Odiapua.com

ଚଳିତ ରାଜ୍ୟ ବଜେଟ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ :ବିଜେପି

– ଚଳିତ ବଜେଟ ହେଉଛି ଏକ ନୈରାଶ୍ୟ ଜନକ
– ଚଳିତ ବଜେଟରେ କିଛି ନୂତନତ୍ୱ ନାହିଁ
– ରାଜ୍ୟର ନିଜସ୍ୱ ଆୟ ହେଉଛି ୪୫, ୫୦୦ କୋଟି ଯାହା କେନ୍ଦ୍ରୀୟ ଅନୁଦାନ ଠାରୁ ୨୪, ୨୬୬ କୋଟି କମ୍
– ଚଳିତ ୨୦୧୯-୨୦ ବଜେଟରେ ରାଜ୍ୟ ସରକାର ଋଣ କରିବେ ୨୩, ୭୩୪ କୋଟି ଟଙ୍କା

ଭୁବନେଶ୍ୱର, ତା.୨୮/୦୬ (ଓଡ଼ିଆ ପୁଅ) : ଚଳିତ ବଜେଟ ହେଉଛି ଏକ ନୈରାଶ୍ୟ ଜନକ। ବଜେଟରେ କିଛି ନୂଆ ଘୋଷଣା ନାହିଁ। ବଜେଟ ଯେତେବେଳେ ଆସେ ସେତେବେଳେ ସାଧାରଣ ଲୋକମାନଙ୍କର ଗୋଟିଏ ଉଦବେଗ ଥାଏ ଏହି ବଜେଟରେ ନୁଆ କଣ ଅଛି ? ହେଲେ ଚଳିତ ବଜେଟରେ କିଛି ନୂତନତ୍ୱ ନାହିଁ। ବିଶେଷ ଭାବରେ ମହିଳା ଆର୍ଥୀକ ସଶକ୍ତି କରଣ, ନିଯୁକ୍ତି ଓ ଆତ୍ମ ନିଯୁକ୍ତି ସୃଷ୍ଟି କରିବା, ନୂଆ ଶିଳ୍ପ ଉଦ୍ୟୋଗୀ ତିଆରି କରିବା, ଜନଜାତି ବର୍ଗର ବିକାଶ, କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ, କୃଷି ଆଧାରିତ ଶିଳ୍ପ ପ୍ରତିଷ୍ଠା ଆଦି କ୍ଷେତ୍ରରେ ବଜେଟରେ କିଛି ନାହିଁ। ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଭରପୁର ପ୍ରୟାସ କରାଯାଇଛି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଚଳିତ ବଜେଟ ହେଉଛି ଏକ କେନ୍ଦ୍ରୀୟ ଯୋଜନା ଆଧାରିତ ଓ କେନ୍ଦ୍ରୀୟ ଅନୁଦାନ ଉପରେ ନିର୍ଭରଶୀଳ ବଜେଟ। ରାଜ୍ୟର ବଜେଟ ପରିମାଣ ସମୁଦାୟ ୧, ୩୯, ୦୦୦ କୋଟି ହୋଇଥିଲା ବେଳେ ସେଥିରୁ କେନ୍ଦ୍ରୀୟ ଅନୁଦାନ ଓ ଟିକସର ପରିମାଣ ହେଉଛି ହେଉଛି ୬୯, ୭୬୬ କୋଟି ଯାହା ହେଉଛି ବଜେଟର ୫୦ ପ୍ରତିଶତ। ରାଜ୍ୟର ନିଜସ୍ୱ ଆୟ ହେଉଛି ୪୫, ୫୦୦ କୋଟି ଯାହା କେନ୍ଦ୍ରୀୟ ଅନୁଦାନ ଠାରୁ ୨୪, ୨୬୬ କୋଟି କମ୍। ଖାଲି ସେତିକି ନୁହେଁ ରାଜ୍ୟର ନିଜସ୍ୱ ଆୟ ଯାହା ଅଛି ତାହା ସରକାରଙ୍କର ଦରମା ପେନସନକୁ ବି ନିଅଂଟ। ଦରମା ପେନସନ ବାବଦରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୭, ୩୧୦ କୋଟି ଟଙ୍କା। ଯେଉଁ ସରକାର କର୍ମଚାରିଙ୍କ ଦରମା ଓ ପେନସନ ବାବଦ ଖର୍ଚ୍ଚବି ନିଜସ୍ୱ ଆୟରୁ ଭରଣା କରିବାରେ ଅସମର୍ଥ ସେ ସରକାର ରାଜ୍ୟରେ କିପରି ବିକାଶ କରିବ ?

