ନୂଆ ଦିଲ୍ଲୀ ୧୨-୧୧ (ଓଡ଼ିଆ ପୁଅ) ଗତମାସ ୨୪ ତାରିଖ ପରଠାରୁ ସରକାର ଗଠନକୁ ନେଇ ଅସ୍ଥିରତା ଲାଗି ରହିଥିଲା। କୌଣସି ଦଳ ସମୟାନୁସାରେ ସରକାର ଗଠନ କରି ନପାରିବାରୁ ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କରିଥିଲେ। ଏହାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ମଞ୍ଜୁରୀ ମିଳିଛି। କିନ୍ତୁ ଅପର ପକ୍ଷରେ ଶିବସେନା ରାଜ୍ୟପାଳଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଛି। ଶିବସେନାର କହିଛିଯେ, ସରକାର ଗଠନ ପାଇଁ ବିଜେପିକୁ ୪୮ ଘଣ୍ଟା ମିଳିଥିବା ବେଳେ ଆମକୁ କାହିଁକି ୨୪ ଘଣ୍ଟା ଦିଆଗଲା ଏବଂ ସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ସୂଚନାଯୋଗ୍ୟଯେ, ସରକାର ଗଠନ ପାଇଁ ରାଜ୍ୟପାଳ ପ୍ରଥମେ ବିଜେପିକୁ ଡାକିଥିଲେ। ହେଲେ ବିଜେପି ସରକାର ଗଠନ କରିପାରିନଥିଲା ଏହା ପରେ ରାଜ୍ୟପାଳ ଶିବସେନାକୁ ଆମନ୍ତ୍ରିତ କରିଥିଲେ। ଶିବସେନା ପାଖରେ ୫୬ ବିଧାୟକ ରହିଥିବାରୁ ସେ ଏନ୍ସିପି ଓ କଂଗ୍ରେସର ସହଯୋଗ ଲୋଡ଼ିଥିଲା ଶିବସେନା। କିନ୍ତୁ କଂଗ୍ରେସରୁ କୌଣସି ସ୍ପଷ୍ଟ ଉତ୍ତର ନଆସିବାରୁ ଶେଷରେ ଏହି ପ୍ରୟାସ ମଧ୍ୟ ବିଫଳ ହୋଇଥିଲା। ଏହାପରେ ସରକାର ଗଠନ ପାଇଁ ଶିବସେନା ୩ ଦିନ ସମୟ ମାଗିଥିଲା। ରାଜ୍ୟପାଳ ଏହାକୁ ଗ୍ରହଣ କରି ନଥିଲେ ଏବଂ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିଥିଲେ। ଆଜି କ୍ୟାବିନେଟରେ ଏହି ସମ୍ପର୍କରେ ନିଷ୍ପତ୍ତି ନିଆଯିବା ପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।