– ଲକଡାଉନ ସମୟରେ ଜନୌଷଧି କେନ୍ଦ୍ର ଠାବ କରିବାରେ ସହାୟକ ହେଉଛି ଏହି ଆପ
ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) କରୋନା ମହାମାରୀ ପରିପ୍ରେକ୍ଷୀରେ ଦେଶବ୍ୟାପୀ ଜାରି କରାଯାଇଥିବା ଲକଡାଉନ ସମୟରେ ଜନୌଷଧି ସୁଗମ ମୋବାଇଲ ଆପ ଲୋକଙ୍କୁ ବିଶେଷ ସାହାଯ୍ୟ କରୁଛି। ନିଜ ଘର ପାଖରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ର କେଉଁଠି ଅଛି ତାହା ଠାବ କରିବାରେ ଏହି ଆପ ସହାୟକ ହେଉଛି। ଏସବୁ ଜନୌଷଧି କେନ୍ଦ୍ରରୁ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି।
ଏବେ 3, 25, 000ରୁ ଅଧିକ ଲୋକ ଏହି ଜନୌଷଧି ସୁଗମ ମୋବାଇଲ ଆପ ବ୍ୟବହାର କରୁଛନ୍ତି ଓ ଏହା ସେମାନଙ୍କ ଆବଶ୍ୟକତା ପୂରଣ କରୁଛି। ଜୀବନକୁ ସହଜ ଓ ସୁଗମ କରିବାକୁ ସରକାର ନୂଆ ଟେକ୍ନୋଲଜିର ବ୍ୟବହାର ଏବଂ ପ୍ରସାର ଉପରେ ଗୁରୁତ୍ୱ ଦେଉଛନ୍ତି। ତଦନୁସାରେ ଏହି ନୂଆ ମୋବାଇଲ ଆପ ଜନୌଷଧି ଉପଭୋକ୍ତାଙ୍କ ପାଇଁ ବିକଶିତ କରାଯାଇଛି। ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା (PMJAK)ରେ ବ୍ୟୁରୋ ଅଫ ଫାର୍ମା ପିଏସୟୁ ଏହାକୁ ତିଆରି କରିଛି। ଏହି ସଂସ୍ଥା ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ କାମ କରୁଛି।
ଏହି ମୋବାଇଲ ଆପରେ ଉପଭୋକ୍ତାଙ୍କ ପାଇଁ ବିଭିନ୍ନ ପ୍ରକାର ତଥ୍ୟ ପାଇବାର ବ୍ୟବସ୍ଥା କରିଛି। କେଉଁ ସ୍ଥାନରେ ଜନୌଷଧି କେନ୍ଦ୍ର ରହିଛି, ସେଠି ପହଞ୍ଚିବାକୁ କେଉଁ ରାସ୍ତାରେ ଯିବାକୁ ହେବ ତାହା ଜାଣିବା ପାଇଁ ଗୁଗୁଲ ମ୍ୟାପ ଦ୍ୱାରା ସୂଚିତ କରାଯାଉଛି। ଜନୌଷଧି କେନ୍ଦ୍ରରେ କେଉଁ କେଉଁ ଜେନେରିକ ଔଷଧ ମିଳୁଛି ତାହାର ତାଲିକା, ବ୍ରାଣ୍ଡେଡ ଔଷଧ ଓ ଜେନେରିକ ଔଷଧ ମଧ୍ୟରେ ତୁଳନାତ୍ମକ ତଥ୍ୟ ଏବଂ ମୂଲ୍ୟ ଆଦି ଏହି ମୋବାଇଲ ଆପରେ ଉପଲବ୍ଧ।
ଉଭୟ ଆଣ୍ଡ୍ରଏଡ ଓ ଆଇ-ଫୋନ ପ୍ଲାଟଫର୍ମରେ ଜନୌଷଧି ସୁଗମ ମୋବାଇଲ ଆପ ଉପଲବ୍ଧ। ଏହାଛଡା ଗୁଗୁଲ ପ୍ଲେଷ୍ଟୋର ଓ ଆପଲ ଷ୍ଟୋରରୁ ମଧ୍ୟ ଏହାକୁ ବିନା ମୂଲ୍ୟରେ ଡାଉନଲୋଡ କରିହେବ।