Odiapua.com

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୃଷି ଭିତ୍ତିଭୂମି ପାଣ୍ଠି ବ୍ୟବସ୍ଥାରେ ଏକ ଲକ୍ଷ କୋଟି ଟଙ୍କାର ଅର୍ଥ ଯୋଗାଣ ପ୍ରକ୍ରିୟା ଆରମ୍ଭ

– ପିଏମ-କିସାନ ଯୋଜନାର ଷଷ୍ଠ କିସ୍ତିରେ ପ୍ରାୟ ୮.୫ କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୭ ହଜାର କୋଟି ଟଙ୍କା ପ୍ରେରଣ କଲେ ପ୍ରଧାନମନ୍ତ୍ରୀ
– କ୍ୟାବିନେଟ ଅନୁମୋଦନର ୩୦ ଦିନ ମଧ୍ୟରେ କେନ୍ଦ୍ରୀୟ ଯୋଜନାରେ କୃଷି ଭିତ୍ତିଭୂମି ପାଣ୍ଠିରୁ ୨୨୮୦ କୃଷକ ସମବାୟ ପାଇଁ ମଞ୍ଜୁର ହେଲା ଏକ ହଜାର କୋଟି ଟଙ୍କା
– ଏବେ ଉଦ୍ୟୋଗୀ ହେବାକୁ ଚାଷୀ ପ୍ରସ୍ତୁତ, ସେମାନଙ୍କର ଆୟ ଦ୍ୱିଗୁଣିତ ହେବାରେ ନୂଆ ଯୋଜନା ସହାୟକ ହେବ : ପ୍ରଧାନମନ୍ତ୍ରୀ

ନୂଆ ଦିଲ୍ଲୀ ୧୦-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ନୂତନ କେନ୍ଦ୍ରୀୟ ଯୋଜନା ଆରମ୍ଭ କରି କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ବିଭିନ୍ନ କୃଷି ଭିତ୍ତିକ ଭିତ୍ତିଭୂମି ସୃଷ୍ଟି ପାଇଁ ଏକ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି। ଏହି ଯୋଜନା ଦ୍ୱାରା ଚାଷୀ, ପ୍ୟାକ୍ସ, ଏଫ୍‌ପିଓ, କୃଷି ଉଦ୍ୟୋଗୀ ଆଦି ଉପକୃତ ହେବେ। ଅମଳ ପରବର୍ତ୍ତୀ ଫସଲ ପରିଚାଳନା ଓ ସଂରକ୍ଷଣ ତଥା ଚାଷୀ ସମୁଦାୟ ଦ୍ୱାରା ବିଭିନ୍ନ ପ୍ରକାର କୃଷିଭିତ୍ତିକ ନିର୍ମାଣ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ। ଏହା ଫଳରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ସାଇତି ରଖିବା ସହ ପରବର୍ତ୍ତୀ ସମୟରେ ଅଧିକ ଦାମରେ ବିକିବାକୁ ସକ୍ଷମ ହେବେ। ଉତ୍ପାଦିତ ସାମଗ୍ରୀର ପ୍ରକ୍ରିୟାକରଣ ଓ ମାନ ବୃଦ୍ଧି ସହିତ ସେସବୁକୁ ମଧ୍ୟ ଅପଚୟରୁ ରକ୍ଷା କରିପାରିବେ। କ୍ୟାବିନେଟ ଅନୁମୋଦନର ୩୦ ଦିନ ଭିତରେ ଆଜି କୃଷି ଭିତ୍ତିଭୂମି ପାଣ୍ଠିରୁ ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଏକ ହଜାର କୋଟି ଟଙ୍କା ୨୨୮୦ ଚାଷୀ ସମବାୟ ସମିତିକୁ ପ୍ରଦାନ କରିଛନ୍ତି। ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଲକ୍ଷ ଲକ୍ଷ ଚାଷୀ, ଏଫ୍‌ପିଓ, କୋଅପରେଟିଭ ଓ ପ୍ୟାକ୍ସର ସଦସ୍ୟ ଏବଂ ନାଗରିକ ଭାଗ ନେଇଥିଲେ।

