Odiapua.com

୧୬ ଏବଂ ୧୭ରେ ପୁଣି ପିଏମ୍ – ସିଏମ୍ ଆଲୋଚନା: ପୁଣି ଲାଗୁ ହୋଇପାରେ ଲକ୍ ଡାଉନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହେବେ। ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ଗୁଡ଼ିକରେ କରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବେ। ଜୁନ୍ ୧୬ ଏବଂ ୧୭ ତାରିଖରେ ଏହି ବୈଠକ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୧୬ ଏବଂ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ରାଜ୍ୟର ସ୍ଥିତି ବିଷୟରେ ଆଲୋଚନା କରିବେ।

ପିଏମଓ ପକ୍ଷରୁ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଜୁନ୍ ୧୬ ତାରିଖରେ ପଞ୍ଜାବ, ଆସାମ, କେରଳ, ଉତ୍ତରାଖଣ୍ଡ, ଝାରଖଣ୍ଡ, ଛତିଶଗଡ଼, ତ୍ରିପୁରା, ହିମାଚଳ ପ୍ରଦେଶ, ଚଣ୍ଡିଗଡ଼, ଗୋଆ, ମଣିପୁର, ନାଗାଲାଣ୍ଡ, ଲଦାଖ, ପୁଡୁଚେରୀ, ଅରୁଣାଚଳ ପ୍ରଦେଶ, ମେଘାଳୟ, ମିଜୋରାମ, ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜ, ଦାଦର ନଗର ହାଭେଲି ଏବଂ ଡାମନ ଡିୟୁ, ସିକ୍କିମ ଏବଂ ଲାକ୍ଷଦ୍ବୀପ ଆଦି ୨୧ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଆଲୋଚନା କରିବେ। ସେହିପରି ଦ୍ୱିତୀୟ ଦିନ ଜୁନ୍ ୧୭ ତାରିଖରେ ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ବିହାର, ଆନ୍ଧ୍ରପ୍ରଦେଶ, ହରିୟାଣା, ଜାମ୍ମୁ କାଶ୍ମୀର, ତେଲେଙ୍ଗାନା ଏବଂ ଓଡ଼ିଶା ଆଦି ୧୫ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ।

ଦେଶରେ ୧୦ଟି ରାଜ୍ୟ ସର୍ବାଧିକ ପ୍ରଭାବିତ; ପୁଣି ହୋଇପାରେ ଲକ୍ ଡାଉନ୍ –
ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ଏଥିରେ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକର ପରାମର୍ଶ ଆଧାରରେ ରଣନୀତି ସ୍ଥିର କରିବେ। ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପୁନର୍ବାର ଲକ୍ ଡାଉନ୍ ଘୋଷଣା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଦୃଷ୍ଟିରୁ ଭାରତ ବ୍ରିଟେନ ଏବଂ ସ୍ପେନକୁ ଅତିକ୍ରମ କରି ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଦେଶରେ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଥିବା ୧୦ଟି ରାଜ୍ୟ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର, ତାମିଲନାଡୁ, ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ଏବଂ ହରିୟାଣା। /-ଦେବଦତ୍ତ ରଥ