Odiapua.com

କରୋନା ଟୀକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ନୂଆ ଦିଲ୍ଲ/ଭୁବନେଶ୍ୱର ୧-୩ (ଓଡ଼ିଆ ପୁଅ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଏମ୍‌ସରେ କୋଭିଡ-୧୯ ଟିକା ଗ୍ରହଣ କରିଛନ୍ତି। ଏ ସଂପର୍କରେ ସେ ନିଜେ ଟ୍ୱିଟ୍ କରି ଜଣାଇଥିଲେ। ପ୍ରଧାନମନ୍ତ୍ରୀ ସକାଳେ ଦିଲ୍ଲୀ ଏମ୍ସ୍‌ରେ ପହଞ୍ଚି ଟିକା ନେବା ସହିତ ଦେଶବାସୀଙ୍କ ଏଭଳି କରିବାକୁ ଅପିଲ୍‌କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ଟିକା ସେ ନେଇଛନ୍ତି। ସେ ଟୁଇଟ୍‌କରି କହିଛନ୍ତି ଯେ, କରୋନା ଲଢ଼େଇରେ ଭାରତର ବୈଜ୍ଞାନିକ ତଥା ଡାକ୍ତରମାନେ ଅକ୍ଲାନ୍ତ ପରିଶ୍ରମ କରି ସଫଳତା ହାସଲ କରିପାରିଛନ୍ତି। ଏହା ପୃଥିବୀ ପାଇଁ ଏକ ଉଦାହରଣ ପାଲଟିଛି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ କରୋନା ଟିକା ନେଇଛନ୍ତି। ବିଧାନସଭାର ଡିସପେନସେରୀରେ ସେ ଦିନ ୧୧ଟାରେ କୋଭାକ୍ସିନ୍ ଟିକା ନେଇଛନ୍ତି। ଏ ସମ୍ପର୍କରେ ନବୀନ ନିଜେ ଟୁଇଟ୍‌କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଆଜି କରୋନା ଟିକା ନେଇ ବହୁତ ଖୁସି। ଟିକା ନେବା ପରେ ସେ ବୈଜ୍ଞାନିକ ଏବଂ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ଲୋକମାନଙ୍କ ନିକଟରେ ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟକର୍ମୀମାନେ ଟିକା ପହଞ୍ଚାଇଥିବାରୁ ସେ କୃତଜ୍ଞ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ୬୦ବର୍ଷରୁ ଅଧିକ ଓ ବହୁବିଧ ରୋଗରେ ପୀଡ଼ିତ ୪୫ ବର୍ଷରୁ ଅଧିକ ଆକ୍ରାନ୍ତଙ୍କୁ ଆଜିଠାରୁ ଟିକା ଦିଆଯାଉଛି। ସରକାରୀ ସେଣ୍ଟରରେ ଟିକା ମାଗଣା ଦିଆଯାଉଛି। ରାଜ୍ୟର ସମସ୍ତ ସରକାରୀ ହସ୍ପିଟାଲ ସମେତ ୧୮୩ଟି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି।

କ’ଣ କରିବାକୁ ପଡ଼ିବ

– ଟିକା ନେବାକୁ ଆଗ୍ରହୀ ବ୍ୟକ୍ତିଙ୍କୁ କୋ-ୱିନ୍ ପୋର୍ଟାଲ୍‌ରେ ପଞ୍ଜିକରଣ କରିବାକୁ ପଡ଼ିବ।

– ଆଗୁଆ ପଞ୍ଜିକରଣ କରି ନଥିଲେ ଅନ୍ ସ୍ପଟ ରେଜିଷ୍ଟ୍ରେସନ୍ କରିପାରିବେ।

– ସରକାରୀ ହସ୍ପିଟାଲରେ ଟିକା ମାଗଣାରେ ମିଳୁଥିବା ବେଳେ ଘରୋଇ ହସ୍ପିଟାଲରେ ପ୍ରତି ଡୋଜକୁ ୨୫୦ ଟଙ୍କା ଦେବାକୁ ପଡ଼ିବ।