ସେହି ଏକା ମଞ୍ଚରେ ପ୍ରଧାନମନ୍ତ୍ରୀ ମଧ୍ୟ ପିଏମ-କିସାନ ଯୋଜନାର ଷଷ୍ଠ କିସ୍ତିରେ ୮.୫ କୋଟି ଚାଷୀଙ୍କ ପାଇଁ ୧୭ ହଜାର କୋଟି ଟଙ୍କା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ବଟନ ଚିପିବା ମାତ୍ରେ ଏହି ନଗଦ ସୁବିଧା ସଂପୃକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଥିଲା। ଏହି ପର୍ଯ୍ୟାୟ ସହିତ ସରକାର ମୋଟ ୯୦ ହଜାର କୋଟିରୁ ଅଧିକ ଟଙ୍କା ୧୦ କୋଟି ଚାଷୀଙ୍କୁ ୨୦୧୮ ଡିସେମ୍ବର ପହିଲାରୁ ଯୋଗାଇଦେଲେଣି। ଡିସେମ୍ବର ପହିଲା ୨୦୧୮ରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା।

ପ୍ରାଥମିକ କୃଷିଋଣ ସମିତି ସହ କଥାବାର୍ତ୍ତା

ଏହି ଅବସରରେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ, ଗୁଜରାଟ ଓ ମଧ୍ୟପ୍ରଦେଶର ୩ଟି ପ୍ରାଥମିକ କୃଷି ଋଣ ସମବାୟ ସମିତିର ପ୍ରତିନିଧିଙ୍କ ସହ ଭର୍ଚୁଆଲ ବ୍ୟବସ୍ଥାରେ କଥାବାର୍ତ୍ତା କରିଥିଲେ। ଏମାନଙ୍କ ମଧ୍ୟରେ ସମସ୍ତେ ଏହି ଯୋଜନାର ପ୍ରାରମ୍ଭିକ ହିତାଧିକାରୀ। ପ୍ରଧାନମନ୍ତ୍ରୀ ସେମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଏହି ଋଣ ଅର୍ଥ କିପରି ବିନିଯୋଗ କରିବେ ସେ ବିଷୟରେ ପଚାରି ବୁଝିଥିଲେ। ସଂପୃକ୍ତ ଅର୍ଥରେ ଗୋଦାମ ନିର୍ମାଣ, ଉତ୍ପାଦିତ ଫସଲର ସଟିଂ ଓ ଗ୍ରେଡିଂ ଯନ୍ତ୍ର ବସାଇବାକୁ ଖର୍ଚ୍ଚ କରାଯିବ ବୋଲି ସେମାନେ କହିଥିଲେ। ଏହାଫଳରେ ଉତ୍ପାଦିତ ସାମଗ୍ରୀକୁ ଅଧିକ ମୂଲ୍ୟରେ ବିକ୍ରି କରିହେବା ଘେନି ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ରାଷ୍ଟ୍ର ଉଦ୍ଦେଶ୍ୟରେ ଭାଷଣ

