Odiapua.com

ଗ୍ରାଉଣ୍ଡ ଜିରୋରୁ ପାଟକୁରା

ଭୁବନେଶ୍ୱର ୧୫-୭ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଆସନ୍ତା ୨୦ ତାରିଖ ଦିନ ପାଟକୁରା ନିର୍ବାଚନ ଅନୁଷ୍ଠିତ ହେଉଛି। ୨୪ ତାରିଖରେ ଭୋଟ ଗଣତି। କିଛି ନିୟମିତ ଖବର ସଂଗ୍ରହ କରିବା ପାଇଁ ଆଜି ଏହି ସାମ୍ବାଦିକ ଜଣକ ପାଟକୁରା ଗସ୍ତ କରିଥିଲେ। ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ ଗସ୍ତ କରିବା ପରେ ନିଜସ୍ୱ ଅଭିବ୍ୟକ୍ତିକୁ ଏଠାରେ ପ୍ରକାଶ କରୁଛୁ। ପ୍ରତିଦ୍ୱନ୍ଦୀ ମୂଳକ ନିର୍ବାଚନର କୌଣସି ସ୍ପଷ୍ଟ ଚିତ୍ର ପାଟକୁରାରେ ପରିଲକ୍ଷିତ ହେଲା ନାହିଁ। ଲାଗିଥିଲା ସତେ ଯେପରି ପାଟକୁରାବାସୀ ଓ ଓଡ଼ିଶା ବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ପ୍ରସ୍ତୁତ ହୋଇଛି ଏକ ରଙ୍ଗମଞ୍ଚ। ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନୋଟି ବ୍ଲକ ମଧ୍ୟରୁ ଡେରାବୀଶ ବ୍ଲକରେ ଅଛି ୨୭ଟି ଗ୍ରାମ ପଞ୍ଚାୟତ। ଗରଦପୁର ବ୍ଲକରେ ଅଧିନରେ ଅଛି ୧୮ଟି ଗ୍ରାମ ପଞ୍ଚାୟତ ଏବଂ ମାର୍ଶାଘାଇ ବ୍ୟକ ଅଧିନରେ ଅଛି ୭ଟି ଗ୍ରାମ ପଞ୍ଚାୟତ। ଗରଦପୁର ବ୍ଲକ ହେଉଛି ସେଠାକାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କର ନିଜସ୍ୱ ଘର। ବାକି ରହିଲା ମାର୍ଶାଘାଇ ଓ ଡେରାବିଶ୍। ମାର୍ଶାଘାଇ ବ୍ଲକର ଭୋଟରଙ୍କ ନିଷ୍ପତ୍ତି ବିଜୟ ମହାପାତ୍ରଙ୍କର ସପକ୍ଷରେ ଯିବ ବୋଲି ଖବର ସଂଗ୍ରହ ବେଳେ ଜଣାପଡ଼ିଥିଲା। ତେଣୁ ଗରଦପୁର ବ୍ଲକ ଓ ମାର୍ଶାଘାଇ ବ୍ଲକ ଭୋଟରଙ୍କର ପସନ୍ଦ ହେଉଛନ୍ତି ବିଜୟ ମହାପାତ୍ର। ଏହି ଦୁଇ ବ୍ଲକର ଭୋଟର ବିଜେଡ଼ି ଓ ବିଜେପିର ଟେବୁଲ ତଳ ସମ୍ପର୍କକୁ ଏତେଟା ଗୁରୁତ୍ତ୍ୱ ଦେଉନାହାଁନ୍ତି। ଯାହା ଏହି ଦୁଇ ଦଳର ମିଳିତ ନିଷ୍ପତ୍ତିକୁ ଏକ ବହୁତ ବଡ଼ ଝଟକା ହୋଇପାରେ। ବାକି ରହିଲା ଡେରାବିଶ୍ ବ୍ଲକ । ଏହି ବ୍ଲକରୁ ଯେଉଁ ଦଳ ଆଗୁଆ ରହିବ ସେହି ହେବ ପାଟକୁରାର ବିଜେତା। ସେଥିପାଇଁ ଏହି ବ୍ଲକର ଦାୟୀତ୍ତ୍ୱରେ ଅଛନ୍ତି ବିଜେଡ଼ିର ଚାଣକ୍ୟ ଓ ଯୁବମନ୍ତ୍ରୀ ଅରୁଣ ସାହୁ। ଏହି ବ୍ଲକରୁ ବିଜେଡ଼ି ଆଗୁଆ ରହିବାଟା ନିଶ୍ଚିନ୍ତ। ମାତ୍ର ବ୍ୟବଧାନର ମାତ୍ରା ଅଧିକା ହେଲେ ଏହା ମାର୍ଶାଘାଇ ଓ ଗରଦପୁର ବ୍ଲକର ବ୍ୟବଧାନକୁ ସମତୁଳ କରିବ। ଏହା ହେଉଛି ପାଟକୁରା ନିର୍ବାଚନ ମଣ୍ଡଳୀର ସମ୍ପୂର୍ଣ୍ଣ ରୂପରେଖ। ପରିସ୍ଥିତି ଏପରି ହୋଇଛିଯେ, ବିଜେପି-ବିଜେଡ଼ିର ମିଳିତ ଗଣନାଟ୍ୟକୁ ଏଠାରେ ଭୋଟର ବୁଝିପାରୁ ନାହାଁନ୍ତି। ଏହି କାରଣ ହିଁ ବିଜେଡ଼ି ପାଇଁ ସାଜିଛି ମୁଣ୍ଡବ୍ୟଥା। ଆସନ୍ତା ୧୭ କିମ୍ବା ୧୮ ତାରିଖ ଦିନ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ପାଟକୁରା ଗସ୍ତରେ ଯିବାର ଅଛି। ତାଙ୍କ ଗସ୍ତ ଏ ପର୍ଯ୍ୟନ୍ତ ଚୁଡ଼ାନ୍ତ ହୋଇନାହିଁ। ଯଦି ଦୁଇ ଦିନ ଭିତରେ ଶତ ପ୍ରତିଶତ ସଫଳତାର ଖବର ନଆସେ ତେବେ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପାଟକୁରା ଗସ୍ତ କରିବେ। ପାଟକୁରାରେ ବିଜୟ ମହାପାତ୍ରଙ୍କୁ ହରାଇବା ପାଇଁ ସମସ୍ତ ପ୍ରକାର ପ୍ରାକ ପ୍ରସ୍ତୁତି ବିଜେଡ଼ି ଓ ବିଜେପି ତରଫରୁ ପ୍ରସ୍ତୁତ କରାଯାଇ ସାରିଛି। ଏଥିପାଇଁ ସମସ୍ତ ପ୍ରକାର ଡିଲ୍ ମଧ୍ୟ ସରିଛି। ମାତ୍ର ଗରିବ ଭୋଟରଙ୍କ ମାନସିକତାକୁ ଏହି ଦୁଇ ଦଳ ପରଖି ଏକ ନିର୍ଦ୍ଧିଷ୍ଟ ସିଦ୍ଧାନ୍ତରେ ଉପନୀତ ହୋଇପାରୁ ନାହାଁନ୍ତି। ବିଭିନ୍ନ ଗଣ ମାଧ୍ୟମରେ ଯାହା ଖବର ପ୍ରକାଶ ପାଉଛି ବିଜେଡ଼ିର ଏବଂ ବିଜେପିର ତୁଙ୍ଗ ନେତାମାନେ ପାଟକୁରାରେ ଡେରା ପକାଇଛନ୍ତି ମାତ୍ର ସ୍ପଷ୍ଟ ଚିତ୍ର ଯାହା ମିଳିଲା ଏହା ହେଉଛି ଦୁଇ ଦଳର ନେତା ମାନଙ୍କର ସମୟ ଉପଯୋଗୀ ରଙ୍ଗମଞ୍ଚର ଅଭିନୟ। ଡେରାବିଶ୍ ବ୍ଲକର ଦୁଇ ତିନୋଟି ଗ୍ରାମ ପଞ୍ଚାୟତରେ ମନ୍ତ୍ରୀ ଅରୁଣ ସାହୁଙ୍କୁ କର୍ମୀ ସମ୍ମୀଳନୀ କରିବାର ଦେଖାଯାଇଥିଲା। ସମ୍ପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ବିଜେପିର ଗୋଟିଏ ଏକମାତ୍ର ରାଲି ଦୃଷ୍ଟିଗୋଚର ହୋଇଥିଲା। ବିଜେପିର ଏହି ରାଲିରେ ପାଖାପାଖି ୫୦ ରୁ ୬୦ କର୍ମୀ ଏବଂ ବିଜେପିର ଗୋଟିଏ ପ୍ରଚାର ଗାଡ଼ି ଦୃଷ୍ଟି ଗୋଚର ହୋଇଥିଲା। ଏହି ସାମ୍ବାଦିକଙ୍କର ଚାରିଚକିଆ ଯାନ ଯେଉଁ ସମୟରେ ଏହି ରାଲିକୁ ଅତିକ୍ରମ କରିଥିଲା ସେହି ସମୟରେ ବିଜେପି ରାଲିରେ ଯାଉଥିବା ଅଧିକାଂଶ କର୍ମୀ ସାମ୍ବାଦିକଙ୍କର ଚତୁର୍ପାର୍ଶ୍ୱ ଘେରିଯାଇ ନବୀନ ପଟ୍ଟନାୟକ ଡାଉନ୍ ଡାଉନ୍ ସ୍ଲୋଗାନ ଦେଇଥିଲେ। ଏ ସାମ୍ବାଦିକ ଜଣକ ଅନୁଭବ କିଥିଲେଯେ ଏ ସମସ୍ତ ବିଜେପି ତଥା କଥିତ ବିଜେପି କର୍ମୀ ମଦ ପିଇ ଚୁର୍। ତେଣୁ କୌଣସି ପ୍ରତିରୋଧକୁ ଉଚିତ୍ ମନେ କଲେ ନାହିଁ ଏହି ଲେଖକ। କଂଗ୍ରେସର କୌଣସି ଚିହ୍ନ ବର୍ଣ୍ଣ ଦୃଷ୍ଟି ଗୋଚର ହୋଇପାରିଲା ନାହିଁ ସମ୍ପୂର୍ଣ୍ଣ ପାଟକୁରା ନିର୍ବାଚନ ମଣ୍ଡଳୀରେ। ନିର୍ବାଚନ ତ ୨୦ ତାରିଖରେ ହେବ। ମାତ୍ର ଏକ ଅନିଶ୍ଚିତତା ଫଳକୁ ନେଇ ଦ୍ୱନ୍ଦ୍ୱରେ ବିଜେପି ଓ ବିଜେଡ଼ି।