Odiapua.com

ଜୀବନର ମୂଲ୍ୟ ବୁଝି.. ସ୍ଥଗିତ ହେଉ ପିପିଲି ଉପନିର୍ବାଚନ: ବାହାରୁଛନ୍ତି ଅନେକ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନା ମହାମାରୀ ଏବେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। କରୋନା ମହାମାରୀ ଅନେକ ଜୀବନ, ଜୀବିକା ଛଡ଼ାଇ ନେଉଛି। କରୋନା ବିରୋଧରେ ଲଢ଼େଇ ପାଇଁ କୋଭିଡ୍ ଯୋଦ୍ଧା ମାନେ ଦିନ ରାତି ଏକ କରିଦେଇଛନ୍ତି। କରୋନା କବଳରୁ ଜନସମାଜକୁ ବଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଥିବା ଅନେକ କୋଭିଡ୍ ଯୋଦ୍ଧା ନିଜେ କରୋନାର ଶିକାର ହୋଇ ଯାଉଛନ୍ତି। ଅନେକ ହୃଦୟ ବିଦାରକ ଦୃଶ୍ୟ ମନ ମସ୍ତିଷ୍କକୁ ବିଚଳିତ କରିଦେଉଛି। କରୋନା ବିରୋଧରେ ଲଢ଼େଇ ପାଇଁ ଲକଡାଉନ, ସର୍ଟଡାଉନ, ନାଇଟ କର୍ଫ୍ୟୁ, ସୀମା ସିଲ ଆଦି ପଦକ୍ଷେପ କଥା ଚିନ୍ତା କରାଯାଉଛି। ଜୀବିକା ହରାଇ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀ ମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଉଛି। ଛାତ୍ରଛାତ୍ରୀଙ୍କ ପଢ଼ା, ପରୀକ୍ଷା ବାତିଲ୍ କରି ଦିଆଯାଉଛି। ବ୍ୟବସାୟ ସଂସ୍ଥାକୁ ବନ୍ଦ୍ କରି ଦିଆଯାଉଛି। ଅନିର୍ବାଯ୍ୟ କାରଣ ନଥିଲେ ଲୋକଙ୍କୁ ଘରୁ ବାହାରକୁ ବାହାରକୁ ବାହାରିବାକୁ ଆକଟ କରାଯାଉଛି। ବାହାରକୁ ବାହାରିଲେ ଫାଇନ ଲାଗୁଛି, ପୋଲିସ୍ ପିଟୁଛି। କିନ୍ତୁ, ଏସବୁ ଭିତରେ ପିପିଲି ଉପନିର୍ବାଚନ ପାଇଁ ସବୁ ଖୋଲା ଛାଡ଼ି ଦିଆଯାଇଛି।

ଲୋକଙ୍କ ଜୀବିକା, ପିଲାଙ୍କ ପାଠ ପଢ଼ା ସବୁ ବନ୍ଦ୍ ହୋଇ ପାରୁଛି, କିନ୍ତୁ ପିପିଲି ଉପନିର୍ବାଚନ ଏମାନଙ୍କ ପାଇଁ ବଡ଼ ହୋଇଯାଇଛି। ବାସ୍ତବରେ ପିପିଲି ଉପନିର୍ବାଚନ ପ୍ରଚାର ଭିତରୁ ଅନେକ କରୋନା ସଂକ୍ରମିତ ବାହାରିଛନ୍ତି। ପିପିଲିରୁ ଫେରି ସେମାନେ ସଂକ୍ରମଣ ବିସ୍ତାର କରାଇଛନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରୁ ସାଙ୍ଗରେ ସଂକ୍ରମଣ ଧରି ଫେରିଥିବା ନେତା ପିପିଲି ଉପନିର୍ବାଚନ ପ୍ରଚାରରେ ବୁଲୁଥିଲେ। ସୁପର୍ ସ୍ପ୍ରେଡର୍ ସାଜି ସେ ସେଠି ସଂକ୍ରମଣ ବିସ୍ତାର କଲେ। ନିଜେ କୋଭିଡ୍ ପିଜେଟିଭ୍ ଚିହ୍ନଟ ହେଲେ। ନିଜେ ନିଜ ବ୍ୟବସ୍ଥାରେ କ୍ୱାରେଣ୍ଟାଇନରେ ଚିକିତ୍ସାଧୀନ ରହି ସୁସ୍ଥ ହୋଇଗଲେ। କିନ୍ତୁ, ନିଜେ ପିଜେଟିଭ୍ ଚିହ୍ନଟ ହୋଇଥିବା ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ କୋଭିଡ୍ ଟେଷ୍ଟ କରାଇ ନେବା ନେଇ କୌଣସି ସୂଚନା ନଦେଇ ନିଜ ଦଳର ସାଥି ମାନଙ୍କୁ ବିପଦ ମୁହଁକୁ ଠେଲି ଦେଲେ। ପିପିଲି ଉପନିର୍ବାଚନ ପ୍ରଚାରରେ ବୁଲୁଥିବା ଏକ ନିର୍ଦ୍ଦିଷ୍ଟ ଦଳର ଡଜନେ କେବଳ ମହିଳା କାର‌୍ୟ୍ୟକର୍ତ୍ତା କୋଭିଡ୍ ପିଜେଟିଭ୍ ଚିହ୍ନଟ ହୋଇଛନ୍ତି। କେତେ ଜଣ ଗୁରୁତ୍ୱର ଅବସ୍ଥାକୁ ଯାଇ ସୁସ୍ଥ ହୋଇ ଫେରିଛନ୍ତି। ଏବେ ବି କେତେ ଜଣ ଅସୁସ୍ଥ ଅଛନ୍ତି। ଏମିତିରେ ତ’ କଂଗ୍ରେସ ଦଳର ପାର୍ଥି ମୃତ୍ୟୁ ବରଣ କରିଛନ୍ତି, ସାଙ୍ଗରେ ତାଙ୍କ ମା’ ଙ୍କର ବି ଜୀବନ ଯାଇଛି। ପିପିଲି ଉପନିର୍ବାଚନରେ ବୁଲିଥିବା ପ୍ରାୟ ସବୁ ଦଳରୁ କୋଭିଡ୍ ପିଜେଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟାଏ ପରେ ଗୋଟାଏ ସାମ୍ନାକୁ ଆସୁଛି। ଏବେ ଅବଶ୍ୟ ପ୍ରଚାର କାର‌୍ୟ୍ୟ ଟିକେ ଧିମା ରହିଛି। କିନ୍ତୁ ୩ ତାରିଖ ପରେ ପୁଣି ସେଠାରେ ଡେରା ପଡ଼ିବାର ଯୋଜନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିନା ନିଜ ଦଳ ପ୍ରଚାର କରିବନି ବୋଲି ଘୋଷଣା କରିଛନ୍ତି। କିନ୍ତୁ, ଅନ୍ୟ ଦଳ କଥା କଣ ହେବ? ଏବଂ ସେମାନଙ୍କ ପ୍ରଚାର ଦେଖି ବିଜେଡି ବି କିଛି ତ’ କରିବ? ଏମିତିରେ କଂଗ୍ରେସ ନିର୍ବାଚନ ସ୍ଥଗିତ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ ରଖିଛି। ଅନ୍ୟ ଦଳର ଏପରି ଅନେକ ଅଛନ୍ତି, ଯେଉଁମାନେ କୋଭିଡ୍ ସଂକ୍ରମଣ ସ୍ଥିତିକୁ ଦେଖି ନିର୍ବାଚନ ସ୍ଥଗିତ ପାଇଁ ମନରେ ଚାହୁଁଛନ୍ତି। କିନ୍ତୁ, କିଛି ଜଣ ଏପରି ମଧ୍ୟ ଅଛନ୍ତି ଯାହାର କେବଳ ନିଜ ଆତ୍ମପ୍ରଚାର, ମଉଜମସ୍ତି ଏବଂ କିଛି ଅର୍ଥ ହଡ଼ପ ଲକ୍ଷରେ ନିର୍ବାଚନ ଚାହୁଁଛନ୍ତି। ସେ ଯାହା ହେଉ, ଆଜି ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ଏବଂ ସେଠାରୁ ସଂକ୍ରମଣ ବ୍ୟାପିବା ନେଇ ନିର୍ବାଚନ ଆୟୋଗ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୋଷାରୋପ କରାଯାଉଛି। ସୁପର୍ ସ୍ପ୍ରେଡର୍ ବୋଲି କୁହାଯାଉଛି। ଏଠି ଓଡ଼ିଶାରେ ସେହି ଭୁଲ୍ ନ’ହେଉ। ଓଡ଼ିଶାରେ ନିର୍ବାଚନ କମିଶନର ଏବଂ ନବୀନ ପଟ୍ଟନାୟକଙ୍କୁ ଦୋଷାରୋପ କରାନଯାଉ। ଏଠି ନିର୍ବାଚନ କମିଶନର ଏବଂ ନବୀନ ପଟ୍ଟନାୟକ ସମାଲୋଚିତ ନ’ହୁଅନ୍ତୁ। ଜୀବନର ମୂଲ୍ୟ ବୁଝି, ପିପିଲି ଉପନିର୍ବାଚନ ସ୍ଥଗିତ କରି ଦିଆଯାଉ।
/- ଦେବଦତ୍ତ ରଥ