Odiapua.com

ଖସିପଡ଼ିଲା ଅନିୟନ୍ତ୍ରିତ ଚାଇନିଜ୍ ରକେଟ୍ ର ଆବର୍ଜନା: ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ନିକଟରେ ଭାରତ ମହାସାଗରରେ ଖସିପଡ଼ିଲା – ଜାଣନ୍ତୁ କେତେ ବଡ଼ ଥିଲା

ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ): ଶେଷରେ ଚୀନ୍‌ର ଅନିୟନ୍ତ୍ରିତ ରକେଟର ଆବର୍ଜନା ଭାରତ ମହାସାଗରରେ ଖସିପଡ଼ିଛି। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ କିଛି ଦିନ ପୂର୍ବରୁ ଚେତାବନୀ ଦେଇଥିଲା ଯେ ଚାଇନାର ଏହି Long March 5B ରକେଟ୍ ପୃଥିବୀରେ ଖସି ପଡ଼ିବ। ଆମେରିକୀୟ ସ୍ପେସ୍ ଫୋର୍ସର ତଥ୍ୟ ଅନୁଯାୟୀ, ଏହି ରକେଟ୍ ଘଣ୍ଟା ପ୍ରତି ୧୮ ହଜାର ମାଇଲ୍ ବେଗରେ ପୃଥିବୀ ଆଡକୁ ଗତି କରୁଥିଲା। ଏତେ ଉଚ୍ଚ ଗତି ହେତୁ ଏହାର ଅବତରଣ କେଉଁଠାରେ ହେବ ତାହା ନିଶ୍ଚିତ ହୋଇପାରିନଥିଲା। ଚୀନ୍ ଗଣମାଧ୍ୟମ କହିଛି ଯେ, ଏହା ଭାରତର ଦକ୍ଷିଣ ପୂର୍ବରେ ଥିବା ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ଚାରିପାଖରେ ପାଣିରେ ଖସିପଡିଛି।

କ୍ଷତିର ଖବର ନାହିଁ

ଅନିୟନ୍ତ୍ରିତ ରକେଟର ଆବର୍ଜନା ଖସିଯିବା ହେତୁ କୌଣସି କ୍ଷତି ବିଷୟରେ ସୂଚନା ଲେଖିବା ପର୍ଯ୍ୟନ୍ତ ରିପୋର୍ଟ ହୋଇ ନାହିଁ। Long March 5B ନାମକ ଏହି ରକେଟର ଲମ୍ବ ୧୦୦ ଫୁଟ ଏବଂ ପ୍ରସ୍ଥ ୧୬ ଫୁଟ ଥିଲା। ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହାର ଏକ ବଡ଼ ଅଂଶ ଜଳିଯାଇଥିଲା ଏବଂ ବାକି ପାଣିରେ ଖସିପଡ଼ିଥିଲା। ଏହା ପୂର୍ବରୁ ଦକ୍ଷିଣ-ପୂର୍ବ ଆମେରିକା, ମେକ୍ସିକୋ, ମଧ୍ୟ ଆମେରିକା, କାରିବିଆନ୍, ପେରୁ, ଇକ୍ୟୁଏଡର୍ କଲମ୍ବିଆ, ଭେନେଜୁଏଲା, ଦକ୍ଷିଣ ୟୁରୋପ, ଉତ୍ତର କିମ୍ବା ମଧ୍ୟ ଆଫ୍ରିକା, ମଧ୍ୟ ପୂର୍ବ, ଦକ୍ଷିଣ ଭାରତ କିମ୍ବା ଅଷ୍ଟ୍ରେଲିଆରେ ପଡିପାରେ ବୋଲି କଳ୍ପନାଜଳ୍ପନା କରାଯାଇଥିଲା। ଯଦିଓ ଏହା ପୂର୍ବରୁ ବେଜିଂ, ମାଡ୍ରିଡ କିମ୍ବା ନ୍ୟୁୟର୍କରେ ଖସିଯିବାକୁ ଭୟ କରାଯାଉଥିଲା, କିନ୍ତୁ ଏହାର ଉଚ୍ଚ ଗତି ହେତୁ ଅବତରଣ ସ୍ଥାନ ନିଶ୍ଚିତ କରିବା କଷ୍ଟକର ହୋଇପଡିଥିଲା।

ପାଣିରେ ଖସିପଡ଼ିବାର ସମ୍ଭାବନା ଥିଲା

ଏହି ରକେଟର ଅବତରଣ ସମୟରେ ଏହା ନିଜେ ପାଣିରେ ପଡ଼ିଯିବାର ସମ୍ଭାବନା ଅଧିକ ଥିଲା। ଯେହେତୁ ପୃଥିବୀର ଅଧିକାଂଶ ଭାଗରେ ଜଳ, ଏହାର ଭୂମିରେ ପଡି ମଣିଷ ପାଇଁ କିଛି କ୍ଷତି ହେବାର ସମ୍ଭାବନା କମ୍ ଥିଲା। ଏହି ରକେଟ୍ ଅନିୟନ୍ତ୍ରିତ ହେବା ପରେ ପୃଥିବୀ ଆଡକୁ ଗତି କରିବା ଆରମ୍ଭ କଲା ଏବଂ ଏହା ପୃଥିବୀକୁ ଆସିବାର ଭୟ ଥିଲା। ତେବେ ବିଶେଷଜ୍ଞମାନେ କହିଥିଲେ ଯେ ପୃଥିବୀର ନିକଟତର ହେବା ପରେ ରକେଟର ଏକ ବଡ଼ ଅଂଶ ଜଳି ପାଉଁଶ ହୋଇଯାଇଥିବ।

ସୂଚନାଯୋଗ୍ୟଯେ, ଏହି ରକେଟ୍ ସାହାଯ୍ୟରେ ଚୀନ୍ ମହାକାଶରେ ନିର୍ମାଣ ହେବାକୁ ଥିବା ସ୍ପେସ୍ ଷ୍ଟେସନର ପ୍ରଥମ ଭାଗ ପଠାଇଥିଲା।