ରାଜ୍ୟରେ ଯାହା ବିକାଶ ମୂଳକ କାମ ହେବ, ଯୋଜନା ଓ ଅଣଯୋଜନା ବାବଦରେ ଯାହା ବି ଖର୍ଚ୍ଚ କରିବେ ରାଜ୍ୟ ସରକାର ସେଥିପାଇଁ ରାଜ୍ୟ ସରକାର କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ରୀୟ ଟିକସ ଅର୍ଥରେ ହିଁ କରିବେ। ଚଳିତ ୨୦୧୯-୨୦ ବଜେଟରେ ରାଜ୍ୟ ସରକାର ଋଣ କରିବେ ୨୩, ୭୩୪ କୋଟି ଟଙ୍କା। ଚଳିତ ବଜେଟରେ ମୋଟ ବଜେଟର ୧୭ ପ୍ରତିଶତ ହେଉଛି ଋଣ କରିଥିବା ଅର୍ଥ। ଏବେ ରାଜ୍ୟର ମୋଟ ଋଣ ଭାର ୧ ଲକ୍ଷ କୋଟି ଟଙ୍କା ଛୁଇଁଗଲା। ଓଡିଶା ଏବେ ବଡ ଆର୍ଥୀକ ଅସମ୍ଭାଳ ପରିସ୍ଥିତି ଆଡେ ମୁହାଁଉଛି। କାରଣ ଆମର ବାର୍ଷୀକ ବଜେଟ ଦେଖିଲା ବେଳକୁ ଋଣର ପରିମାଣ ଦିନକୁ ଦିନ ବଢିବାରେ ଲାଗିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଯୋଜନା ବ୍ୟୟର ବୃଦ୍ଧି ହାର କମିଛି। ୨୦୧୮-୧୯ ରେ ଯୋଜନା ବ୍ୟୟ ଥିଲା ୬୭ ହଜାର କୋଟି। ୨୦୧୯-୨୦ରେ ଏହା ମାତ୍ର ୨, ୭୬୬ କୋଟି ଟଙ୍କା ବଢି ୭୦, ୬୦୦ କୋଟିରେ ପହଂଚିଛି। ୨୦୧୮-୧୯ର ମୋଟ ବଜେଟ ଅପେକ୍ଷା ୨୦୧୯-୨୦ ମୋଟ ବଜେଟରେ ୧୫% ବୃଦ୍ଧି ପାଇଛି। ସେହି ଅନୁସାରେ ଯୋଜନା ବ୍ୟୟ ମଧ୍ୟ ୧୫% ବୃଦ୍ଧି ପାଇବା କଥା। ହେଲେ ଆଶ୍ଚର୍ଯ୍ୟର ବିଷୟ ଏହା ବଢିଛି ମାତ୍ର ୪%। ରାଜ୍ୟର ଭିତିଭୁମି ବିକାଶଠାରୁ ଆରମ୍ଭ କରି ସମସ୍ତ ଜନକଲ୍ୟାଣ ଯୋଜନା ସବୁ ଯୋଜନା ବ୍ୟୟରୁ ହିଁ ହୋଇଥାଏ। ହେଲେ ଏହି ଯୋଜନା ବ୍ୟୟକୁ ବୃଦ୍ଧି କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି।