Odiapua.com

ନିର୍ବାଚନୀ ପ୍ରଚାର କରୁଛନ୍ତି, ନାଁ ଫିଲ୍ମ ସୁଟିଂ କରୁଛନ୍ତି?

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ୩- ନମ୍ବର ଜୋନ୍ ଜିଲ୍ଲା ପରିଷଦ ଉପ- ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ଚାଲିଛି କ୍ୟାମ୍ପନିଂ। ତେବେ ବିଜେପି ପକ୍ଷରୁ ଚାଲିଥିବା କ୍ୟାମ୍ପନିଂ ସମୟରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟଟିକୁ ଦେଖିଲେ ବାସ୍ତବରେ ନିର୍ବାଚନୀ ପ୍ରଚାର ଚାଲିଛି ନାଁ କୌଣସି ଏକ ଫିଲ୍ମ ସୁଟିଂ ଚାଲିଛି ତାର ଭ୍ରମ ସୃଷ୍ଟି ହେଉଛି। ବିଜେପି ରାଜ୍ୟ ଉପାଧ୍ୟକ୍ଷା ତଥା ଢେଙ୍କାନାଳ ଜିଲ୍ଲା ପ୍ରଭାରୀ ପ୍ରଭାତୀ ପରିଡ଼ା, ରାଜ୍ୟ ସମ୍ପାଦିକା ପିଙ୍କି ପ୍ରଧାନ, ନିରୋଜ ନଳିନୀ ମାହାଲିକ, ସଂଘମିତ୍ରା ପ୍ରଧାନ, ବସନ୍ତ ମଞ୍ଜରୀ ପ୍ରଧାନ, ମମତା ସ୍ୱାଇଁ ଆଦି ନିର୍ବାଚନୀ ପ୍ରଚାରରେ ଲାଗି ପଡ଼ିଛନ୍ତି। ସବୁ ଠିକ୍ ଅଛି, କିନ୍ତୁ ଅଭିନେତ୍ରୀରୁ ନେତ୍ରୀ ସାଜିଥିବା ପିଙ୍କି ପ୍ରଧାନ ସବୁ ଅକଳିଆ କରିଦେଇଛନ୍ତି। ନିର୍ବାଚନୀ ପ୍ରଚାର ଭୂମିକୁ ସେ ବୋଧେ ସୁଟିଂ ସେଟ୍ ବୋଲି ଭାବି ନେଇଛନ୍ତି! ଜଣେ ପିଲା, ପୁଣି ନାବାଳକ ପିଙ୍କି ପ୍ରଧାନଙ୍କ ମୁଣ୍ଡ ଉପରେ ଛତା ଧରି ବୁଲୁଛି। ବୋଧହୁଏ ପିଙ୍କି ପ୍ରଧାନଙ୍କୁ ଖରା କାଟୁଛି! ତେବେ ସାଙ୍ଗରେ ଥିବା ପ୍ରଭାତୀ ପରିଡ଼ା ଏବଂ ଅନ୍ୟାନ୍ୟ ନେତ୍ରୀ ମାନଙ୍କୁ କ’ଣ ଖରା କାଟୁ ନାହିଁ କି? ନାଁ ନେତ୍ରୀ ହେଲେ କ’ଣ ହେଲା ପିଙ୍କି ଆଗ ଜଣେ ଅଭିନେତ୍ରୀ, ତେଣୁ ଚେହେରାର ଯତ୍ନ ତ’ ପ୍ରଥମେ ନେବାକୁ ପଡ଼ିବ ବୋଲି ଭାବୁଛନ୍ତି? ପିଙ୍କି ପ୍ରଧାନ ଜଣେ ଅଭିନେତ୍ରୀ ଆଉ ଏମିତିରେ ରାଜନୀତିରେ ପ୍ରବେଶ କରିଯାଇ ନାହାଁନ୍ତି। ସେ ଏବେ ବିଜେପି ରାଜ୍ୟ ସମ୍ପାଦିକା ଅଛନ୍ତି ଏବଂ ବଡ଼ କଥା ହେଲା ୨୦୧୯ ନିର୍ବାଚନରେ ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ସାରିଛନ୍ତି। ଜନସେବା ପାଇଁ ବାହାରିଥିବା ପିଙ୍କି ପ୍ରଧାନ ଦିନେ ବିଜେପୁର ଉପ- ନିର୍ବାଚନ ପ୍ରଚାର ସମୟରେ କାଖରେ ମାଠିଆ ଧରି ବୁଲୁଥିଲେ, ଆଉ ଆଜି ଜଣେ ନାବାଳକ ତାଙ୍କ ମୁଣ୍ଡ ଉପରେ ଛତା ଧରି ବୁଲୁଛି। ଏହାକୁ ନେଇ ସମାଲୋଚନାର ପାତ୍ର ହୋଇପାରନ୍ତି ପିଙ୍କି ଏବଂ ତାଙ୍କ ପାଇଁ ସମାଲୋଚିତ ହୋଇପାରେ ବିଜେପି।
/-Dr