ପ୍ରାଥମିକ କୃଷି ଋଣ ସମିତିର ସଦସ୍ୟଙ୍କ ସହ କଥୋପକଥନ ପରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ। ଏହି ଯୋଜନା ଦ୍ୱାରା ଚାଷୀ ଓ କୃଷି ଉଦ୍ୟୋଗ କିପରି ଉପକୃତ ହୋଇପାରିବ ସେ ବିଷୟରେ କହିଥିଲେ। ଏହି ଯୋଜନାରେ ଚାଷୀଙ୍କୁ ଆର୍ଥିକ ଲାଭ ମିଳିବା ସହ ଦେଶରେ କୃଷି ଉତ୍ପାଦନ ବୃଦ୍ଧି ପାଇବ ଏବଂ ଭାରତ କୃଷିଜାତ ସାମଗ୍ରୀ କ୍ଷେତ୍ରରେ ବିଦେଶୀ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସକ୍ଷମ ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ପାଦନ ପରବର୍ତ୍ତୀ ଫସଲ ପରିଚାଳନା ପାଇଁ ଭାରତରେ ବିପୁଳ ସୁଯୋଗ ସୁବିଧା ରହିଛି। ଦେଶରେ ଅଧିକରୁ ଅଧିକ ପଣ୍ୟାଗାର, କୋଲ୍‌ଡ ଚେନ୍‌, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ବ୍ୟବସ୍ଥା ଆଦି ନିର୍ମାଣ ଦ୍ୱାରା ଏ କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତ୍ତନ ଆସିବ। ଏହା ଫଳରେ ସରକାରୀ ଯୋଜନାର ସୁଯୋଗ ନେଇ ଉଦ୍ୟୋଗୀମାନେ ଷ୍ଟାର୍ଟଅପ୍‌ ସ୍ଥାପନ କରିବା ସହିତ କୃଷି କ୍ଷେତ୍ରରେ ଏକ ନୂଆ ପରିବେଶ ସୃଷ୍ଟି କରିପାରିବେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପିଏମ-କିସାନ ଯୋଜନାର କାର୍ଯ୍ୟକାରିତା ଘେନି ସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ଯୋଜନାରେ ଯେତେ ଚାଷୀଙ୍କ ପାଖରେ ଅର୍ଥ ପହଞ୍ଚୁଛି ସେମାନଙ୍କ ସଂଖ୍ୟା ଏକାଧିକ ଦେଶର ମିଳିତ ଲୋକ ସଂଖ୍ୟାଠାରୁ ଅଧିକ। ଏହି ଯୋଜନାର କାର୍ଯ୍ୟକାରିତାରେ ରାଜ୍ୟମାନେ ଉତ୍ତମ ସହଯୋଗ କରିଥିବାରୁ ସେ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଉପସ୍ଥିତ ଥିଲେ।

କୃଷି ଭିତ୍ତିଭୂମି ପାଣ୍ଠି

କୃଷି ଭିତ୍ତିଭୂମି ପାଣ୍ଠି ଏକ ମାଧ୍ୟମ ଯାହା ଅମଳ ପରବର୍ତ୍ତୀ ଫସଲ ପରିଚାଳନା ଓ ସଂରକ୍ଷଣ ପାଇଁ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବାକୁ ଉଦ୍ଦିଷ୍ଟ। ଏହା ମଧ୍ୟ କୋଠ ଚାଷ ବା କମ୍ୟୁନିଟି ଫାର୍ମିଂ ନିମନ୍ତେ ସ୍ଥାୟୀ ସମ୍ବଳ ସୃଷ୍ଟି କରିବାକୁ ଅଭିପ୍ରେତ। କୃଷି ଭିତ୍ତିଭୂମି ପାଣ୍ଠିରୁ ସରକାର ଯେଉଁ ଅର୍ଥ ଋଣ ଆକାରରେ ଯୋଗାଇବେ ତା ଉପରେ ହିତାଧିକାରୀ ଉଭୟ ସୁଧ ରିଆତି ଓ ଋଣ ଗ୍ୟାରେଣ୍ଟି ସୁବିଧା ପାଇବେ। ଏହି ଯୋଜନାର କାର୍ଯ୍ୟକାଳ ୨୦୨୦ ଆର୍ଥିକ ବର୍ଷରୁ ୨୦୨୯ ବା ୧୦ ବର୍ଷ ରଖାଯାଇଛି। ଏହି ଯୋଜନାରେ ବିଭିନ୍ନ ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନ ସଂପୃକ୍ତ ହିତାଧିକାରୀଙ୍କୁ ଏକଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ। ବାର୍ଷିକ ଋଣ ଉପରେ ସୁଧରେ ୩ ଶତାଂଶ ଛାଡ ମିଳିବ। ଗୋଟିଏ ଗୋଟିଏ ପ୍ରକଳ୍ପ ପାଇଁ ସର୍ବାଧିକ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାକୁ ସରକାର ସଂପୃକ୍ତ ଅର୍ଥଲଗାଣକାରୀ ସଂସ୍ଥାକୁ ଗ୍ୟାରେଣ୍ଟି ପ୍ରଦାନ କରିବେ। ଏହି ଯୋଜନାରେ ଚାଷୀ, ପ୍ୟାକ୍ସ, ବିପଣନ ସମବାୟ ସମିତି, ଏଫ୍‌ପିଓ, ଏସ୍‌ଏଚ୍‌ଜି, ଜେଏଲ୍‌ଜି, ବହୁମୁଖୀ ସମବାୟ ସମିତି, କୃଷି ଉଦ୍ୟୋଗୀ, ଷ୍ଟାର୍ଟଅପ୍‌, ରାଜ୍ୟ ଓ କେନ୍ଦ୍ରୀୟ ସଂସ୍ଥା, ସ୍ଥାନୀୟ ସଂସ୍ଥା ଦ୍ୱାରା ପ୍ରାୟୋଜିତ ସରକାରୀ ଓ ବେସରକାରୀ ଅଂଶୀଦାରୀରେ ପରିଚାଳିତ ପ୍ରକଳ୍ପ ଆଦି ଉପକୃତ ହୋଇପାରିବେ।

