Odiapua.com

ଜାମ୍ମୁ-କାଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ଏବଂ ଲଗାଯାଇଥିବା ପ୍ରତିବନ୍ଧକ ବିରୁଦ୍ଧରେ ଯାଚିକାଗୁଡ଼ିକ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି

ନୂଆ ଦିଲ୍ଲୀ ୧୬-୯ (ଓଡ଼ିଆ ପୁଅ) ସୁପ୍ରୀମ କୋର୍ଟରେ ସୋମବାରଦିନ ଅନୁଚ୍ଛେଦ ୩୭୦ ହଟାଯିବା, ରାଷ୍ଟ୍ରପତି ଶାସନର ବୈଧତା ଏବଂ ରାଜ୍ୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଉପରେ ହୋଇଥିବା ଯାଚିକାଗୁଡ଼ିକ ଉପରେ ଶୁଣାଣି ହେବ। ଏହା ମଧ୍ୟରେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କର ଯାଚିକା ମଧ୍ୟ ଅଛି, ଯେଉଁଥିରେ ସେ କାଶ୍ମୀରରେ ନିଜର ପରିଜନମାନଙ୍କ ସହିତ ମିଶିବା ପାଇଁ ଅନୁମତି ମାଗିଛନ୍ତି। ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ, ବିଚାରପତି ଏସଏ ବୋବଡେ ଏବଂ ବିଚାରପତି ଏସ ଅବ୍ଦୁଲ ନଜୀରଙ୍କର ଖଣ୍ଡପୀଠ ଏହି ଯାଚିକାଗୁଡ଼ିକ ଉପରେ ଶୁଣାଣି କରିବେ। ଅନୁଚ୍ଛେଦ ୩୭୦ ହଟା ଯିବା ପରେ ଆଜାଦ, ଦୁଇଥର କାଶ୍ମୀର ଗସ୍ତ କରିବାପାଇଁ ଚେଷ୍ଟା କରିସାରିଛନ୍ତି, କିନ୍ତୁ ତାଙ୍କୁ ଏୟାରପୋର୍ଟରୁ ଫେରାଇ ଦିଆଯାଇଛି।

ଏହି ଯାଚିକା ଗୁଡ଼ିକ ମଧ୍ୟରୁ ଗୋଟିଏ ସଜ୍ଜାଦ ଲୋନଙ୍କର ପାର୍ଟୀ ଜାମ୍ମୁ-କାଶ୍ମୀର ପିପୁଲ୍ସ କନ୍ଫ୍ରେଂସର ମଧ୍ୟ ଅଛି, ଯେଉଁଥିରେ ସେ ଅନୁଚ୍ଛେଦ ୩୭୦ ହଟାଯିବାକୁ ଚ୍ୟାଲେଞ୍ଜ କରିଛନ୍ତି। ବାଳ ଅଧିକାର କାର୍ଯ୍ୟକର୍ତ୍ତା ଏନାକ୍ଷୀ ଗାଂଗୁଲୀ ଏବଂ ପ୍ରଫେସର ଶାନ୍ତା ସିହ୍ନା ମଧ୍ୟ ଶିଶୁଙ୍କୁ ନଜରବନ୍ଦୀ କରିବାକୁ ନେଇକରି ଏକ ଯାଚିକା ଦାଖଲ କରିଛନ୍ତି।

ରାଜ୍ୟସଭା ସାଂସଦ ଏବଂ ଏମଡିଏମକେ ସଂସ୍ଥାପକ ବାଇକୋଙ୍କର ଯାଚିକା ମଧ୍ୟ ଶୁଣାଣି ପାଇଁ ସୂଚୀବଦ୍ଧ ଅଛି। ଯେଉଁଥିରେ ସେ ଏହି ମାମଲାରେ କେନ୍ଦ୍ରକୁ ଦିଶାନିର୍ଦେଶ ଦେବାପାଇଁ ଦାବୀ କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତିଯେ, ନଜରବନ୍ଦୀ ରହିଥିବା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବ୍ଦୁଲ୍ଲାଙ୍କୁ କୋର୍ଟ ସମ୍ମୁଖରେ ହାଜର କରାଯାଉ ଏବଂ ତାଙ୍କୁ ଶାନ୍ତିପୂର୍ଣ୍ଣ ଏବଂ ଲୋକତାନ୍ତ୍ରିକ ସମ୍ମୀଲନୀରେ ଭାଗ ନେବାପାଇଁ ଅନୁମତି ଦିଆଯାଉ। ଏହା ବ୍ୟତୀତ, ମାକପା ନେତା ସୀତାରାମ ୟେଚୁରୀ ଏବଂ କାଶ୍ମୀର ଟାଇମ୍ସର ସଂପାଦକ ଅନୁରାଧା ଭସୀନଙ୍କର ମଧ୍ୟ ଯାଚିକା ଅଛି।