Odiapua.com

ଦୁବାଇରେ ୟୁଏଇ ଓଡ଼ିଶା ସମାଜ ପକ୍ଷରୁ ଓଡ଼ିଶା ଦିବସ ପାଳିତ

ସମ୍ବଲପୁର, ୨୪/୪ (ଓଡ଼ିଆ ପୁଅ) ୟୁନାଇଟେଡ଼ ଆରବ ଏମିରେଟ୍ସର ଓଡ଼ିଶା ସମାଜ ପକ୍ଷରୁ ନିକଟରେ ଉତ୍କଳ ଦିବସ ଉପଲକ୍ଷେ ଉତ୍ସବ-୨୦୧୯ ସମାରୋହ ସହକାରେ ଦୁବାଇର ହୋରାଇଜନ୍ ଇଂଟରନ୍ୟାସନାଲ ସ୍କୁଲ ଠାରେ ପାଳିତ ହୋଇଯାଇଛି। ଏଥିରେ ଦୁବାଇର ଭାରତୀୟ କନସଲ ଜେନେରାଲ ଶ୍ରୀ ବିପୁଲ ମୁଖ୍ୟଅତିଥି ରୂପେ ଯୋଗଦେଇ ବିଦେଶରେ ଥାଇ ମଧ୍ୟ ଓଡ଼ିଆ ସମାଜ ସର୍ବଦା ସଂଗଠିତ ଭାବେ ଉଦ୍ୟମ ଜାରୀ ରଖିଛନ୍ତି, ଯାହାକି ପ୍ରଶଂସନୀୟ ବିଷୟ ବୋଲି କହିଥିଲେ। ମୁଖ୍ୟବକ୍ତା ତଥା କେନିଆ ପାର୍ଲିଆମେଂଟର ସଂସଦ ଡ଼ା. ସ୍ୱରୂପ ରଞ୍ଜନ ମିଶ୍ର କହିଲେ ଯେ, ଓଡ଼ିଶା ଓ କେନିଆର ଭୌଗଳିକ ପରିବେଶ ମଧ୍ୟରେ ଅନେକ ସାମଂଜସ୍ୟ ରହିଛି। ତେବେ ଓଡ଼ିଶାର ପ୍ରାକୃତିକ ସମ୍ପଦର ଉପଯୁକ୍ତ ଉପଯୋଗ ର ଆବଶ୍ୟକତା ରହିଛି। ଓଡ଼ିଶା ପ୍ରତି ତାଙ୍କର ଦୁର୍ବଳତା ଥିବା ପ୍ରକାଶ କରି ବିଶ୍ୱ ସ୍ତରରେ ଓଡ଼ିଆ ମାନଙ୍କୁ ଯୋଡ଼ିବା ସକାଶେ ଏକ ନେଟବାର୍କ ନିର୍ମାଣ ପାଇଁ ସେ ଲକ୍ଷ୍ୟ ରଖିଥିବା ସୂଚନା ଦେଇଥିଲେ।

ଏନଏମସି ଗ୍ରୁପର ପ୍ରତିଷ୍ଟାତା ତଥା ଅଧ୍ୟକ୍ଷ ପଦ୍ମଶ୍ରୀ ଡ଼ା. ବି ଆର ସେଟ୍ଟି ସମ୍ମାନୀତ ଅତଥି ରୂପେ କହିଲେ ଯେ, ଆବୁଧାବିରେ ଏକ ମନ୍ଦିର ନିର୍ମାଣ ଓ ସେଠାରେ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ପ୍ରତିଷ୍ଟା ସମ୍ପର୍କରେ ସୂଚନା ଦେଇଥିଲେ। ଉତ୍ସବର ପ୍ରବାସୀ ଙ୍କ ସମାଗମ ପ୍ରଶଂସନୀୟ ବିଷୟ ବୋଲି ସେ କହିଥିଲେ। ଏଫଜେଡ଼ଇ ସିପିଂର ସିଇଓ ଓ ନିର୍ଦ୍ଦେଶକ ସୈାମ୍ୟ ରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟ ରେ ଓଡ଼ିଶାର କ୍ରମାଗତ ଅଗ୍ରଗତି ବାବଦରେ ପରିସଂଖ୍ୟାନ ସହିତ ଆଲୋଚନା କରିବା ସହିତ ସମୃଦ୍ଦି ଓ ଭରପୁର ସମ୍ବଳ ଉପରେ ତଥ୍ୟ ଉପସ୍ତାପନ କରିଥିଲେ। ଦୁବାଇ ଆଲ ନଜାହ ଏଜୁକେଶନର ନୃପାଦିତ୍ୟ ସିଂହଦେଓ ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ। ଓଡ଼ିଆ ସମାଜର ସଭାପତି ଅମିୟ ମିଶ୍ର ଓଡ଼ିଶା ଦିବସର ମହତ୍ୱ ଉପରେ ଆଲୋକପାତ କରି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ। ପରେ ଖ୍ୟାତିପ୍ରାପ୍ତ ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଷୀ ଓଡ଼ିଶାର ପାରମ୍ପାରିକ ନୃତ୍ୟ ଶୈଳୀ ପ୍ରଦର୍ଶନ କରିଥିଲେ। ସୁନାମ ଧନ୍ୟ କଂଠଶିଳ୍ପୀ ସ୍ୱୟମ ପାଢୀ, ଓଡ଼ିଆ ସିନେମା ର ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, କଥକ ନୃତ୍ୟ ବିଶେଷଜ୍ଞା ନିଶୀ ସିଂ, ପ୍ରବାସୀ ପରିବାରର ସଦସ୍ୟା, ଶିଶୁ ମାନେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି ଉତ୍କଳ ଦିବସ ଅବସରରେ ଏକ ଫେସନ ସୋ-କାରୁବାକି ରେ ପ୍ରବାସୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଉତ୍ସବରେ ପଟ୍ଟଚିତ୍ର ର ପ୍ରତିଛବି ପ୍ରତିଫଳିତ ହୋଇଥିଲା।