିଷ୍ଠା କରାଯାଇଥିଲା ଏ ବର୍ଷ ତା’ଠାରୁ ଅଧିକ ଖାଦ୍ୟଶସ୍ୟ ଏହି ସମୟରେ ସଂଗୃହୀତ ହୋଇଛି। ୨୦୧୨-୧୩ରେ ଏହି ସଂଗ୍ରହ ପରିମାଣ ଥିଲା ୩୮୧.୪୮ ଲକ୍ଷ ମେଟ୍ରିକ ଟନ। କରେନା ମହାମାରୀ ସଂକ୍ରମଣ ଭଳି ଏକ ସଂକଟଜନକ ସମୟରେ ସାରା ଦେଶରେ ଲକଡାଉନ ଜାରି ସତ୍ତ୍ୱେ ଖାଦ୍ୟଶସ୍ୟ ସଂଗ୍ରହରେ ଏହି ସଫଳତା ମିଳିଛି।
ପ୍ରଥମ ପର୍ଯ୍ୟାୟ ଲକଡାଉନ ଘୋଷଣା ହେବା ଫଳରେ ଧାନ ଓ ଗହମ ସଂଗ୍ରହ ୧୫ ଦିନ ବିଳମ୍ବିତ ହୋଇଥିଲା। ତେଣୁ ଏହି କାମ ଏପ୍ରିଲ ୧୫ଠାରୁ ଆରମ୍ଭ ହୋଇଥିଲା। ବିଶେଷ କରି ଅଧିକ ଗହମ ଉତ୍ପାଦନ କରୁଥିବା ରାଜ୍ୟଗୁଡିକରୁ ଏପ୍ରିଲ ପହିଲାରୁ ଗହମ ସଂଗ୍ରହ ହୋଇଥାଏ। ଏଥର ତାହା ବିଳମ୍ବିତ ହୋଇଥିବାରୁ ସଂପୃକ୍ତ ରାଜ୍ୟ ସରକାର ତଥା ଭାରତୀୟ ଖାଦ୍ୟ ନିଗମ ଭଳି ସବୁ ସରକାରୀ ସଂସ୍ଥା ବିଶେଷ ତତ୍ପରତା ଦେଖାଇ ସଂକ୍ରମଣ କାଳରେ ନିରାପଦ ଉପାୟରେ ଏହି ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ଏଥର ଚାଷୀଙ୍କଠାରୁ ଗହମ ଓ ଧାନ ସଂଗ୍ରହ ନିମନ୍ତେ ୨୧, ୮୬୯ଟି କେନ୍ଦ୍ର ଖୋଲାଯାଇଥିଲା। ଗତବର୍ଷଠାରୁ ଏହି ସଂଖ୍ୟା ୭୦୩୧ ଅଧିକ। ପାରମ୍ପରିକ ମଣ୍ଡି ସହିତ ସବୁ ସମ୍ଭାବ୍ୟ ସ୍ଥାନରେ ସଂଗ୍ରହ କେନ୍ଦ୍ର ଖୋଲାଯାଇ ଚାଷୀଙ୍କଠାରୁ ସୁବିଧାରେ ଖାଦ୍ୟଶସ୍ୟ ସଂଗୃହୀତ ହୋଇଛି। ଏହା ଫଳରେ ଚାଷୀମାନେ ମଣ୍ଡିରେ ଭିଡ ନକରି ସୁବିଧାରେ ନିଜ ନିଜର ଧାନ, ଗହମ ବିକି ପାରିଛନ୍ତି ଏବଂ ସାମାଜିକ ଦୂରତା ରକ୍ଷା କରିପାରିଛନ୍ତି। ପ୍ରତିଦିନ ମଣ୍ଡିକୁ କେତେ ଖାଦ୍ୟଶସ୍ୟ ଆସୁଥିଲା ଟେକ୍ନୋଲଜି ପ୍ରୟୋଗ କରି ତାହାର ହିସାବ ରଖିବା ସହ ଚାଷୀମାନଙ୍କୁ ଟୋକନ ଦିଆଯାଇ ବିକ୍ରିବଟାର ସୁବନ୍ଦୋବସ୍ତ କରାଯାଇଥିଲା। ଫଳରେ ଚାଷୀ ଅଯଥାରେ ଆସି ମଣ୍ଡିରେ ଭିଡ ଜମାଉନଥିଲେ। ମଣ୍ଡିଗୁଡିକୁ ନିୟମିତଭାବେ ସାନିଟାଇଜ କରାଯାଉଥିଲା ଏବଂ କେଉଁ ଜାଗାରେ ଚାଷୀ ନିଜର ଉତ୍ପାଦ ରଖିବ ତାହା ମଧ୍ୟ ନିର୍ଦ୍ଧାରିତ ହେଉଥିଲା। ଫଳରେ ମଣ୍ଡିଗୁଡିକ ଲୋକ ଭିଡ଼ ଯୋଗୁଁ କରୋନା ଭୂତାଣୁ ସଂକ୍ରମଣ କେନ୍ଦ୍ର ପାଲଟିବାର ଅବକାଶ ନଥିଲା। ସମଗ୍ର ଦେଶରେ କୌଣସି ମଣ୍ଡିରେ ଏଥର କରୋନା ସଂକ୍ରମଣ ଘଟଣା ଘଟିନାହିଁ।
