Odiapua.com

ପଖାଳ ଓ ରୋଗ ପ୍ରତିରୋଧକ ଶକ୍ତି

ଗରିବ ର ଭାତ ହାଣ୍ଡିରୁ ଆରମ୍ଭ କରି ସୌଖିନ ହୋଟେଲ ପର୍ଯ୍ୟନ୍ତ ସବୁଠି ରହିଛି ପଖାଳ ର ଚାହିଦା। ଆସାମ କୃଷି ବିଶ୍ୱବିଦ୍ୟାଳୟର ମଧୁମିତା ବରୁଆ ଓ ଗୁଣଜିତ ଗୋସ୍ୱାମୀଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ରୁ ମଧ୍ୟ ପଖାଳ ରେ ଥିବା ଉପାଦେୟତା ବିଷୟରେ ସୂଚନା ମିଳେ। ଏବେ ଗବେଷଣାରୁ ଜଣାପଡ଼ିଛି ଯେ ପଖାଳ ଖାଇଲେ ଖାଲି ଆନନ୍ଦ ମିଳେନା, ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବି ବଢ଼ାଇଥାଏ। ଯାହା ଓଡ଼ିଶା ଲୋକଙ୍କ ପଖାଳ ଖିଆ ଅଭ୍ୟାସକୁ ଆହୁରି ଉତ୍ସାହିତ କରିଛି। ଭୁବନେଶ୍ୱର ଏମ୍ସର ମାଇକ୍ରୋବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି. ରାମାଦାସ ‘ପଖାଳ’ ଉପରେ ଗବେଷଣା କରି ଜାଣିବାକୁ ପାଇଛନ୍ତି, ଯେ ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ। ବିଭିନ୍ନ ସ୍ଥାନରୁ ପଖାଳ ନମୁନା ସଂଗ୍ରହ କରାଯାଇ ଗବେଷଣା କରାଯିବା ପରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି। ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଏଥିରେ ଲାକ୍ଟୋ-ବାସିଲସ ନାମକ ଜୀବାଣୁ ସୃଷ୍ଟି ହୋଇଥାଏ, ଯାହା ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ। ପଖାଳରେ ପ୍ରଚୁର ପରିମାଣରେ ଭିଟାମିନ-ବି ୧୨, ଭିଟାମିନ-କେ ରହିଛି। ଗବେଷଣାରୁ ଜଣାପଡିଛି ଯେ ଜଣେ ଦିନକୁ ଅଧ ଲିଟର ବା ୫ ଶହ ମିଲିଲିଟର ତୋରାଣି ପିଇଲେ, ଏହା ଶରୀର ପାଇଁ ହିତକର। କିନ୍ତୁ ହୋଟେଲରେ ପ୍ରସ୍ତୁତି କରାଯାଉଥିବା ପଖାଳ ନୁହେଁ ବରଂ ଘରେ ରାତିରେ କରାଯାଇଥିବା ପଖାଳ, ଶରୀର ପାଇଁ ଅଧିକ ହିତକର ଅଟେ। ତେବେ ଏ ନେଇ ଅଧିକ ଗବେଷଣା ଜାରି ରହିଛି। ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ତେଣୁ ଏଭଳି ତଥ୍ୟ ଓଡ଼ିଶାବାସୀ ଙ୍କ ପାଇଁ ଏକ ଖୁସି ଖବର.

