Odiapua.com

ମୋବାଇଲ ଫୋନ ଓ ଇଲେକ୍ଟ୍ରୋନିକ୍ସ ସରଞ୍ଜାମ ଉତ୍ପାଦନରେ ପିଏଲଆଇ ଯୋଜନା : ୧୨ ଲକ୍ଷ କର୍ମନିଯୁକ୍ତି – ୨୨ଟି କମ୍ପାନୀର ଆବେଦନ

– ହେବ ଏକ ନୂତନ ଯୁଗର ଅଭ୍ୟୁଦୟ
– ଆସନ୍ତା ୫ ବର୍ଷ ମଧ୍ୟରେ ୧୧.୫୦ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ଓ ୭ ଲକ୍ଷ କୋଟି ଟଙ୍କାର ରପ୍ତାନି ଆଶା – ରବି ଶଙ୍କର ପ୍ରସାଦ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ଓ ମେକ ଇନ ଇଣ୍ଡିଆ ପାଇଁ ଏକ ବିରାଟ ସୁଯୋଗ
ନୂଆ ଦିଲ୍ଲୀ – ୧-୮ (ଓଡ଼ିଆ ପୁଅ) ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନା (ପିଏଲଆଇ) ଯୋଗୁଁ ମୋବାଇଲ ଓ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ ନିର୍ମାଣକାରୀ ସଂସ୍ଥାଗୁଡିକୁ ବିରାଟ ସଫଳତା ହାସଲ ହେବ ବୋଲି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି, ଦୂରସଞ୍ଚାର ତଥା ଆଇନ ଓ ନ୍ୟାୟ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ଯୋଜନା ଅଧୀନ ଆପ୍ଲିକେସନ ୱିଣ୍ଡୋର ଅନ୍ତିମ ଦିବସରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରସାଦ ଏହା ପ୍ରକାଶ କରିଛନ୍ତି। ଉଭୟ ଦେଶ ବାହାରୁ ଓ ଭିତରୁ ଅନେକ ନିର୍ମାଣକାରୀ ସଂସ୍ଥା ଏଥିପାଇଁ ଆବେଦନ କରିଛନ୍ତି। ଶିଳ୍ପ ଜଗତ ଭାରତକୁ ଏକ ବିଶ୍ଵସ୍ତରୀୟ ଉତ୍ପାଦନକାରୀ ଭାବେ ବିବେଚନା କରୁଛି ଓ ଏହା ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଗଠନର ଉଦାତ୍ତ ଘୋଷଣାକୁ ସାକାର କରୁଛି। ଶ୍ରୀ ପ୍ରସାଦ ଆହୁରି କହିଛନ୍ତି ଯେ, ଗୁଣାତ୍ମକ ମାନକୁ ବିଶ୍ଵସ୍ତରୀୟ କରି ଆମେ ଦେଶରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିପାରିବୁ। ବୃହତ ସ୍ତରରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ପିଏଲଆଇ ଗତ ଏପ୍ରିଲ ପହିଲା ଦିନ ବିଜ୍ଞପିତ ହୋଇଥିଲା। ବିକ୍ରି ବୃଦ୍ଧି ଅନୁସାରେ ପିଏଲଆଇ ଯୋଜନା ଶତକଡା ୪ ରୁ ୬ ଭାଗ ପର୍ଯ୍ୟନ୍ତ ପ୍ରୋତ୍ସାହନ ଭାରତରେ ଉତ୍ପାଦିତ ସାମଗ୍ରୀ କମ୍ପାନୀଗୁଡ଼ିକୁ ପ୍ରଦାନ କରିବାର ବ୍ୟବସ୍ଥା ଅଛି। ଏହି