Odiapua.com

ପରୀ ପାଇଁ ପଦଯାତ୍ରା: ଯୋଗଦେବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ଭୁବନେଶ୍ୱର: ପରୀ ହତ୍ୟା ନେଇ ଚାଲିଥିବା ତଦନ୍ତ ପ୍ରକ୍ରିୟାକୁ ଆଦୌ ମାନିବାକୁ ନାରାଜ ବିଜେପି। ପରୀକୁ ନ୍ୟାୟ ଦେବା ଦାବୀରେ ତାର ଆନ୍ଦୋଳନ ଜାରୀ ରଖିଛି ବିଜେପି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ପ୍ରଥମେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ପରେ ଜିଲ୍ଲା ସ୍ତରରେ ବିକ୍ଷୋଭ ପ୍ରଦର୍ଶନ, ବିଧାୟକ ମାନେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେବା, ଭୁବନେଶ୍ୱରରେ ରାଜ୍ୟପାଳ ଭବନ ସମ୍ମୁଖରେ ପ୍ରତିବାଦ ସଭା, ମହିଳା ନେତ୍ରୀ ମାନେ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପୁଣି ଏକ ସ୍ମାରକ ପତ୍ର ଦେବା, ମହିଳା ମୋର୍ଚ୍ଚା ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ଘେରାଉ କରିବା, ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ସଭା କରିବା, ପଦଯାତ୍ରା କରିବା, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷାଙ୍କୁ ଭେଟି ଦାବୀ ପତ୍ର ଦେବା, ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କୁ ଦାବୀପତ୍ର ଦେବା ଏବଂ ଏଣେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଚାଲିଥିବା ବେଳେ ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପଦଯାତ୍ରା। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରୁ ଏହି ପଦଯାତ୍ରା ଆରମ୍ଭ ହୋଇ ପ୍ରାୟ ୧୦୦ କିଲୋମିଟର ଅତିକ୍ରମ କରି ୨୪ ତାରିଖରେ ଯାଇ ପହଞ୍ଚିବ ନୟାଗଡ଼ ଜିଲ୍ଲା ପରୀର ଗାଁ’ ଯଦୁପୁରରେ।


ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ପଦଯାତ୍ରାରେ ବିଜେପିର ଅନ୍ୟାନ୍ୟ ମୋର୍ଚ୍ଚା ଏବଂ ମୂଳ ବିଜେପି ସଙ୍ଗଠନର କାର୍ଯ୍ୟକର୍ତ୍ତା ଏବଂ ନେତୃତ୍ୱ ମାନେ ଯୋଗଦେବେ। ସେହିପରି ୨୦ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ଏହି ପଦଯାତ୍ରାରେ ଯୋଗଦେବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାନାଥି ଶ୍ରୀନିବାସନ୍। ଏଥିପାଇଁ ଭି. ଶ୍ରୀନିବାସନ୍ ଆଜି ସନ୍ଧ୍ୟାରେ ଆସି ଓଡ଼ିଶାରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏସ୍ଆଇଟି ତଦନ୍ତ ଉପରେ ଭରଷା ନକରି ତଦନ୍ତ ଭାର ସିବିଆଇକୁ ଦେବା, ଅଭିଯୁକ୍ତ ବାବୁଲି ନାୟକଙ୍କୁ ଗିରଫ କରିବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଜିଦିରେ ଅଟଳ ରହିବା ସହ ରାଜ୍ୟରେ ବୃଦ୍ଧି ପାଉଥିବା ଶିଶୁ ଅପହରଣ ବିରୋଧରେ ବିଜେପି ଏହି ଆନ୍ଦୋଳନ ଜାରୀ ରଖିଛି।
-@Dr