୧୯୯୫ ମସିହାରେ ମୁ କେନ୍ଦ୍ରାପଡା ମହାବିଦ୍ୟାଳୟରେ ପଢୁଥାଏ, ପଟ୍ଟାମୁଣ୍ଡାଇ ରୁ କେନ୍ଦ୍ରାପଡା ଆସି ପ୍ରତିଦିନ କ୍ଲାସ ରେ ଯୋଗଦେବା ପାଇଁ ଟ୍ରେକର ର ସାହାରା ନେବାକୁ ପଡୁଥିଲା। ସେତେବେଳେ ରାସ୍ତା ର ଯାହା ଅବସ୍ଥା ପୁଣି ଟ୍ରେକର ରେ ଯାତ୍ରୀ ମାନଙ୍କ ର ଯେମିତି ଭିଡ ରହୁଥିଲା ତାହା ନକହିବା ଭଲ। ଖରାଦିନ ହୋଇଥାଏ, ସେଦିନ କ୍ଲାସ ସାରି ପଟ୍ଟାମୁଣ୍ଡାଇ ରେ ପହଁଚିଲା ପରେ ଦେହ ଭଲ ଲାଗିଲାନି, ଅସୁସ୍ଥତା ଅନୁଭବ କଲି। ଘରେ କହିଲେ ଖରା ଦିନଟା ପୁଣି ଟ୍ରେକର ରେ ଭିଡରେ ଆସିଛୁ, ପଖାଳ ତୋରାଣି ଟିକେ ପିଇଦେ ଭଲ ଲାଗିବ। କିନ୍ତୁ ସେତେବେଳେ ମୋର ପଖାଳ ପ୍ରତି ଏତେ ଆଗ୍ରହ ନଥଏ। ତଥାପି ବୋଉ ର କଥା ମାନି ତୋରାଣି ପିଇଦେବାର କିଛି ସମୟ ପରେ ବହୁତ ଭଲ ଲାଗିଲା। ସେହି ଘଟଣା ପର ଠାରୁ ପଖାଳ ପ୍ରେମ ରେ ପଡିଯିବା ସ୍ୱାଭାବିକ ଆଉ ଖରାଦିନ ଆସିଲେ ବେଶି ମନେ ପଡ଼େ ପଖାଳ କଥା। ପଖାଳ ଖାଇ କି କ୍ଲାସ ରେ ଶୋଇପଡ଼ିଲା ବେଳେ ସାର ଙ୍କ ଠାରୁ ଗାଳି ଶୁଣିବା ଆଉ ଏକ ଉପାଖ୍ୟାନ।

ପଖାଳ ଓଡ଼ିଆ ଶବ୍ଦ ପଖାଳିବା/ପଖାଳିତ ରୁ ଆସିଛି ଯାହାର ଅର୍ଥ ଧୋଇବା। ଭାତକୁ ଧୋଇ ସେଥିରେ ପାଣି ମିଶାଇ ପ୍ରସ୍ତୁତି କରାଯାଏ ତେଣୁ ଏହାର ନାମ ପଖାଳ। ପଖାଳ ହେଉଛି ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ। ଅନେକ ହୁଏତ ପଖାଳ ଖାଈନଥିବେ କିନ୍ତୁ ପଖାଳ ଆମ ପାଇଁ କେତେ ଯେ ଉପକାରୀ ତାହା କେଉଁଠି ନା କେଉଁଠି ଶୁଣିଥିବେ କିମ୍ବା ପଢିଥିବେ ନିଶ୍ଚୟ। ବାସି ପଖାଳ ରୁ ଶରୀରକୁ ଶକ୍ତି ମିଳିଥାଏ ଓ ଦିନସାରା ବ୍ୟସ୍ତ ରହିଲେ ବି ଦୁର୍ବଳ ଲାଗେନା। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଵିଶେଷଜ୍ଞମାନେ ଅଧିକ ଜଳୀୟାଂଶ ଥିବା ଖାଦ୍ୟ ଖାଇବାକୁ ପ୍ରସ୍ତାବ ଦେଇଥାନ୍ତି ଯାହାକି ଯେଉଁଥିରେ ପଖାଳ ହେଉଛି ପ୍ରମୁଖ। ଆମର ଏହି ପାରମ୍ପରିକ ଖାଦ୍ୟ ଯୋଗୁଁ ଅନେକାଂଶରେ ଅଂଶୁଘାତକୁ ମଧ୍ୟ ପ୍ରତିରୋଧ କରିହେଉଛି। ତେଣୁ ଖରାଦିନେ ପଖାଳ ଆମ ପାଇଁ ଏକ ବରଦାନ ସଦୃଶ।

