Odiapua.com

ପ୍ରଣାମ ଗୁରୁଜୀ

ଗୁରୁପୂର୍ଣ୍ଣିମା ଅବସରରେ …
– ଶ୍ରୀ ଅଖଣ୍ଡ

ଗୁରୁଙ୍କ ସଂଗତି ସହଜରେ ମିଳେନାହିଁ। ଅର୍ଥାତ୍ ବ୍ୟସ୍ତବହୁଳ ଜୀବନରେ ଭଗବାନଙ୍କ ଉପାସକ ଓ ମାର୍ଗଦର୍ଶକଙ୍କ ସଂଗତିରେ ଆସିବା କଷ୍ଟ ହୋଇପଡେ। ସମୟ ମିଳେନି। ସଂସାରିକ ଜଂଜାଳ ଆମକୁ ଏତେ କାମ ଭିତରେ ବାନ୍ଧିରଖେ ଯେ ଆମେ ଗୁରୁଙ୍କ ସଂଗତି କଥା ଭୁଲିଯାଇଥାଉ। ଭଗବାନଙ୍କୁ ମଧ୍ୟ ଉପାସନା କରିନଥାଉ ବା ତାର ଯେ ଆବଶ୍ୟକତା ରହିଛି, ସେ ନେଇ ଅନେକଙ୍କ ମନରେ ଦ୍ୱନ୍ଦ୍ୱ ଥାଏ। କିନ୍ତୁ ଏହା ତ ନିରାଟ ସତ କଥା ଯେ ଭଗବାନ ଉପାସନା କରୁଥିବା ଓ ସମାଜକୁ ସତମାର୍ଗରେ ନେଉଥିବା ଗୁରୁ ମହାରାଜଙ୍କ ସଂଗତି ଭାଗ୍ୟରେ ଥିଲେ ମିଳେ। ଆଉ ଯେତେବେଳେ ମିଳେ, ଆମେ ତାକୁ ଜାଣିଶୁଣି ନଷ୍ଟ କରିଦେଉ। ପ୍ରକୃତ ଉଦ୍ଦେଶ୍ୟ ପାଇଁ ଲଗାଇ ପାରୁନା। କାରଣ ଆମକୁ ଜଣାନଥାଏ ସାଧୁସନ୍ଥ ଓ ଗୁରୁବରମାନଙ୍କୁ କଣ ଭଲ ଲାଗେ। ଯଦିଓ ଏହା ଅତ୍ୟନ୍ତ ସାଧାରଣ ଓ ସରଳ। କିନ୍ତୁ ଆମକୁ ତାହା ମନେପଡେନାହିଁ, ଯେତେବେଳେ ଆମେ ଗୁରୁଙ୍କ ପାଖରେ ଥାଉ !

ପ୍ରକୃତରେ ଆପଣ ସାଧୁସନ୍ଥ ଓ ଧର୍ମଗୁରୁଙ୍କ ପାଖକୁ ଗଲେ କଣ ମାଗନ୍ତି ? ଏହା ପ୍ରାୟ ସମସ୍ତଙ୍କୁ ଜଣା। କିଏ ବେକାର ଯୁବକଟିଏ ଚାକିରି କେବେ ହେବ ପଚାରେ ତ ପିତାମାତା ତାଙ୍କ ପୁଅ କିମ୍ବା ଝିଅଙ୍କ ବାହାଘର କେବେ ହେବ ଜାଣିବାକୁ ଇଛାକରନ୍ତି। ଆଉ କାହାର ରୋଗ ହୋଇଛି, କଣ କଲେ ଭଲ ହେବ ବୋଲି ପଚାରିବସନ୍ତି। ଏମିତି ଅନେକ କଥା ପଚାରାଯାଏ। କିନ୍ତୁ ଏଥିରେ କଣ ଗୁରୁମାନେ ଖୁସୀ ହୁଅନ୍ତି ? ସେ କଥା ଆମେ କେବେ ଭାବିନାହେଁ। ମା ପାଖରେ ଛୋଟ ପୁଅ କିମ୍ବା ଝିଅଟେ ଥିଲେ, ମାକୁ କଣ ପଚାରିଲେ ସେ ଖୁସୀ ହେବ ? ଆପଣ ଯଦି ତାଙ୍କୁ ସେମାନଙ୍କର ପ୍ରିୟ ପିଲାପିଲିଙ୍କ କଥା ପଚାରି ଦେବେ, ସେ ପୁରା ଖୁସୀ ହୋଇଯିବେ। ଏଭଳିକି ତାଙ୍କୁ ଯେତେ ପ୍ରଂଶସା କଲେ ବି ଯେତିକି ଖୁସୀ ହୋଇନଥିବେ, ତାଙ୍କ ପିଲାଙ୍କ କଥା ତାଙ୍କ ଆଗେ କହିଦେଲେ, ସେ ସବୁଠାରୁ ଅଧିକ ଖୁସୀ ହେବେ। ସାଧୁ ସନ୍ଥ ମାନେ ବି ସେହିଭଳି ଭାବେ ଖୁସୀ ହୁଅନ୍ତି। ତାଙ୍କୁ ଆପଣ ନିଜ ସମସ୍ୟା କଥା ପଚାରି ସମୟ ନଷ୍ଟ କରନ୍ତୁ ନାହିଁ। ସେମାନଙ୍କୁ ଆପଣ ପ୍ରଶଂସା କରି ଖୁସୀ କରାଇପାରିବେ ନାହିଁ। ଆପଣ ଯଦି ସେମାନଙ୍କୁ ସେମାନଙ୍କ ପ୍ରିୟ ଭଗବାନଙ୍କ କଥା ପଚାରିବେ, ଦିବ୍ୟ ଜୀବନ କଥା ପଚାରିବେ, ସେ ସବୁଠାରୁ ଅଧିକ ଖୁସୀ ହେବେ। ସାଧୁସନ୍ଥମାନଙ୍କର ଜୀବନ ସେହିଥିରେ କଟେ। ଭଗବାନଙ୍କ ସ୍ମରଣ ଓ ଭଜନରେ। ସେମାନଙ୍କୁ ଅନ୍ୟକଥା ଭଲ ଲାଗନ୍ତା ବା କିପରି ? ଏଇଟା ତ ଅତି ସାଧାରଣ କଥା। ପ୍ରାୟ ସମସ୍ତେ ଜାଣନ୍ତି। କିନ୍ତୁ ସାଧୁସନ୍ଥ ଓ ଗୁରୁଙ୍କ ସଂଗତି ମିଳିବା ମାତ୍ରେ ଅନେକ ସେମାନଙ୍କ ସମସ୍ୟା କଥା ପଚାରନ୍ତି। ଇଶ୍ୱରଙ୍କ କଥା ଭୁଲିଯାନ୍ତି ! ଯାହାକୁ ଦିନରାତି ଉପାସନା କରି ସାଧୁସନ୍ଥମାନେ ବଂଚିଥାନ୍ତି, ଆମେ ସେମାନଙ୍କୁ ତାଙ୍କ କଥା ପଚାରେନି, ପୁଣି ସେହି ଜଂଜାଳର କଥା ପଚାରେ। ଏବେ କେତେକଙ୍କ ପାଖରେ ସବୁ ସମସ୍ୟାର ସମାଧାନ ଗ୍ୟାରେଂଟି ସହ ମିଳୁଛି ବୋଲି ପ୍ରଚାର ହେଉଛି। ପାଂଟ ମିନିଟରେ ବା ଏକ ମିନିଟ୍ରେ ସବୁ ସମସ୍ୟାର ସମାଧାନ କରାଯିବା କଥା ଦାବି କରଯାଉଛି। ସେମାନେ ନିଜକୁ ବାବା, ଫକିର, ସାଧୁବାବା ଓ ଗୁରୁ ବୋଲି ମଧ୍ୟ କହୁଛନ୍ତି। କିନ୍ତୁ ସେମାନଙ୍କୁ କଣ ଇଶ୍ୱରଙ୍କ କଥା ଭଲ ଲାଗୁନି। ସେମାନେ କଣ ଚାହନ୍ତି ନାହିଁ ଲୋକେ ସେମାନଙ୍କ ପାଖକୁ ଇଶ୍ୱରଙ୍କ କଥା ପଚାରିବା ପାଇଁ ଫୋନ୍ କରନ୍ତୁ ? ଆପଣ ବିଚାର କରନ୍ତୁ। ପ୍ରକୃତ ଗୁରୁ କିଏ ? ଯିଏ ଚାହେଁ ଲୋକେ ଭଗବାନଙ୍କ କଥା ଜାଣିବାକୁ ପ୍ରଶ୍ନ ପଚାରନ୍ତୁ ନା ଅର୍ଥ ଦେଇ ସମସ୍ୟା ସମାଧାନର ସୂତ୍ର ନିଅନ୍ତୁ। ଭଗବାନଙ୍କ ଉପାସକ ଓ ଜୀବନର ମାର୍ଗଦର୍ଶକ ସେହି ଗୁରୁ, ଯେ ଆମକୁ ଆଲୋକର ପଥ ଦେଖାନ୍ତି, ଯେ ଆମକୁ ଦିବ୍ୟ ଅନୁଭବ ପ୍ରଦାନ କରନ୍ତି, ସେହି ଗୁରୁବରଙ୍କୁ କୋଟି କୋଟି ପ୍ରଣାମ। ଜୟ ଜଗନ୍ନାଥ ହରେ !

ଦୀକ୍ଷା ମିଶନ, ଆଶ୍ରମ ପାଟଣା, ପିପିଲି, ପୁରୀ