Odiapua.com

ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଗତ ରାଜନୈତିକ ଚିଠା ପ୍ରସ୍ତାବ ..

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶର ନବ ନିର୍ବାଚିତ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କର ପ୍ରଥମ ରାଜ୍ୟ କାର୍ଯ୍ୟକରିଣୀ ଏକ ଦିବସିୟ ବୈଠକ ଆୟୋଜିତ ହୋଇଯାଇଛି। ୫ ତାରିଖରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକଆୟୋଜିତ ହୋଇଥିବା ବେଳେ ପର୍ଯ୍ୟାୟ କ୍ରମେ ବିଭିନ୍ନ ସତ୍ରରେ ସନ୍ଧ୍ୟାରେ ବୈଠକର ସମାପନ ହୋଇଥିଲା। ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆୟୋଜିତ ହୋଇଥିବା ଏହି ବୈଠକରେ ଦିଲ୍ଲୀ ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରସାଦ ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ସଚିବ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ଡଃ ସମ୍ବିତ ପାତ୍ର, ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଏଣେ ଭୁବନେଶ୍ୱର ସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଭିନ୍ନ ସତ୍ରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମଧ୍ୟରେ ଆସନ୍ତା ୩ ମାସ ପାଇଁ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯାଇଛି।

ରାଜନୈତିକ ଚିଠା ପ୍ରସ୍ତାବ –
ଓଡ଼ିଶା ସମେତ ଭାରତବର୍ଷ ଓ ସମଗ୍ର ବିଶ୍ୱ ଆଜି କୋଭିଡ୍ ମହାମାରୀ ଦ୍ୱାରା କବଳିତ। ଏହାଦ୍ୱାରା ଅନ୍ୟଦେଶ ଭଳି ଭାରତବର୍ଷ ମଧ୍ୟ ବହୁ ଅର୍ଥନୈତିକ ବାଧାବିଘ୍ନ ଦେଇ ଗତି କରୁଥିବା ବେଳେ ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କରୋନାର ସଠିକ୍ ମୁକାବିଲା ସହିତ ଦେଶର ଅର୍ଥନୀତି ଏବଂ ବିକାଶଧାରାକୁ ସନ୍ତୁଳିତ କରି ରଖିବାରେ ଦେଶ ସଫଳ ହୋଇପାରିଛି। ସମସ୍ତ ବାଧାବିଘ୍ନ ସତ୍ୱେ ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ସାରା ବିଶ୍ୱରେ ଭାରତବର୍ଷ ତା’ର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିପାରିଛି। ଭାରତ ବିରୋଧୀ ପଡ଼ୋଶୀ ପାକିସ୍ଥାନ ଏବଂ ଚୀନ୍ ସହିତ ସମ୍ମୁଖ ଲଢ଼େଇରେ ନିଜର ଶକ୍ତି ପ୍ରଦର୍ଶନ କରି ଉଭୟ ଅର୍ଥନୀତି ଏବଂ ସାମରୀକ କ୍ଷେତ୍ରରେ ମୁହଁତୋଡ୍ ଜବାବ୍ ଦେଇଛି। ଭାରତୀୟ ଜନତା ପାର୍ଟିର ଏଭଳି ଦୃଢ଼ ଶାସନ ଯୋଗୁ ଦେଶ ଅଗ୍ରଗତି ଓ ଶକ୍ତିଶାଳୀ ହେଉଥିବାରୁ ଦଳର ରାଜ୍ୟ ଶାଖା ଏହାକୁ ନେଇ ଗର୍ବ ଅନୁଭବ କରୁଛି।

ଅପରପକ୍ଷରେ ଓଡ଼ିଶା ସରକାରଙ୍କ ବିଚାର ବିହୀନ, ଅସମ୍ବେଦନଶୀଳ ଏବଂ ଭ୍ରଷ୍ଟାଚାର ଶାସନ ଓଡ଼ିଶାର ବିକାଶକୁ ନିମ୍ନଗାମୀ କରିଛି। ବିଜେଡି ଶାସନରେ ଓଡ଼ିଆ ଜାତିର ସ୍ୱାଭିମାନ ଭୃଲୁଣ୍ଠିତ ହେବା ସହ ରାଜ୍ୟରେ ସାମାଜିକ ଅର୍ଥନୈତିକ ଓ ରାଜନୈତିକ ମେରୁଦଣ୍ଡ ଭୁଶୁଡ଼ି ପଡ଼ିଛି। କୋଭିଡ୍‌- ୧୯ ମହାମାରୀରେ ସମଗ୍ର ବିଶ୍ୱ ଆତଙ୍କିତ ଥିବାବେଳେ ଦେଶର ସମସ୍ତ ରାଜ୍ୟ ସରକାର ନିଜର ସବୁ ଶକ୍ତି ଖଟାଇ ଯୁଝୁଥିବା ସମୟରେ ଓଡ଼ିଶା ସରକାର କୋଭିଡ୍ ପରିଚାଳନାରେ ନିଜର ଅକ୍ଷମତାର ଚରମ ନିଦର୍ଶନ ଦେଖାଇ ବ୍ୟାପକ ର୍ଦୁନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ରହିଛନ୍ତି। ପ୍ରବାସୀ ଶ୍ରମିକଙ୍କ ରାଜ୍ୟକୁ ଫେରିବା ଠାରୁ ଆରମ୍ଭ କରି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର, ମାସ୍କ୍ କ୍ରୟ, ମେଡିସିନ୍‌, ଆମ୍ବୁଲାନ୍ସ, ପିପିଇ କିଟ୍ , ଗ୍ଲୋବସ୍‌, ଅକ୍ସିଜେନ୍ ସିଲିଣ୍ଡର, ଭେଂଟିଲେଟର ପ୍ରଭୃତି କରୋନା ପରୀକ୍ଷାର ସମସ୍ତ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ବାରି ହେଉଛି। ମାର୍ଚ୍ଚ ପରଠାରୁ କେନ୍ଦ୍ର ସରକାର ବିଭିନ୍ନ ସହାୟତା ଆକାରରେ ୧୭୯୪.୨୪ କୋଟି ଟଙ୍କା ରାଜ୍ୟକୁ ଯୋଗାଇ ଦେଇଥିବା ବେଳେ କୋଭିଡ୍ ଦୁର୍ବିପାକ ସମୟରେ ଏହାର ବିନିଯୋଗ କ’ଣ ହୋଇଛି ବୋଲି ବିଜେପି ପ୍ରଶ୍ନ କରିଛି। ବିଭିନ୍ନ ପିଏସୟୁ ମାନଙ୍କଠାରୁ ରାଜ୍ୟ ସରକାର କେତେ ସହାୟତା ପାଇଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛି। ରାଜ୍ୟର ବେସରକାରୀ ହସ୍ପିଟାଲ ମାନଙ୍କ ସହ କରିଥିବା ତ୍ରିପାକ୍ଷିକ ଚୁକ୍ତିନାମାରେ ଭୟଙ୍କର ତୃଟିଯୁକ୍ତ ଏବଂ ଏଥିରେ ବ୍ୟାପକ ଭ୍ରଷ୍ଟାଚାର ହୋଇଛି। ଗତ ଅଗଷ୍ଟ ୧୪ ତାରିଖରେ ରାଜ୍ୟ ସରକାର କୋଭିଡ୍ ହସ୍ପିଟାଲର ଓ କୋଭିଡ୍ କେୟାର ସେଂଟର ମାନଙ୍କ ପାଇଁ ଏକ ଦର ନିର୍ଦ୍ଧାରଣ କରିଲେ। ଏହା ପୂର୍ବରୁ ଏପ୍ରିଲରୁ ଅଗଷ୍ଟ ପର୍ଯ୍ୟନ୍ତ ଏହି ହସ୍ପିଟାଲ ଓ ସେଂଟରମାନଙ୍କୁ ସରକାର କେଉଁ ଦରରେ ପ୍ରାପ୍ୟ ପ୍ରଦାନ କରୁଥିଲେ ଏବଂ ସେହି ବିଲ୍ ଗୁଡିକୁ କିଏ ସାର୍ଟିଫାଏଡ୍ କରୁଥିଲା ବୋଲି ବିଜେପି ପ୍ରଶ୍ନ କରିଛି। କୋଭିଡ୍ କେୟାର ସେଂଟର, କୋଭିଡ୍ ହସ୍ପିଟାଲ ଗୁଡ଼ିକରେ ବ୍ୟାପକ ପରିଚାଳନାଗତ ତୃଟିର ଅଭିଯୋଗ ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ନିର୍ମାଣ ଶ୍ରମିକମାନଙ୍କୁ କୋଭିଡ୍ ସମୟରେ ୩୧୫ କୋଟି ଟଙ୍କା ବାଂଟିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ ସୁଦ୍ଧା ରାଜ୍ୟରେ ଏହା ଦଳୀୟ ଆଧାରରେ ବଂଟାଗଲା। ଏପରିକି ଅନେକ ଯୋଗ୍ୟ ଶ୍ରମିକ କାର୍ଡ ହିତାଧିକାରୀ ଆଜି ସୁଦ୍ଧା ବି ସହାୟତା ପାଇ ନାହାଁନ୍ତି। କେନ୍ଦ୍ର ସରକାର ୮ମାସ କାଳ ମାଗଣା ଚାଉଳ, ଡାଲି, ରାସନ କାର୍ଡଧାରୀ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଦେଇଥିଲେ ସୁଦ୍ଧା ରାଜ୍ୟ ସରକାର ପହଂଚାଇବାରେ ବିଫଳ ହୋଇଛନ୍ତି। ହରଡ଼ ଡାଲି ବଦଳରେ ଚଣା ଡାଲି ବାଂଟିଛନ୍ତି। ପ୍ରବାସୀ ଶ୍ରମିକଙ୍କ ପାଇଁ ଆସିଥିବା “ଆତ୍ମନିର୍ଭର ଭାରତ’ ଯୋଜନାର ଚାଉଳକୁ ବ୍ୟାପକ କଳାବଜାରୀ କରି ଗରିବ ଲୋକଙ୍କ ପେଟକୁ ଲାତ ମାରିଛନ୍ତି ରାଜ୍ୟ ସରକାର। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଏହି ସମୟରେ ଦଳୀୟ ଭିତିରେ ସରକାର ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଯୋଡ଼ି ବହୁ ଯୋଗ୍ୟ ଗରିବ ପରିବାରଙ୍କ ପ୍ରତି ଅନ୍ୟାୟ କରିଛନ୍ତି। ଏମଜିଏନ୍‌ଆରଇଜିଏ ଯୋଜନାରେ ମେସିନ୍ ଦ୍ୱାରା କାର୍ଯ୍ୟ କରାଇ ଲକ୍ଷ ଲକ୍ଷ ଜବ୍‌ କାର୍ଡଧାରୀଙ୍କୁ ତଥା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ଘୋର ପ୍ରତାରଣା କରିଛନ୍ତି। ଓଡ଼ିଶାରେ ମନରେଗା ଯୋଜନା ଶାସକ ଦଳ ନେତାଙ୍କ ଅର୍ଥ ରୋଜଗାରର ଏକ ସହଜ ପନ୍ଥା ପାଲଟିଛି।

ବେରୋଜଗାର (ବେକାରୀ ପ୍ରସଙ୍ଗ) –
ବିଜେଡି ଶାସନ କାଳରେ ଓଡ଼ିଶାର ଯୁବକ ଯୁବତୀମାନଙ୍କ ପାଇଁ କୌଣସି ପ୍ରକାରର ରୋଜଗାର ସମ୍ବାବନା ସୃଷ୍ଟି ହୋଇପାରି ନାହିଁ। ରାଜ୍ୟରେ ରୋଜଗାର ନ ପାଇବା କାରଣରୁ ୧୫ ଲକ୍ଷରୁ ଅଧିକ କୁଶଳୀ, ଅର୍ଦ୍ଧକୁଶଳୀ ଓ ଅଣକୁଶଳୀ ଶ୍ରମିକ ଅନ୍ୟ ରାଜ୍ୟ ଓ ବିଦେଶକୁ କର୍ମସଂସ୍ଥାର ଅନ୍ୱେଷଣରେ ଯାଉଛନ୍ତି। କୋଭିଡ୍ ମହାମାରୀ ସମୟରେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ପଂଜୀକରଣ ଏବଂ ତାଙ୍କର ଦକ୍ଷତା କୌଶଳ ନିରୂପଣ (ସ୍କିଲ୍ ମ୍ୟାପିଙ୍ଗ୍) କରି କାର୍ଯ୍ୟ ଯୋଗାଇ ଦେବା ପାଇଁ ବାରମ୍ବାର ପ୍ରତିଶୃତି ଦେଇ ତାହାକୁ ପାଳନ କରିନାହାନ୍ତି ରାଜ୍ୟ ସରକାର। ପୁର୍ନବାର ଏହି ଶ୍ରମିକମାନେ ପ୍ରତାରଣାର ଶୀକାର ହୋଇ ଓଡ଼ିଶାରୁ ଫେରିବା ଆରମ୍ଭ କରିଛନ୍ତି। ପୂର୍ବରୁ “ମେକ୍ ଇନ୍ ଓଡ଼ିଶା” ଏବଂ “ଇନ୍‌ଭେଷ୍ଟ ଓଡ଼ିଶା” ଭଳି ରାଜ୍ୟ ସରକାରଙ୍କ ଫମ୍ପା ଘୋଷଣା ଓ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ବିନିମୟରେ ହୋଇଥିବା କନ୍‌ଭେନସନ, ସେମିନାର, ରୋଡ଼ ସୋ ଭଳି ପ୍ରଚାର ପ୍ରସାର କେବଳ ପାଣିର ଗାର ହୋଇଛି ଓ ଆଜି ରାଜ୍ୟରେ ବେରୋଜଗାରୀ ସମସ୍ୟା ଉତ୍କଟ ହୋଇଛି। ବେକାରୀ ସ୍ଥିତିର ଜାତୀୟ ଅନୁପାତ ହାରହାରି ୮.୮ % ପ୍ରତିଶତ ଥିବାବେଳେ ଆସାମ ୪.୮ % ଏବଂ ଗୁଜୁରାଟ୍ ୬.୭ % ଛତିଶଗଡ ୭.୫ %, ଆନ୍ଧ୍ରପ୍ରଦେଶ ୫.୮% ପଶ୍ଚିମବଙ୍ଗ ୬.୯ % , ଜାତୀୟ ହାର ଠାରୁ କମ୍ ଥିବାବେଳେ ଓଡ଼ିଶାରେ କିନ୍ତୁ ଏହି ହାର ୧୩.୧ % ଯାହାକି ଜାତୀୟ ହାର ଠାରୁ ଢେର ଅଧିକ। ତେଣୁ ଏଥିରୁ ରାଜ୍ୟ ସରକାରଙ୍କର ବେକାରୀ ହଟାଇ ଯୁବକ ଯୁବତୀଙ୍କୁ ନୂଆ ନିଯୁକ୍ତି ଦେବାର ଆନ୍ତରିକତା ସ୍ପଷ୍ଟ ବାରି ହୋଇଯାଉଛି। ଗତ ଜୁଲାଇ ୨୦୨୦ ରେ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେବାର ପ୍ରକ୍ରିୟାକୁ ବନ୍ଦ ତ କରିଛନ୍ତି। ପୁନଶ୍ଚ ଠିକା ଓ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରିବାର ନିଷ୍ପତି ନେଇଛନ୍ତି। ଯାହା ଫଳରେ କି ୨ ଲକ୍ଷରୁ ଉର୍ଦ୍ଧ୍ୱ ପରିବାର କ୍ଷତିଗ୍ରସ୍ତ ବା ପ୍ରଭାବିତ ହେବାକୁ ଯାଉଛନ୍ତି। ରାଜ୍ୟ ସରକାର ୨୦୧୬ ଓ ୨୦୧୮ ମସିହାରେ “ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ୨.