ଯୋଜନା ପାଇଁ ଆବେଦନର ସମୟ ଜୁଲାଇ ୩୧ଥିବା ବେଳେ ଆଜି ଅଗଷ୍ଟ ପହିଲାରୁ ଏହା ଲାଗୁ ହେଉଛି। ମୋଟ ୨୨ଟି କମ୍ପାନୀ ପିଏଲଆଇ ଯୋଜନା ଅଧୀନରେ ସେମାନଙ୍କ ଆବେଦନପତ୍ର ଦାଖଲ କରିଛନ୍ତି। ଆନ୍ତର୍ଜାତିକ ମୋବାଇଲ ଫୋନ ଉତ୍ପାଦନକାରୀ କମ୍ପାନୀ ଯେଉଁ ମୋବାଇଲ ଫୋନ (ଇନଭଏସ ମୂଲ୍ୟ ଆଇଏନଆର ୧୫ ହଜାର)ରୁ ଅଧିକ ସେମାନେ ହେଲେ ସାମସଙ୍ଗ, ଫକ୍ସକନ ହନ ହାଇ, ରାଇଜିଂ ଷ୍ଟାର, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ। ଏଥିରୁ ୩ଟି କମ୍ପାନୀ ଯଥା ଫକ୍ସକନ ହନ ହାଇ, ୱିଷ୍ଟର୍ନ ଏବଂ ପେଗାଟର୍ଣ୍ଣ ଆପଲ ଆଇ ଫୋନ ପାଇଁ ଚୁକ୍ତିବଦ୍ଧ। ଆପଲର ଶତକଡା ୩୭ ଓ ସାମସଙ୍ଗର ଶତକଡା ୨୨ ଏହିପରି ବିଶ୍ଵର ମୋବାଇଲ ଫୋନ ବିକ୍ରି ରାଜସ୍ୱରୁ ଶତଡକା ୬୦ ଭାଗ ଏହି ଦୁଇ କମ୍ପାନୀ ପାଉଥିବା ବେଳେ ପିଏଲଆଇ ପରି ପ୍ରୋତ୍ସାହନମୂଳକ ଯୋଜନା ଯୋଗୁଁ ଦେଶରେ ସେମାନଙ୍କ ଉତ୍ପାଦନ ବହୁଗୁଣ ବୃଦ୍ଧି ପାଇବ।

ଭାରତୀୟ ମୋବାଇଲ କମ୍ପାନୀଗୁଡ଼ିକ ମଧ୍ୟରୁ ଲାଭା, ଡିକ୍ସନ ଟେକ୍ନୋଲୋଜି, ସୋଯୋ ମାନ୍ୟୁଫେକ୍ଚାରିଙ୍ଗ ସର୍ଭିସ, ଭଗବତୀ (ମିଇକ୍ରୋମାକ୍ସ), ପଡଗେଟ ଇଲେକ୍ଟ୍ରୋନିକ୍ସ ଏବଂ ଅପ୍ଟିମେସ ଇଲେକ୍ଟ୍ରୋନିକ୍ସ ଏହି ଯୋଜନା ଅଧୀନରେ ଆବେଦନ କରିଛନ୍ତି। ଏହି କମ୍ପାନୀଗୁଡ଼ିକ ସେମାନଙ୍କ ନିର୍ମାଣ କାର‌୍ୟ୍ୟର ବହୁଳ ସଂପ୍ରସାରଣ କରି ଦେଶରେ ମୋବାଇଲ ଫୋନ ନିର୍ମାଣରେ ପ୍ରମୁଖ ଭୂମିକା ନିର୍ବାହ କରିପାରିବେ। ନିର୍ଦ୍ଦିଷ୍ଟ କେତେକ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ ୧୦ ଜଣ ଆବେଦନ କରିଥିବା ବେଳେ ସେମାନଙ୍କ ମଧ୍ୟରେ ଏଟି ଏଣ୍ଡ ଏସ, ଆସେଣ୍ଟ ସର୍କିଟ, ଭିଜିକନ, ୱାଲସିନ, ସହସ୍ର, ଭିଟେସ୍କୋ ଏବଂ ନିଓଲିଙ୍କ ପ୍ରମୁଖ ଅଛନ୍ତି।

ଆଗାମୀ ୫ ବର୍ଷ ମଧ୍ୟରେ ଏହି ଯୋଜନା ଯୋଗୁଁ ମୋଟ ଉତ୍ପାଦନ ୧୧.୫୦ ଲକ୍ଷ କୋଟି ଟଙ୍କାକୁ ଟପି ଯିବାର ଆଶା କରାଯାଉଛି। ମୋବାଇଲ ଫୋନ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟରେ ୧୫ ହଜାର ବା ତଦୁର୍ଦ୍ଧ ଇନଭଏସ ଥିବା କ୍ଷେତ୍ରରେ ଉତ୍ପାଦନ ୯ ଲକ୍ଷ କୋଟି ଟଙ୍କା ହେବାର ଲକ୍ଷ୍ୟ ଥିବା ବେଳେ ଘରୋଇ କମ୍ପାନୀ ଉତ୍ପାଦନ କ୍ଷେତ୍ରରେ ଏହା ୨ ଲକ୍ଷ କୋଟି ଓ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରାଂଶ କ୍ଷେତ୍ରରେ ୪୫ ହଜାର କୋଟି ଟଙ୍କାରେ ପହଞ୍ଚିବାର ଆକଳନ କରାଯାଇଛି। ଏହି ଯୋଜନା ଯୋଗୁଁ ରପ୍ତାନିରେ ଉଲ୍ଲେଖନୀୟ ଅଗ୍ରଗତି ହେବାର ଆଶା କରାଯାଉଛି। ଆଗାମୀ ୫ ବର୍ଷ ମଧ୍ୟରେ ମୋଟ ଉତ୍ପାଦନ ୧୧.୫୦ ଲକ୍ଷ କୋଟି ଥିବା ବେଳେ ସେଥିରୁ ରପ୍ତାନି ବାବଦରୁ ୭ ଲକ୍ଷ କୋଟି ଟଙ୍କା ଆସିବା ଆକଳନ କରାଯାଉଛି। ଏହାଛଡା ଏହି ଯୋଜନାରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ୧୧ ହଜାର କୋଟି ଟଙ୍କାର ଅତିରିକ୍ତ ନିବେଶ କରାଯିବ। ପିଏଲଆଇ ଯୋଜନା ଯୋଗୁଁ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୩ ଲକ୍ଷ ପ୍ରତ୍ୟକ୍ଷ କର୍ମନିଯୁକ୍ତି ସୃଷ୍ଟି ହେଉଥିବା ବେଳେ ଏହାର ୩ଗୁଣରୁ ଅଧିକ ପରୋକ୍ଷ ନିଯୁକ୍ତ ସୃଷ୍ଟି ହେବ। ଘରୋଇ ମୂଲ୍ୟ ବର୍ତ୍ତମାନ ୧୫ ରୁ ୨୦ ପ୍ରତିଶତ ଥିବା ବେଳେ ଏହା ମୋବାଇଲ କ୍ଷେତ୍ରରେ ୩୦ ରୁ ୪୦ ଭାଗ ଓ ଇଲେକ୍ଟ୍ରୋନିକ୍ସ ଉପକରଣ କ୍ଷେତ୍ରରେ ୪୫ ରୁ ୫୦ ଭାଗ ବୃଦ୍ଧି ପାଇବ। ଆଗାମୀ ୨୦୨୫ ସୁଦ୍ଧା ଦେଶରେ ଇଲେକ୍ଟ୍ରୋନିକ୍ସର ଚାହିଦା ବୃଦ୍ଧି ପାଇବାକୁ ଥିବା ବେଳେ ପିଏଲଆଇ ଯୋଜନା ଯୋଗୁଁ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣକାରୀମାନେ ଦେଶରେ ଏକ ପ୍ରତିଯୋଗିତାମୂଳକ ବଜାର ସୃଷ୍ଟି କରିବାରେ ସକ୍ଷମ ହେବେ ଯାହାକି ଆତ୍ମନିର୍ଭର ଭାରତ ଯୋଜନାକୁ ସାକାର କରିବ। ଇଲେକ୍ଟ୍ରୋନିକ ଉତ୍ପାଦନକାରୀ ଘରୋଇ କମ୍ପାନୀମାନେ ସ୍ଥାନୀୟ ଆବଶ୍ୟକତା ପ୍ରତି ଅଧିକ ଗୁରୁତ୍ଵ ଦେବା ସହ ଏହାକୁ ବିଶ୍ଵ ସ୍ତରରେ ପରିଚିତ କରାଇବେ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ହେଉଥିବା ଦୂରଦୃଷ୍ଟି ସମ୍ପନ୍ନ ଡିଜିଟାଲ ଓ ମେକ ଇନ ଇଣ୍ଡିଆ କାର‌୍ୟ୍ୟକ୍ରମ ଯୋଗୁଁ ଗତ ୫ ବର୍ଷ ମଧ୍ୟରେ ଭାରତରେ ଇଲେକ୍ଟ୍ରୋନିକ୍ସ ନିର୍ମାଣ କ୍ଷେତ୍ରରେ ଆଶାନୁରୂପ ଅଗ୍ରଗତି ଘଟିଛି। ୨୦୧୯ ଜାତୀୟ ଇଲେକ୍ଟ୍ରୋନିକ୍ସ ନୀତି ଭାରତକୁ ବିଶ୍ଵ ଦରବାରରେ ପରିଚିତ କରାଇବା ସହ ଦେଶର ଚାହିଦା ପୂରଣ କରି ବିଦେଶକୁ ରପ୍ତାନି କରିବାର ମଧ୍ୟ କ୍ଷମତା ହାସଲ କରିପାରିଛି।