Odiapua.com

ଅଧିକ କାଉଣ୍ଟର ଖୋଲ ଓ ଲୋକଙ୍କୁ ଉତ୍ତମ ସୁବିଧା ଯୋଗାଇ ଦିଅ – ମୁଖ୍ୟମନ୍ତ୍ରୀ

ଆରଟିଓମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନ୍‌ଫରେନ୍ସ :

ଭୁବନେଶ୍ୱର ୨୬-୯ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକ ସେବା ଭବନରୁ ଭିଡିଓ କଫରେସିଂ ଯୋଗେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି ଓ ଆର.ଟି.ଓ ମାନଙ୍କ ସହିତ ନୂଆ ଟ୍ରାଫିକ ଆଇନ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବା ଓ ସଚେତନତା ଉପରେ ଗୁରୁତ୍ବ ଆରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ସଡକ ସୁରକ୍ଷା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ରାସ୍ତା ଦୁର୍ଘଟଣାରେ ହେଉଥିବା ଜନଜୀବନ ହାନି ଆମର ସାମାଜିକ, ଅର୍ଥନୈତିକ ବିକାଶକୁ ପ୍ରଭାବିତ କରିଥାଏ। ଓଡିଶାରେ ପ୍ରତିବର୍ଷ ସଡକ ଦୁର୍ଘଟଣାରେ ୫,୦୦୦ ଲୋକ ମୃତ୍ୟୁବରଣ କରୁଥିବାରୁ ବିଶେଷତଃ ଯୁବକ ମାନେ ମୃତ୍ୟୁବରଣ କରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିଥିଲେ। ତେଣୁ ଏହାକୁ ଅତ୍ୟନ୍ତ ଗୁରୁତର ସହିତ ନେଇ ସଡକ ଦୁର୍ଘଟଣା ରୋକିବା ପାଇଁ ଯୋଜନାବଦ୍ଧ ଭାବରେ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଦୃତ ତଥା ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା କରୁଥିବା, ନିଶାଦ୍ରବ୍ୟ ସେବନ କରି ଗାଡି ଚାଳନା କରୁଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ନିୟମିତ କଡାକଡି ଯାଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସଡକ ଦୁର୍ଘଟଣା ସମୟରେ ଆହତ ବ୍ୟକ୍ତି ମାନଙ୍କର ଆଶୁ ଚିକିତ୍ସା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ତେଣୁ ଏ ଦିଗରେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସଡକ ସୁରକ୍ଷା ତଥା ଟ୍ରାଫିକ୍ ଆଇନ ସଂପର୍କରେ ଜନସଚେତନତା ହିଁ ଦୁର୍ଘଟଣାକୁ ରୋକି ପାରିବ। ତେଣୁ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ରାସ୍ତାମାନଙ୍କରେ ଲୋକଙ୍କୁ ସଚେତନ କରିବାର ଆବଶ୍ୟକତା ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇଥିଲେ। ଏଥିପାଇଁ ପରିବହନ ବିଭାଗ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଗାଡିର କାଗଜପତ୍ର, ଡ୍ରାଇଭିଂ ଲାଇସେନ୍ସ ଆଦି ଯେପରି ଲୋକମାନେ ସୁବିଧାରେ କରିପାରିବେ, ତାକୁ ଦୃଷ୍ଟିରେ ରଖି ଆରଟିଓ ଅଫିସ ମାନଙ୍କରେ ଅଧିକ କାଉଣ୍ଟର ଖୋଲାଯିବା ସହିତ ଗ୍ରାମାଞ୍ଚଳରେ ଶିବିରମାନ ଆୟୋଜନ କରାଯିବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ୧୫ ଦିନ ମଧ୍ୟରେ ଆରଟିଓ ଅଫିସ ଗୁଡିକୁ ସଂମ୍ପୂର୍ଣ୍ଣ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଛୁଟି ଦିନମାନଙ୍କରେ ଆରଟିଓ ଓ ତାଙ୍କ କର୍ମଚାରୀମାନେ ଲୋକଙ୍କୁ ସେବା ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ବିଭିନ୍ନ ଟ୍ରାଫିକ୍ ଆଇନର ସଫଳ କାର୍ଯ୍ୟକାରିତା ଏବଂ ସଡକ ସୁରକ୍ଷା ପାଇଁ ସଂପୃକ୍ତ ସବୁ ବିଭାଗ ଉପଯୁକ୍ତ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଭିଡିଓ କନ୍‌ଫରେନ୍ସିଂ ସମୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍ ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ପ୍ରମୁଖ ଉପସ୍ଥିତ ଥିଲେ।