ଧନୀ ଗରିବ ସମସ୍ତଙ୍କ ର ପ୍ରିୟ ପଖାଳ। ପଖାଳ ଏକ ଏମିତି ଖାଦ୍ୟ, ଲୁଣ ଓ ଲଙ୍କାଟିଏ ସହିତ ମଧ୍ୟ ଖାଇ ହେଇଯାଏ। ପଖାଳ ସହ ଚୂନା ମାଛ ଓ ପରିବାପତ୍ର ଭଜା ଖାଇବାରେ ଆନନ୍ଦ ମିଳେ। ଆଉ ଯଦି ବସା ଦହି ଟିକେ ପଖାଳରେ ମିଶିଯାଏ, ତେବେ ଖାଇବାରେ ମଜା ଆସିଯାଏ। ପଖାଳ ସହିତ ଲୋକମାନେ ବିଭିନ୍ନ ପ୍ରକାରର ଚଟଣି ଯଥା ଧନିଆ, ନଡ଼ିଆ, ପୁଦିନା, ଆମ୍ବ, କରମଙ୍ଗା, ତେନ୍ତୁଳି ଓ ଆମ୍ବୁଲ ଖାଇବାକୁ ପସନ୍ଦ କରିଥାନ୍ତି। ପଖାଳ ସହିତ ସୁନୁସୁନିଆ, ଲେଉଟିଆ, କୋଶଳା, ମଦରଙ୍ଗା, ସଜନା, କଳମ ଆଦି ବିଭିନ୍ନ ପ୍ରକାରର ଶାଗଭଜା, ପଖାଳର ସ୍ବାଦକୁ ବଢ଼ାଇ ଦେଇଥାଏ। ପଖାଳକୁ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ଓଡ଼ିଶାରେ ପାଳନ କରାଯାଉଛି। ଏହି ଦିନ ରେ ଦେଶ ବିଦେଶରେ ଥିବା ଓଡ଼ିଆଙ୍କୁ ପଖାଳ ଖାଉଥିବା ଦେଖିବାକୁ ମିଳେ। ଆଜିକାଲି ଲୋକମାନେ ପଖାଳ ସହ ନାନାଦି ଓଡ଼ିଆ ବ୍ୟଞ୍ଜନ ଖାଇ ସାମାଜିକ ଗଣମାଧ୍ୟମ ରେ ଫଟୋ ଛାଡ଼ିବାକୁ ପସନ୍ଦ କରୁଛନ୍ତି ଯାହା କି ସୂଚେଇ ଦେଉଛି ପଖାଳ ସହିତ ଲୋକମାନଙ୍କ ର ଅତି ନିବିଡ ସମ୍ପର୍କ। ପ୍ରଥା ଅନୁସାରେ ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଆରମ୍ଭ ହୋଇଥାଏ ପଖାଳରୁ। ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ଶାଶୁ ବା ଭାଉଜଙ୍କଦ୍ୱାରା ଶାଳୀ ଓ କନ୍ୟାର ସାଙ୍ଗସାଥିମାନଙ୍କ ଗହଣରେ ଦହି-ପଖାଳ ଖାଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ପାଖରେ ପଖାଳ ଭୋଗ ଲାଗେ। ଖାଲି ଆମେ କାହିଁକି ଆମର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ବି ପଖାଳ ପ୍ରେମରେ। ପଖାଳ ଆମ ସଂସ୍କୃତି ଓ ପରମ୍ପରା ସହିତ ଅତି ନିବିଡ।

ସାଧାରଣତଃ ବର୍ଷା ଓ ଶୀତ ଦିନେ ଥଣ୍ଡା, କଫ ଆଦି ରୋଗ ବଢିବାର ସମ୍ଭାବନା ବେଶୀ ଥାଏ। ତେଣୁ ଏହି ରୋଗୀ ମାନଙ୍କୁ ପଖାଳ ଖାଇବାକୁ ବାରଣ କରାଯାଇଥାଏ। ଗତ କିଛି ଦିନ ତଳେ ପଖାଳ ରେ ରୋଗ ପ୍ରତିରୋଧକ ଶକ୍ତି ଅଛି ବୋଲି ବହୁଳ ଭାବରେ ପ୍ରଚାରିତ ହେବାପରେ ଲୋକ ମାନଙ୍କ ଭିତରେ ପଖାଳ ଖାଇବା ପାଇଁ ଯେମିତି ପ୍ରତିଯୋଗିତା ଚାଲିଛି। ସମସ୍ତେ ଏଠି ପଖାଳ ପ୍ରେମରେ। ତେଣୁ ବିଭିନ୍ନ ରୋଗରେ ପୀଡିତ ଲୋକଙ୍କ ଉପରେ ବାସି ତୋରାଣିର କ’ଣ ପ୍ରଭାବ ଅଛି ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ।

ଡଃ ଗଣେଶ ଚନ୍ଦ୍ର କୁଣ୍ଡ

ପଟାମୁଣ୍ଡାଇ, କେନ୍ଦ୍ରାପଡା