Odiapua.com

ତସିଫ, ସୋଆଇବ ଓ ଆବୁଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଭୁବନେଶ୍ୱର ୧୦.୯ (ଓଡ଼ିଆ ପୁଅ) ସେଦିନ ଥିଲା ଗଣେଶ ପୂଜା। ସେପ୍ଟେମ୍ବର ୨ ତାରିଖ। ଯାଜପୁର ସଡକପୁର ପ୍ରାଇମେରୀ ସ୍କୁଲରେ ପଢୁଥିବା ୬ ବର୍ଷର କୁନି ବାଳକ ଅବୁଲ ରୁମନ ଖାଁ (Abul Ruman Khan) ସ୍କୁଲରୁ ଫେରୁଥିବା ବେଳେ ରାସ୍ତାକଡରେ ଥିବା ଗୋଟିଏ ପୋଖରୀରେ ଖସି ପଡ଼ି ବୁଡି ଯାଉଥିଲେ। ଏହି ସମୟରେ ଫଜଲପୁର ଗାଁର କୋରେଇ ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢୁଥିବା ଦୁଇ ଜଣ ବାଳକ ସେକ୍ ତସିଫ୍ ରାଜା (Sk. Tasif Raja) ଓ ମହମ୍ମଦ ସୋଆଇବ (Md. Soyaib) ବୁଡି ଯାଉଥିବା ବାଳକଟିକୁ ଦେଖି ନିଜ ଜୀବନକୁ ଖାତିର ନ କରି ପାଣିକୁ ଡେଇଁପଡ଼ି ତାକୁ ଉଦ୍ଧାର କରିଥିଲେ। ସେମାନଙ୍କ ସାହସିକତା ଯୋଗୁ ଗୋଟିଏ ମୂଲ୍ୟବାନ ଜୀବନ ରକ୍ଷା ପାଇଥିଲା।

ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ୩ ଜଣ ବାଳକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତସିଫ ଓ ସୋଆଇବଙ୍କ ସାହସିକତାର ଉଚ୍ଚପ୍ରଶଂସା କରି ମୁଖ୍ୟମନ୍ତ୍ରୀ ସେମାନଙ୍କୁ Dictionary, ବ୍ୟାକରଣ ପୁସ୍ତକ, ଅନ୍ୟାନ୍ୟ ପାଠ୍ୟଉପକରଣ ଓ ଚକଲେଟ ଆଦି ଉପହାର ଦେଇଥିଲେ। କୁନି ବାଳକ ଆବୁଲଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ପାଠ୍ୟଉପକରଣ ଓ ଚକଲେଟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, କୋରେଇ ବିଧାୟକ ଅଶୋକ ବଳ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଶ୍ରୀ ଆର୍ ବାଲକ୍ରିଷ୍ଣନ ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ, ତିନି ବାଳକଙ୍କ ପରିବାରବର୍ଗ ପ୍ରମୁଖ ଉପସ୍ଥିତ ଥିଲେ।