Odiapua.com

ଗୁଗ୍‌ଲ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନ୍ଦର ପିଚାଇଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା – – ଭାରତରେ ଗୁଗ୍‌ଲର ବିପୁଳ ପୁଞ୍ଜିନିବେଶ ଯୋଜନା ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଲେ ପିଚାଇ

– ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତରେ ଚାଲିଥିବା କୋଭିଡ ବିରୋଧୀ ଲଢେଇକୁ ପିଚାଇଙ୍କ ପ୍ରଶଂସା
– ଚାଷୀଙ୍କ ପାଇଁ ଟେକ୍‌ନୋଲଜି ବିଶେଷ ସହାୟକ ହୋଇଛି; କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍‌ସର ପ୍ରଚୁର ସମ୍ଭାବନା ରହିଛି: ପ୍ରଧାନମନ୍ତ୍ରୀ
– ଟେକ୍‌ନୋଲଜିରେ ସ୍ଥାନୀୟ ଭାଷାର ସୁବିଧା ପ୍ରଦାନ ଏବଂ ଅନ୍‌ଲାଇନ ଶିକ୍ଷାର ପରିସର ବୃଦ୍ଧି ସଂପର୍କରେ ଉଭୟଙ୍କ ମଧ୍ୟରେ ଆଲୋଚନା

ନୂଆ ଦିଲ୍ଲୀ ୧୩-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସ ବ୍ୟବସ୍ଥାରେ ଗୁଗ୍‌ଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ସହ ଆଲୋଚନ କରିଛନ୍ତି। ଶ୍ରୀ ପିଚାଇ କୋଭିଡ-୧୯ ସଂପର୍କରେ ସଚେତନତା ସୃଷ୍ଟି ଏବଂ ବିଶ୍ୱସନୀୟ ତଥ୍ୟ ପ୍ରଦାନ ପାଇଁ ଗୁଗ୍‌ଲ ପକ୍ଷରୁ ଚାଲିଥିବା ଉଦ୍ୟମ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲକ୍‌ଡାଉନ ଭଳି ଗ୍ରହଣ କରାଯାଇଥିବା ଦୃଢ ପଦକ୍ଷେପ ଭାରତରେ କରୋନା ମହାମାରୀ ବିରୋଧୀ ଲଢେଇ ପାଇଁ ଏକ ସଦୃଢ ମୂଳଦୁଆ ସ୍ଥାପନ କରିଛି। ମହାମାରୀ ସଂପର୍କରେ ଯେଉଁସବୁ ଗୁଜବ ଓ ଅଖବର ପ୍ରଚାରିତ ହେଉଛି ତାହାକୁ ଦୂରକରି ଲୋକଙ୍କୁ ଠିକ୍‌ ତଥ୍ୟ ଯୋଗାଇବା ସହିତ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଗୁଗ୍‌ଲ ଯେଉଁ ଉଦ୍ୟମ ଚଳାଇଛି ପ୍ରଧାନମନ୍ତ୍ରୀ ତାହାକୁ ପ୍ରଶଂସା କରିଛନ୍ତି। ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଅଧିକ ଉନ୍ନତ ଟେକ୍‌ନୋଲଜି ବ୍ୟବହାର ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁଗ୍‌ଲ ସିଇଓଙ୍କ ସହ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟମାନେ ନୂଆ ଟେକ୍‌ନୋଲଜିକୁ ଖୁବ୍‌ଶୀଘ୍ର ଗ୍ରହଣ କରିବା ସହ ସେଥିରେ ଅଭ୍ୟସ୍ତ ହୋଇପାରୁଛନ୍ତି। ଚାଷୀମାନେ କିପରି ଏହି ଟେକ୍‌ନୋଲଜି ଦ୍ୱାରା ଉପକୃତ ହେଉଛନ୍ତି ସେ ସଂପର୍କରେ ଉଲ୍ଲେଖ କରି କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସର ପ୍ରୟୋଗ ତଥା ଏହାର ସମ୍ଭାବ୍ୟ ଉପକାର ସଂପର୍କରେ ପ୍ରଧାନମନ୍ତ୍ରୀ ପିଚାଇଙ୍କ ସହ କଥାବାର୍ତ୍ତା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭର୍ଚୁଆଲ ଲ୍ୟାବର ପରିକଳ୍ପନା ସଂପର୍କରେ ପିଚାଇଙ୍କୁ ଅବଗତ କରିଛନ୍ତି। ଏହା ହୋଇପାରିଲେ ଛାତ୍ରଛାତ୍ରୀ ଓ ଚାଷୀଙ୍କ ଦ୍ୱାରା ସହଜରେ ବ୍ୟବହୃତ ତାହା ହୋଇପାରିବ ବୋଲି ସେ କହିଛନ୍ତି। ଶ୍ରୀ ପିଚାଇ ଭାରତରେ ଗୁଗ୍‌ଲ ଦ୍ୱାରା ପ୍ରସ୍ତୁତ ଓ ପ୍ରବର୍ତ୍ତିତ ହେବାକୁ ଥିବା ନୂଆ ଉତ୍ପାଦ ଏବଂ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି। ବେଙ୍ଗାଲୁରୁଠାରେ ଏକ ଆର୍ଟିଫିସିଆଲ ଇଣ୍ଟିଲିଜେନସ ରିସର୍ଚ୍ଚ ଲ୍ୟାବ କାର୍ଯ୍ୟକ୍ଷମ ହେବା ଘେନି ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଏହାଛଡା ବନ୍ୟା ପୂର୍ବାଭାସ ସଂପର୍କରେ ଗୁଗ୍‌ଲ କିପରି ବିଶେଷ ଉପଯୋଗୀ ହେବ ସେ ସଂପର୍କରେ ମଧ୍ୟ ଜଣାଇଛନ୍ତି।

ଭାରତରେ ଗୁଗ୍‌ଲ ଏକ ବୃହତ୍‌ ନିବେଶକ ପାଣ୍ଠି ଆରମ୍ଭ କରିବା ନେଇ ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପିଚାଇ ଅବଗତ କରାଇଛନ୍ତି। ଏହାଛଡ଼ା ଗୁଗ୍‌ଲ ମଧ୍ୟ ଭାରତ ସହ ରଣକୌଶଳାତ୍ମକ ଅଂଶୀଦାରୀ ବଢାଇବାକୁ ଆଗ୍ରହୀ ଥିବା ସେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ବିଶ୍ୱର ସବୁଠୁ ମୁକ୍ତ ଅର୍ଥନୀତି ମଧ୍ୟରୁ ଅନ୍ୟତମ। କୃଷି କ୍ଷେତ୍ରରେ ସଂସ୍କାର ଆଣିବା ସହ ନୂତନ ନିଯୁକ୍ତି ସୃଷ୍ଟି ତଥା ରି-ସ୍କିଲିଂ ସଂପର୍କରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ବିଷୟରେ ପ୍ରଧାନମନ୍ତ୍ରୀ ଶ୍ରୀ ପିଚାଇଙ୍କୁ କହିଛନ୍ତି।

ଏହି କଥାବର୍ତ୍ତା ସମୟରେ ପ୍ରଧାନମନ୍ତ୍ରୀ ଡେଟା ନିରାପତ୍ତା ତଥା ପ୍ରାଇଭେସିର ସୁରକ୍ଷା ପ୍ରସଙ୍ଗ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏ କ୍ଷେତ୍ରରେ ଯେଉଁ ବିଶ୍ୱାସର ଅଭାବ ରହୁଛି ତାହାକୁ ଦୂର କରିବା ପାଇଁ ସବୁ ଆଇଟି କଂପାନୀ ଉଦ୍ୟମ କରିବା ଉଚିତ। ସାଇବର ଆକ୍ରମଣ ଓ ସାଇବର ଅପରାଧ ଆଦି ସଂପର୍କରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋଚନା କରିଛନ୍ତି। ଏହା ବ୍ୟତୀତ ଅନଲାଇନ ଶିକ୍ଷା, ମାତୃଭାଷାରେ ଟେକ୍‌ନୋଲଜିର ଆକ୍ସେସ, କ୍ରୀଡା କ୍ଷେତ୍ରରେ ଷ୍ଟାଡିୟମରେ ବସି ଖେଳ ଦେଖିବା ଭଳି ଅଭିଜ୍ଞତା ଯୋଗାଉଥିବା ଟେକ୍‌ନୋଲଜିର ବିକାଶ ଓ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ନୂଆ ଟେକ୍‌ନୋଲଜି ଯୋଗାଣ ତଥା ଏହାର ପରିସର ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଓ ଶ୍ରୀ ପିଚାଇଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି।