Odiapua.com

ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୨-୧ (ଓଡ଼ିଆ ପୁଅ) ସମ୍ବଲପୁର ଆଇଆଇଏମର ସ୍ଥାୟୀ ପରିସର ପାଇଁ ଆଜି ଭିତ୍ତପ୍ରସ୍ଥର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହିଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଲେଯେ, “ଏହି ଦଶନ୍ଧି ଭାରତରେ ନୂତନ ବହୁରାଷ୍ଟ୍ରୀୟ ନିଗମ (MNCs) ର ବିକାଶ ପାଇଁ ଉତ୍ସର୍ଗୀକୃତ ହେବ। ଆଜିର ଷ୍ଟାର୍ଟଅପ୍ ହେଉଛି ଆସନ୍ତାକାଲିର MNC। ଏଗୁଡ଼ିକ ମୁଖ୍ୟତଃ ପର୍ଯ୍ୟାୟ ୨ ଏବଂ ପର୍ଯ୍ୟାୟ ୩ ସହରରେ ବଢ଼ୁଛି। ଏହି ଷ୍ଟାର୍ଟଅପ୍ ଗୁଡିକ ସକ୍ଷମ ମ୍ୟାନେଜର ଆବଶ୍ୟକ କରନ୍ତି ଏବଂ ଯେଉଁମାନେ ଆଇଆଇଏମ୍ ଭଳି ଅନୁଷ୍ଠାନଗୁଡିକରୁ ପାସ୍ କରନ୍ତି ସେମାନେ ବାଟ ଦେଖାଇବେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

“ବ୍ରାଣ୍ଡ ଇଣ୍ଡିଆ” ପାଇଁ ବିଶ୍ୱସ୍ତରୀୟ ସ୍ୱୀକୃତି ପାଇବା ଆମର ଦାୟିତ୍ତ୍ୱ।। ଯେଉଁମାନେ ଏହି ଅନୁଷ୍ଠାନର ଅଂଶ ହେବେ ସେମାନେ ବିକାଶକୁ ଉତ୍ସାହିତ କରିବା ଏବଂ ସମସ୍ତଙ୍କ ଅନ୍ତର୍ଭୂକ୍ତିକୁ ଧ୍ୟାନ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

“ଲୋକାଲକୁ ବିଶ୍ୱରେ ପରିଚୟ କରାଇବା ପାଇଁ, ଆଇଆଇଏମ୍ ର ଛାତ୍ରମାନେ ନୂତନ ଉପାୟ ବାହାର କରିବାର ଆବଶ୍ୟକତା ରହିଛି। ଦେଶରେ ୨୦ଟି ଆଇଆଇଏମ୍ ଅଛି ଏବଂ ଏହି ବିଶାଳ ପ୍ରତିଭା ଏକ ଆତ୍ମନିର୍ଭରଶୀଳ ଭାରତ ପାଇଁ ଦୂରଦୃଷ୍ଟିରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟଯେ, ସମ୍ବଲପୁର ଆଇଆଇଏମ ଏବେ ଅସ୍ଥାୟୀ ପରିସରରେ ଚାଲିଛି।

ଏହି ସମାରୋହରେ ଭର୍ଚୁଆଲ ମାଧ୍ୟମରେ ୫୦୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଅଧିକାରୀ, ଶିଳ୍ପ ନେତୃବର୍ଗ, ଶିକ୍ଷାବିତ ଓ ଛାତ୍ରଛାତ୍ରୀ, ଆଇଆଇଏମ ସମ୍ବଲପୁରର ପୂର୍ବତନ ଛାତ୍ରଛାତ୍ରୀ ଓ ଶିକ୍ଷକଗଣ।

ସମ୍ବଲପୁର ଆଇଆଇଏମ ସମ୍ପର୍କରେ

ଫ୍ଲିପଡ କ୍ଲାସରୁମ ପଦ୍ଧତିକୁ କାର୍ଯ୍ୟକାରୀ କରିବାରେ ଆଇଆଇଏମ ସମ୍ବଲପୁର ହେଉଛି ପ୍ରଥମ ଆଇଆଇଏମ। ଏହି ପଦ୍ଧତିରେ ମୌଳିକ ଜ୍ଞାନ ଡିଜିଟାଲ ମାଧ୍ୟମରେ ଦିଆଯାଉଥିବା ବେଳେ ଅନୁଭୂତି ଆଧାରିତ ଶିକ୍ଷାଦାନ ଉଦ୍ୟୋଗରୁ ଲାଇଭ ପ୍ରୋଜେକ୍ଟ ଜରିଆରେ ଶ୍ରେଣୀଗୃହରେ ଦିଆଯାଇଥାଏ। ସେହିପରି ଲିଙ୍ଗ ବିବିଧତା କ୍ଷେତ୍ରରେ ଏହି ଶିକ୍ଷାନୁଷ୍ଠାନ ଅନ୍ୟ ସମସ୍ତ ଆଇଆଇଏମକୁ ପଛରେ ପକାଇ ଦେଇଛି। ଏଠାରେ ୨୦୧୯-୨୧ ଏମବିଏ ବ୍ୟାଚରେ ସର୍ବାଧିକ ୪୯% ପ୍ରତିଶତ ଛାତ୍ରୀ ଥିବା ବେଳେ ୨୦୨୦-୨୨ ଏମବିଏ ବ୍ୟାଚରେ ୪୩% ଛାତ୍ରୀ ରହିଛନ୍ତି।