Odiapua.com

ମହା-ପଞ୍ଚୁକ ବ୍ରତ ଆରମ୍ଭ

ପୁରୀ, ୨୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଶ୍ରୀକ୍ଷେତ୍ର ତଥା ପୁର ପଲ୍ଲୀରେ ପଞ୍ଚୁକ ବ୍ରତ ଆରମ୍ଭ ହୋଇଛି। ବ୍ରତଚାରୀଣୀମାନେ ଆଜି ଭୋରରୁ ବିଭିନ୍ନ ତୀର୍ଥ ପୁଷ୍କୋରଣୀ ଓ ସମୁଦ୍ରରେ ଶୁଦ୍ଧପୁତ୍ତ ଭାବେ ସ୍ନାନ କରି ପତିତପାବନଙ୍କୁ ଦର୍ଶନ କରିଥିଲେ। ବ୍ରତଚାରୀଣୀମାନେ ଚଉରାମୂଳେ ସଂକଳ୍ପ କରି ବ୍ରାହ୍ମଣଙ୍କୁ ଗୁଆଟେକି ଏହିବ୍ରତ ଆରମ୍ଭ କରିଛନ୍ତି। ଚଉରାମୂଳେ ବ୍ରତଚାରୀଣୀମାନେ ମୁରୁଜରେ ରାଇଦାମୋଦର ବେଶ ଅଙ୍କନକରି ପୂଜା ଅର୍ଚ୍ଚନା କରିବା ସହ ମା’ ବୃନ୍ଦାବତୀଙ୍କୁ ଭୋଗ ଲଗାଇଥିଲେ। ବ୍ରତଚାରୀଣୀମାନଙ୍କର ଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ୱନିରେ ଉକ୍ତ ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା ଏବଂ ଆଜି ସହରରେ ଏକ ଆଧ୍ୟାତ୍ମିକ ମାହୋଲ ସୃଷ୍ଟି ହୋଇଥିଲା। ଶ୍ରୀମନ୍ଦିରକୁ ପ୍ରବେଶ ବାରଣ ଥିବା ଯୋଗୁଁ ଭକ୍ତମାନେ ଆଜି ମହାପ୍ରଭୁଙ୍କ ଠିଆକିଆ ବେଶ ବା ଲକ୍ଷ୍ମୀ-ନାରାୟଣ ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ। ଆସନ୍ତା କାଲି ମହାପ୍ରଭୁଙ୍କର ବାଙ୍କଚୂଡ଼ା ବେଶ ପରେ ଶୁକ୍ରବାର ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ, ଶନିବାର ତ୍ରିବିକ୍ରମ ବେଶ, ରବିବାର ଲକ୍ଷ୍ମୀ-ନୃସିଂହ ବେଶ ଓ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ରାଜରାଜେନ୍ଦ୍ର ବେଶରେ ସଜ୍ଜିତ ହେବେ। କିନ୍ତୁ, କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ଶ୍ରଦ୍ଧାଳୁ ଭକ୍ତ ମହାପ୍ରଭୁଙ୍କର ଏହିସବୁ ବେଶ ଦର୍ଶନରୁ ବଞ୍ଚିତ ହେବେ।