Odiapua.com

ଆସାମ ଗସ୍ତର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାସ୍ଥଳ ପରିଦର୍ଶନ ସହ ସ୍ଥିତି ଅନୁଧ୍ୟାନ କଲେ ଧର୍ମେନ୍ଦ୍ର ପ୍ରଧାନ

– ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି
– ଆସାମର ମୁଖ୍ୟମନ୍ତ୍ରୀ ଏବଂ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀଙ୍କ ସହ କଲେ ଅନୁଧ୍ୟାନ

ଆସାମ, ଜୁନ ୧୪ (ଓଡ଼ିଆ ପୁଅ) – ଆସାମ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ରାଜ୍ୟର ବାଗଜାନରେ ହୋଇଥିବା ତୈଳକୂପ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବା ପରେ ଆଜି ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ସମୀକ୍ଷା ମଧ୍ୟ କରିଛନ୍ତି। ସେହିପରି ଅଗ୍ନିକାଣ୍ଡ ଘଟଣାରେ ପ୍ରଭାବିତ ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସହାୟତା ଯୋଗଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା କରିବା ପାଇଁ ବାଗଜାନ ଅଗ୍ନିକାଣ୍ଡ ଘଟଣାସ୍ଥଳକୁ ପରିଦର୍ଶନ କଲି। ଏହି ଗସ୍ତରେ ଆସାମର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ରାଜ୍ୟର ପରିବହନ, ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀ ସାମିଲ ହୋଇଥିଲେ। ନିଆଁକୁ ଆୟତ କରିବା ଏବଂ ତୈଳକୂପକୁ ବନ୍ଦ କରିବା ପାଇଁ ଚାଲିଥିବା ପରିଚାଳନା କାର୍ଯ୍ୟକୁ ମଧ୍ୟ ଅନୁଧ୍ୟାନ କରିଥିବା ଶ୍ରୀ ପ୍ରଧାନ ଟ୍ୱିଟ୍ ଜରିଆରେ କହିଛନ୍ତି।

ଏହି ଅବସରରେ ଶ୍ରୀ ପ୍ରଧାନ ଅଏଲ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ରିଲିଫ କ୍ୟାମ୍ପରେ ଥିବା ବାଗଜାନ ତୈଳକୂପ ଅଗ୍ନିକାଣ୍ଡ ଘଟଣାର ପ୍ରଭାବିତ ପରିବାର ଲୋକଙ୍କୁ ଭେଟିଥିଲେ। ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ପ୍ରଧାନ ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେମାନଙ୍କ ଜୀବନଜୀବିକାକୁ ପୁନଃସ୍ଥାପିତ କରିବା ପାଇଁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ଏହବ୍ୟତିତ ଶ୍ରୀ ପ୍ରଧାନ ବାଗଜାନ ଗାଁ ମିଲନଜ୍ୟୋତି ଯୁବ ସଂଘକୁ ଭେଟି ସେମାନଙ୍କ ସହ ବିଚାରବିମର୍ଷ କରିବା ପରେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହୟତା ଦେବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ଉଲ୍ଲେଖନୀୟ ଯେ, ଗତକାଲି ଶ୍ରୀ ପ୍ରଧାନ ଆସାମ ରାଜ୍ୟକୁ ଗସ୍ତ କରିବା ସହ ସେଠାକାର ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୱାଲ ଏବଂ ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ଏହି ତୈଳକୂପ ଅଗ୍ନିକାଣ୍ଡ ଘଟଣାର ବର୍ତମାନ ସ୍ଥିତି ଉପରେ ସମୀକ୍ଷା କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ସେଠାରେ ସ୍ଥିତିକୁ ନିୟନ୍ତ୍ରଣ କରିବା ତଥା କ୍ଷତି ଅଧିକ ନହେବା ପାଇଁ ବିଶେଷଜ୍ଞଙ୍କ ପକ୍ଷରୁ ପରିଚାଳନା କାର୍ଯ୍ୟ ଯୋରସୋରରେ ଚାଲିଛି। କମ୍ପାନୀର ଅଧିକାରୀମାନେ ୨୪ ଘଂଟା କାର୍ଯ୍ୟ କରୁଛନ୍ତି। ଲୋକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପ୍ରତିଶ୍ରୁତିବଦ୍ଧ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।