ପିଏମ-କିସାନ

ପିଏମ-କିସାନ ଯୋଜନା ୨୦୧୮ ଡିସେମ୍ବରରେ ଆରମ୍ଭ ହୋଇଥିଲା। ଚାଷୀଙ୍କୁ ନଗଦ ଅର୍ଥ ଯୋଗାଣ ସୁବିଧା ମାଧ୍ୟମରେ ଆୟ ସହାୟତା ଯୋଗାଇଦେବା ଏହାର ପ୍ରଧାନ ଲକ୍ଷ୍ୟ। ଏଥିରେ ଜମି ମାଲିକାନା ଥିବା ସବୁ ଚାଷୀ ହିତାଧିକାରୀ ହେବାର ଯୋଗ୍ୟତା ପାଇଛନ୍ତି। କେବଳ ଅଳ୍ପ କେତେକ କ୍ଷେତ୍ରରେ କିଛି ଚାଷୀଙ୍କୁ ଜମି ଥିବା ସତ୍ତ୍ୱେ ବାଦ ଦିଆଯାଇଛି। ଏହି ସରକାରୀ ଅର୍ଥ ସହାୟତାରେ ଚାଷବାସ ପାଇଁ ପଇସା ଲଗାଇବା ଏବଂ ପରିବାରର ଆବଶ୍ୟକତା ପୂରଣ କରିବା ସଂପୃକ୍ତ ଚାଷୀମାନଙ୍କ ପାଇଁ ସହଜ ହେବ। ଏହି ଯୋଜନାରେ ପ୍ରତ୍ୟେକ ଚାଷୀ ହିତାଧିକାରୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ୩ଟି ସମାନ କିସ୍ତିରେ ଯୋଗାଇ ଦିଆଯାଉଛି।

କୃଷି କ୍ଷେତ୍ରରେ ନୂଆ ସକାଳ

କୃଷି କ୍ଷେତ୍ରରେ କେନ୍ଦ୍ର ସରକାର ଯେଉଁସବୁ ସଂସ୍କାର କରୁଛନ୍ତି ସେସବୁ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେଉଛି। ଏହିସବୁ ପଦକ୍ଷେପ ଫଳରେ ଦେଶରେ କୃଷି କ୍ଷେତ୍ରରେ ଏକ ବଡ ଧରଣର ପରିବର୍ତ୍ତନ ଆସିବା ସହ ଚାଷୀଙ୍କ ଭାଗ୍ୟରେ ଉନ୍ନତି ଆସିବ। ଚାଷୀଙ୍କ ଜୀବିକା ଅର୍ଜନ ନିଶ୍ଚିତ କରିବା ସହ ଏହାକୁ ନିରନ୍ତର ବଜାୟ ରଖିବା ଏବଂ ସେମାନଙ୍କ ସର୍ବାଙ୍ଗୀନ ଉନ୍ନତି ଲକ୍ଷ୍ୟରେ ସରକାର ଅଙ୍ଗୀକୃତ। ଏସବୁ ପଦକ୍ଷେପ କୃଷି କ୍ଷେତ୍ରରେ ଏକ ନୂଆ ସକାଳ ଆଣିବ ବୋଲି ସରକାର ଆଶାବାଦୀ।