Odiapua.com

ବିଚ୍ ବଜାର ଛକରେ ଲାଗିବ ଦୁଷ୍କର୍ମକାରୀଙ୍କ ପୋଷ୍ଟର !

ନୂଆଦିଲ୍ଲୀ: ମହିଳାଙ୍କ କ୍ଷେତ୍ରରେ ଅପରାଧକୁ ନେଇ ଉତ୍ତରପ୍ରଦେଶ ଯୋଗୀ ସରକାର ଅଧିକ କଠୋର ହୋଇଛନ୍ତି। ଏଣିକି ଯେଉଁମାନେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ କରନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ବିରୋଧରେ ସରକାର ଅପରେସନ୍ ଦୂରାଚାରୀ ଚଲାଇବେ। ସର୍ବସାଧାରଣ ସ୍ଥାନରେ ଏଭଳି ଅପରାଧୀଙ୍କ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି ଯେ ମହିଳାଙ୍କ ସହ କୌଣସି ଅପରାଧିକ ଘଟଣା ଘଟିଲେ ସମ୍ପୃକ୍ତ ବିଟ୍ ଇନଚାର୍ଜ, ଆଉଟପୋଷ୍ଟ ଇନଚାର୍ଜ, ଥାନା ଇନଚାର୍ଜ ଏବଂ ସିଓ ଦାୟୀ ରହିବେ। ସିଏମ୍ ଯୋଗୀ କହିଛନ୍ତି ଯେ ଯେଉଁ ଅପରାଧୀମାନେ ମହିଳାଙ୍କ ବିରୋଧରେ କୌଣସି ପ୍ରକାର ଅପରାଧ କରନ୍ତି, ସେମାନେ କେବଳ ମହିଳା ପୋଲିସ୍ କର୍ମଚାରୀଙ୍କ ଦ୍ୱାରା ଦଣ୍ଡିତ କରାଯିବ। ଏହିପରି ଅପରାଧୀ ଏବଂ ଦୁଷ୍କର୍ମକାରୀଙ୍କ ସାହାଯ୍ୟକାରୀଙ୍କ ନାମ ମଧ୍ୟ ସାର୍ବଜନୀନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସିଏମ୍ ଯୋଗୀ କହିଛନ୍ତି ଯେ ମହିଳା ଏବଂ ବାଳିକାଙ୍କ ସହ କୌଣସି ପ୍ରକାରର ଘଟଣାର ଅପରାଧୀମାନଙ୍କୁ ସମାଜକ ଜାଣିବା ଉଚିତ୍। ତେଣୁ ଏହିପରି ଅପରାଧୀଙ୍କ ପୋଷ୍ଟର ସର୍ବସାଧାରଣ ସ୍ଥାନ ଛକରେ ଲଗାଯିବ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଯୋଗୀ ସରକାର ଗତ ଡିସେମ୍ବରରେ ସିଏଏ ବିରୋଧରେ ଲକ୍ଷ୍ନୌରେ ହୋଇଥିବା ପ୍ରଦର୍ଶନରେ ଘଟିଥିବା ହିଂସାକାଣ୍ଡ ଘଟଣାରେ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିଥିବା ଉପଦ୍ରବୀଙ୍କ ନାମ ଏବଂ ଠିକଣା ଥିବା ଫଟୋ ପୋଷ୍ଟର ଲଗାଯାଇଥିଲା। ହିଂସାକାଣ୍ଡରେ ଘଟିଥିବା କ୍ଷୟକ୍ଷତି ଉପଦ୍ରବୀମାନଙ୍କ ଠାରୁ ଜୋରିମାନା ଆକାରରେ ଆଦାୟ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୋଲିସ ଫଟୋ ଏବଂ ଭିଡିଓ ଆଧାରରେ ୧୫୦ରୁ ଅଧିକ ଲୋକଙ୍କୁ ନୋଟିସ ପଠାଇଥିଲା। ଅନୁସନ୍ଧାନ ପରେ ମିଳିଥିବା ପ୍ରମାଣକୁ ଭିତ୍ତି କରି ୫୭ ଜଣ ଜନସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ତେବେ ଉପଦ୍ରବୀ ମାନଙ୍କର ପୋଷ୍ଟର ଲଗାଯିବା ମାମଲା ହାଇକୋଟ୍‌ରେ ପହଞ୍ଚିଥିଲା। ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଗୋବିନ୍ଦ ମଥୁର ଏବଂ ଜଷ୍ଟିସ ରମେଶ ସିହ୍ନାଙ୍କ ଏକ ସ୍ୱତନ୍ତ୍ର ବେଞ୍ଚ ସିଏଏ ବିରୋଧରେ ଉପଦ୍ରବ କରିଥିବା ଅଭିଯୁକ୍ତ ମାନଙ୍କର ପୋଷ୍ଟର ବିଳମ୍ବ ନକରି ତୁରନ୍ତ ହଟାଇବାକୁ ଲକ୍ଷ୍ନୌ ଡିଏମ ଏବଂ ପୋଲିସ କମିସନରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୪ ପୃଷ୍ଠାର ବିଚାରରେ ସ୍ୱତନ୍ତ୍ର ବେଞ୍ଚ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ସମ୍ବିଧାନର ଧାରା ୨୧ ଅନୁଯାୟୀ ଗୋପନୀୟତା ଅଧିକାର (ମୌଳିକ ଅଧିକାର)ର ଭଙ୍ଗ କରୁଛି ବୋଲି କହିଥିଲେ। କାହାର ମୌଳିକ ଅଧିକାର ଛଡ଼ାଇ ନିଆଯାଇ ପାରିବ ନାହିଁ ବୋଲି କୋର୍ଟ କହିଥିଲେ। ପୋଷ୍ଟର ଏବଂ ବ୍ୟାନର ଲଗାଇ ଅଭିଯୁକ୍ତଙ୍କ ବ୍ୟକ୍ତିଗତ ସୂଚନାକୁ ସାର୍ବଜନୀନ କରିବାକୁ ଅନୁମତି ଦେଉଥିବା ଭଳି କୌଣସି ଆଇନ ନାହିଁ ବୋଲି କୋର୍ଟ କହିଥିଲେ। ଏହା ପରେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। -@DevDr