Odiapua.com

ବୃଦ୍ଧଙ୍କୁ ଶିଳରେ ଛେଚି ହତ୍ୟା ସନ୍ଦେହ

ନୟାଗଡ଼, ୨ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଭାଟସାହି ପଂଚାୟତର ଡିଆଁପଡ଼ା ଗ୍ରାମରେ ଜଣେ ୬୫ବର୍ଷର ବୃଦ୍ଧଙ୍କୁ ଶିଳରେ ଛେତି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ମୃତକ ହେଲେ ଚୈତନ୍ୟ ଜେନାଙ୍କ ପୁଅ ପ୍ରହଲ୍ଲାଦ ଜେନା। ପ୍ରହଲ୍ଲାଦ ବହୁବର୍ଷ ହେଲା ଘର ପରିବାର ଲୋକଙ୍କ ସହ ମନମାଳିନ୍ୟ ହୋଇ ଗାଁ ଭିତର ଘର ଛାଡ଼ି ଗାଁ ମୁଣ୍ଡେ ତାଙ୍କ ପଦାରେ ଏକ କୁଡିଆ କରି ସେଠାରେ ଫସଲ ଧନ୍ଦା କରୁଥିଲେ। ତାଙ୍କ ସ୍ତ୍ରୀ ମଧ୍ୟ କୌଣସି କାରଣରୁ ତାଙ୍କ ପାଖରେ ରହୁନଥିବା ଶୁଣାଯାଏ। ପ୍ରହଲାଦଙ୍କର ୨ପୁଅ ଓ ୧ଝିଅ ଅଛନ୍ତି। ତେବେ ପ୍ରହଲ୍ଳାଦଙ୍କ ସାନପୁଅ ସକାଳୁ ସକାଳୁ ପରିବା ତୋଳି ପଦାକୁ ଯିବା ବେଳକୁ ବାପାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ବାପାଙ୍କ ମୁଣ୍ଡ ପଥରରେ ଛେଚା ହୋଇଥିବାବେଳେ ପାଖରେ ଶିଳ ପଡ଼ିଥିବା ଦେଖିଥିଲେ। କେହି ଶିଳରେ ଛେଚି ହତ୍ୟା କରିଥିବା ଅନୁମାନ କରିଥିଲେ। ଏକଥା ଜଣାପଡ଼ିବା ପରେ ବହୁଲୋକ ସେଠାରେ ରୁଣ୍ଡ ହୋଇଥିଲେ। ଘଟଣାସ୍ଥଳରେ ନୟାଗଡ଼ ଟାଉନଥାନା ଆଇଆଇସି ଓ ଏସଡିପିଓ ପହଂଚି ଶବକୁ ଜବତ କରିବା ସହିତ ଘଟଣାର ଅନୁସନ୍ଧାନ ଚଳାଇଛନ୍ତି। ମୃତକଙ୍କ ମୁଣ୍ଡକୁ ଛେଚା ଯାଇଥିବାବେଳେ ଏହାକୁ କେହି ହତ୍ୟା କରିଥିବା ପୁଲିସ ସନ୍ଦେହ କରିଛି।