Odiapua.com

ଅହମ୍ମଦାବାଦର କୋଭିଡ -୧୯ ଡାକ୍ତରଖାନା ଅଗ୍ନିକାଣ୍ଡରେ ରୋଗୀଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମବେଦନା ବ୍ୟକ୍ତ

ନୂଆଦିଲ୍ଲୀ ୬-୮ (ଓଡ଼ିଆ ପୁଅ) : ଗୁଜୁରାଟର ଅହମ୍ମଦାବାଦର ଶ୍ରେୟ କୋଭିଡ -୧୯ ହସ୍ପିଟାଲରେ ନିଆଁ ଲାଗି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ସମବେଦନା ବ୍ୟକ୍ତ କରିଛନ୍ତି।

“ଅହମ୍ମଦାବାଦରେ ଡାକ୍ତରଖାନାର ଅଗ୍ନିକାଣ୍ଡରେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା। ଆହତମାନଙ୍କ ଆସୁ ଆରୋଗ୍ୟ କାମନା କରୁଛି” ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି।

ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତିଯେ, ପରିସ୍ଥିତି ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ ରାଜ୍ୟପାଳଙ୍କ ସହ କଥା ହୋଇଛନ୍ତି ଏବଂ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି କହିଛନ୍ତି।

ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ପରିବାର ବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡରୁ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟଯେ, ଗୁରୁବାର ସକାଳେ ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସହରରେ ଅବସ୍ଥିତ କରୋନା ଡେଡିକେଟ୍ ହସ୍ପିଟାଲ୍ ଶ୍ରେୟ ହସ୍ପିଟାଲରେ ନିଆଁ ଲାଗିଯାଇଥିଲା। ଆଇସିୟୁରେ ସକାଳ ୩: ୧୫ ରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ପାରା ମେଡିକାଲ କର୍ମଚାରୀ ଆହତ ହୋଇଛନ୍ତି।