ଚଳିତ ବର୍ଷ ମଧ୍ୟପ୍ରଦେଶ କେନ୍ଦ୍ରୀୟ ଭଣ୍ଡାରକୁ ସର୍ବାଧିକ ୧୨୯ ଲକ୍ଷ ମେଟ୍ରିକ ଟନ ଗହମ ଯୋଗାଇଛି ଏବଂ ପଞ୍ଜାବକୁ ପଛରେ ପକାଇ ଦେଇଛି। ଏଥର ପଞ୍ଜାବରୁ ୧୨୭ ଲକ୍ଷ ମେଟ୍ରିକ ଟନ ଗହମ ସଂଗୃହୀତ ହୋଇଛି। ସେହିଭଳି ହରିୟାନା, ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ମଧ୍ୟ ଗହମ ସଂଗ୍ରହ ଉଲ୍ଲେଖନୀୟ ରହିଛି। ସମଗ୍ର ଦେଶର ୪୨ ଲକ୍ଷ ଚାଷୀ ଏହି ସଂଗ୍ରହ ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ଗହମ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଆକାରରେ ୭୩, ୫୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ରୀୟ ଭଣ୍ଡାରକୁ ବିପୁଳ ପରିମାଣର ଖାଦ୍ୟଶସ୍ୟ ଆସିଥିବାରୁ ଏବେ ଭାରତୀୟ ଖାଦ୍ୟ ନିଗମ ଆଗାମୀ ଦିନରେ ଦେଶର ଲୋକଙ୍କ ଅତିରିକ୍ତ ଖାଦ୍ୟ ଆବଶ୍ୟକତା ପୂରଣ କରିବାକୁ ପ୍ରସ୍ତୁତ।
ଏହି ସମୟ ମଧ୍ୟରେ ୧୧୯ ଲକ୍ଷ ମେଟ୍ରିକ ଟନ ଧାନ ସରକାରୀ ସଂସ୍ଥାଗୁଡିକ ଦ୍ୱାରା ଚାଷୀଙ୍କଠାରୁ ସଂଗୃହୀତ ହୋଇଥିଲା। ଏଥିପାଇଁ ୧୩, ୬୦୬ ସଂଗ୍ରହ କେନ୍ଦ୍ର ଖୋଲାଯାଇଥିଲା। ସର୍ବାଧିକ ଧାନ ୬୪ ଲକ୍ଷ ମେଟ୍ରିକ ଟନ ତେଲଙ୍ଗାନାରୁ ସଂଗୃହୀତ ହୋଇଛି। ଏହା ପଛକୁ ୩୧ ଲକ୍ଷ ମେଟ୍ରିକ ଟନ ଧାନ କେନ୍ଦ୍ରୀୟ ଭଣ୍ଡାରକୁ ଯୋଗାଇ ଆନ୍ଧ୍ର ଦ୍ୱିତୀୟ ସ୍ଥାନରେ ରହିଛି। ନିମ୍ନରେ ପ୍ରଦତ୍ତ ଟେବୁଲରେ କେଉଁ ରାଜ୍ୟରୁ କେତେ ଗହମ ଓ ଧାନ ସଂଗୃହୀତ ହୋଇଛି ତାହାର ତଥ୍ୟ ପ୍ରଦାନ କରାଯାଇଛି।
ଗହମ
କ୍ରମିକ ସଂଖ୍ୟା ରାଜ୍ୟ ଗହମ ସଂଗ୍ରହ ପରିମାଣ (ଲକ୍ଷ ମେଟ୍ରିକ ଟନରେ)
୧ ମଧ୍ୟପ୍ରଦେଶ ୧୨୯
୨ ପଞ୍ଜାବ ୧୨୭
୩ ହରିୟାଣା ୭୪
୪ ଉତ୍ତରପ୍ରଦେଶ ୩୨
୫ ରାଜସ୍ଥାନ ୧୯
୬ ଅନ୍ୟ ୦୧
ମୋଟ ୩୮୨
ଧାନ
କ୍ରମିକ ସଂଖ୍ୟା ରାଜ୍ୟ ଗହମ ସଂଗ୍ରହ ପରିମାଣ (ଲକ୍ଷ ମେଟ୍ରିକ ଟନରେ)
୧ ତେଲଙ୍ଗାନା ୬୪
୨ ଆନ୍ଧ୍ରପ୍ରଦେଶ ୩୧
୩ ଓଡିଶା ୧୪
୪ ତାମିଲନାଡୁ ୦୪
୫ କେରଳ ୦୪
୬ ଅନ୍ୟ ୦୨
ମୋଟ ୧୧୯