Odiapua.com

ପରିବର୍ତ୍ତନ ସମାବେଶ: କେଉଁ ପରିବର୍ତ୍ତନ ରାଜ୍ୟ ସରକାର ନାଁ, ବିଜେପି ନେତୃତ୍ୱ ପରିବର୍ତ୍ତନ?

ଭୁବନେଶ୍ୱର: ଆଜି ଯାଜପୁର ଜିଲ୍ଲା ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ବିଜେପି ପକ୍ଷରୁ ଆୟୋଜିତ ହେଉଛି ଏକ ସମାବେଶ। ବିଂଝାରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରୀତିପୁର କୀର୍ତ୍ତନ ପଡ଼ିଆରେ ଦିନ ପ୍ରାୟ ୧୨ଟା ସମୟରେ ଆୟୋଜିତ ହେବ ଏହି ସମାବେଶ। ଯେଉଁଥିରେ ମୂଖ୍ୟ ଅତିଥି ଭାବରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସମାବେଶର ନାଁ’ ରହିଛି ପରିବର୍ତ୍ତନ ସମାବେଶ। ବିଂଝାରପୁର ନିର୍ବାଚନ ମଣ୍ଡଳୀରେ ଦୁର୍ନୀତିର ବିଲୋପ ଏବଂ ପ୍ରଗତିର ଆରମ୍ଭ ପାଇଁ ଏହି ପରିବର୍ତ୍ତନ ସମାବେଶ ବୋଲି ବ୍ୟାନରରେ ଉଲ୍ଲେଖ ଥିଲେ ମଧ୍ୟ ବାସ୍ତବରେ ଏଠି କେଉଁ ପରିବର୍ତ୍ତନ କଥା କୁହାଯାଇଛି? ନେଇ ମନରେ ଏକ ଶଙ୍କା ସୃଷ୍ଟି ହେଉଛି! ଓଡ଼ିଶା ବିଜେପିରେ ଯେଉଁଠି ଯାହା କାର୍ଯ୍ୟକ୍ରମ ହେଲେ ସେଠାରେ ଲାଗିଥିବା ପୋଷ୍ଟର, ବ୍ୟାନରରେ ଓଡ଼ିଶା ବିଜେପିର ମୁଣ୍ଡିଆଳ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ପ୍ରାଥମିକତା ଦେଇ ରହିଥାଏ। କିନ୍ତୁ, ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମ ଗୁଡ଼ିକରେ ଧର୍ମେନ୍ଦ୍ରଙ୍କୁ ସେମିତି ଗୁରୁତ୍ୱ ଦେଇ ତାଙ୍କ ଫଟୋ ରହିନଥାଏ। ଏବେ ବିଂଝାରପୁରରେ ଆୟୋଜିତ ହେବାକୁ ଯାଉଥିବା ସମାବେଶ ବ୍ୟାନରରେ ସେହିପରି ଦେଖାଯାଇଛି। ଅନ୍ୟାନ୍ୟ ଦୁଇ ମନ୍ତ୍ରୀଙ୍କ ପରି ଧର୍ମେନ୍ଦ୍ରଙ୍କ ଫଟୋ ସାଧାରଣ ଭାବରେ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା କ୍ଷେତ୍ରିୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଫଟୋ ପ୍ରାଥମିକତା ଦେଇ ଉପରେ ଏବଂ ତଳେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ଫଟୋ ଗୁରୁତ୍ୱ ଦେଇ ରହିଛି।ସେହିପରି ଏହି କାର୍ଯ୍ୟକ୍ରମ ପାଇଁ ଅପରାଜିତା ତାଙ୍କ ସୋସିଆଲ୍ ଆକାଉଣ୍ଟରେ ପୋଷ୍ଟ୍ କରିଥିବା ପୋଷ୍ଟରରେ ମୋଦୀ, ଶାହା, ନଡ୍ଡା ଏବଂ ମନମୋହନଙ୍କ ସମେତ ଅପରାଜିତାଙ୍କ ଫଟୋ ରହିଛି। ଓଡ଼ିଶା ବିଜେପିରେ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଟୁକାର ଗୋଷ୍ଠୀଙ୍କ କହିବା ଅନୁଯାୟୀ ଓଡ଼ିଶାରେ ବିଜେପି ମାନେ ଧର୍ମେନ୍ଦ୍ର, ଧର୍ମେନ୍ଦ୍ର ମାନେ ବିଜେପିର ଏଠି କିଛି ମୂଲ୍ୟ ନାହିଁ। ତେଣୁ ଏହି ପରିବର୍ତ୍ତନ ସମାବେଶ ଦ୍ୱାରା କେବଳ ରାଜ୍ୟ ସରକାର ପରିବର୍ତ୍ତନ ନାଁ ତା’ ପୂର୍ବରୁ ରାଜ୍ୟ ବିଜେପିର ନେତୃତ୍ୱ ପରିବର୍ତ୍ତନ ଦେଇ ସଙ୍କେତ ଦିଆଯାଇଛି ବୋଲି ମନରେ ପ୍ରଶ୍ନ ଉଠୁଛି!
-/Dev@DRath