୫ ଲକ୍ଷ କୋଟି ଟଙ୍କାର ଏମଓୟୁ ଚୁକ୍ତି କରିଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ଠିକଣା ଢଙ୍ଗରେ କାର୍ଯ୍ୟକାରୀ କରାଯାଇ ନାହିଁ। କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କ ଏହି ଅପାରଗତାକୁ ନିନ୍ଦା କରୁଛି।

ଜଗନ୍ନାଥ ରଥଯାତ୍ରା ଓ ବଗଲା ଧର୍ମଶାଳା ଚଞ୍ଚକତା –
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାକୁ ନକରାଇ ଦେବାର ରାଜ୍ୟ ସରକାରଙ୍କ ପରୋକ୍ଷ ଯୋଜନାରେ ସମ୍ପର୍କରେ ସାଧାରଣରେ ଆଲୋଚନା ହେବା କାହାକୁ ଅଛପା ନଥିଲା। ଠିକ୍ ସେହି ଅନିଶ୍ଚିତତା ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନିର୍ଦ୍ଦେଶରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସିଧାସଳଖ ହସ୍ତକ୍ଷେପ ଫଳରେ ମହାପ୍ରଭୁଙ୍କ ରଥଯାତ୍ରା ସମ୍ଭବ ହୋଇପାରିଲା। ଯାହାକି କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଶ୍ୱସ୍ତ କରିଥିଲା। ଏହି କରୋନା ବିପତି ସମୟର ସୁଯୋଗ ନେଇ ଜଗନ୍ନାଥ ଧାମର ବିକାଶ ନାମରେ କେଉଁ କାଳରୁ ଜଗନ୍ନାଥଙ୍କ ଭକ୍ତଙ୍କୁ ଆଶ୍ରୟ ଓ ବିଶ୍ରାମ ଦେଇ ଆସୁଥିବା ବଗଲା ଧର୍ମଶାଳାକୁ ଅନଧିକାର ଭାବେ ବିକ୍ରୟ ପାଇଁ ରାଜ୍ୟ ସରକାର କରିଥିବା ଷଡ଼ଯନ୍ତ୍ର ଆଜି ସାଧାରଣରେ ଧରା ପଡ଼ିଯାଇଛି। ଜଗନ୍ନାଥ ଧାମର ବିକାଶ ପାଇଁ ପ୍ରଧାନମନ୍ତ୍ରୀ କୋଟି କୋଟି ଟଙ୍କା ଯୋଗାଇ ଦେଉଥିବା ବେଳେ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଧର୍ମଶାଳାକୁ ବିକ୍ରି କରି ଦେବାର ନିଷ୍ପତିକୁ କାର୍ଯ୍ୟକାରିଣୀ ଘୋର ବିରୋଧ କରୁଛି।

ବନ୍ୟା ମୁକାବିଲା –
ସାମାନ୍ୟ ଲଘୂଚାପ ବର୍ଷାରେ ଓଡ଼ିଶା ବିଭିନ୍ନ ଜିଲ୍ଲାର ପ୍ରଭୁତ ଅଞ୍ଚଳ ଜଳବନ୍ଦୀ ରହିବା ଯୋଗୁଁ ଲକ୍ଷ ଲକ୍ଷ ହେକ୍ଟର ଧାନ ଓ ପରିବା ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇଛି। ଏପରିକି କେତେକ ଜୀବନ ମଧ୍ୟ ନଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଥିବା ଜଳ ସମ୍ପଦ ଓ ଡ୍ରେନେଜ୍ ବିଭାଗର ବିଫଳତାକୁ ନେଇ ଆଜି ପ୍ରଶ୍ନ ଉଠିଛି। ଚଳିତ ବର୍ଷ ବନ୍ୟା ମନୁଷ୍ୟକୃତ ବୋଲି ପ୍ରମାଣିତ ହୋଇଛି। ହୀରାକୁଦ ବନ୍ୟାଜଳ ପରିଚାଳନା ବ୍ୟବସ୍ଥାରେ ଚରମ ତ୍ରୃଟି ଓ ବର୍ଷା ରୃତୁ ପୂର୍ବରୁ ଦୁର୍ବଳ ଥିବା ନଦୀ ବନ୍ଧ ବାଡ଼କୁ ମରାମତି କରାନଯିବା, ପରିଶେଷରେ ବନ୍ୟା ସମୟରେ କେତେକ ଜିଲ୍ଲାରେ ବନ୍ଧ ମରାମତି ପରିବର୍ତ୍ତେ ସରକାରଙ୍କ ଜାଣତରେ ସରକାରୀ ଦଳର ଠିକାଦାରୀ ସ୍ୱାର୍ଥ ପାଇଁ ବନ୍ଧ ଭାଙ୍ଗି ଦିଆଯାଇଥିବା ସାଧାରଣରେ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ ପାଣି ଘେରରେ ଥିବା ଲକ୍ଷ ଲକ୍ଷ ବିପନ୍ନଙ୍କ ପାଖରେ ଏ’ ପର୍ଯ୍ୟନ୍ତ ପହଁଚିଲା ନାହିଁ ରିଲିଫ୍ ଓ ଅନୁଷାଙ୍ଗିକ ସହାୟତା। ଆଜିର କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କ ଅଦୂରଦର୍ଶିତା କାର୍ଯ୍ୟକୁ ଘୋର ନିନ୍ଦା କରିବା ସହ ବନ୍ୟା ବିପନ୍ନଙ୍କ ପାଖରେ ରାଜ୍ୟ ସରକାର ତୁରନ୍ତ ରିଲିଫ୍ ଓ ସହାୟତା ପହଞ୍ଚାଇବାକୁ ଦାବି କରୁଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ର୍ଦୁନୀତି 
୨୦୨୨ ସୁଦ୍ଧା ସମସ୍ତଙ୍କ ମୁଣ୍ଡ ଉପରେ ଛାତଘର ପହଞ୍ଚାଇବାର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନାକୁ ଏହି କାର୍ଯ୍ୟକାରିଣୀ ସ୍ୱାଗତ କରୁଛି। ଅନ୍ୟ ପକ୍ଷରେ ରାଜ୍ୟ ସରକାରଙ୍କ ପ୍ରଶାସନ, ଦଳୀୟ ଆଧାରରେ ହିତାଧିକାରୀ ଚୟନ କରିବା ଦ୍ୱାରା ବହୁ ଯୋଗ୍ୟବ୍ୟକ୍ତି ଏହି ମହତ୍ୱାକାଂକ୍ଷୀ ଯୋଜନାରୁ ବାଦ୍ ପଡ଼ିଛନ୍ତି। ଆଜିର କାର୍ଯ୍ୟକାରିଣୀ ରାଜ୍ୟ ସରକାରଙ୍କ ଏହି ଗରିବ ମାରଣ ନୀତିକୁ ଦୃଢ ନିନ୍ଦାକରିବା ସହ ଏହାକୁ ଆଗମୀ ଦିନରେ ରାଜନୈତିକ ପ୍ରସଙ୍ଗ କରିବାକୁ ଚିନ୍ତା କରୁଛି।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା –
କାଳିଆ ଯୋଜନା ରାଜ୍ୟ ସରକାରଙ୍କ ଏକ ଫମ୍ପା ଯୋଜନାରେ ପରିଣତ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ତାଲିକାରେ ଥିବା ରାଜ୍ୟର ୩୧ ଲକ୍ଷ ଚାଷୀଙ୍କୁ ବିଭିନ୍ନ ଆଳ ଦେଖାଇ ରାଜ୍ୟ ସରକାର କାଟି କାଟି ୯ ଲକ୍ଷରେ ପହଞ୍ଚାଇଛନ୍ତି। ଏହାର କାରଣ ପଚାରିବାରୁ ରାଜ୍ୟ ସରକାର କୌଣସି ସଠିକ୍ ଉତ୍ତର ନରଖି ଜାଣି ନଜାଣିଲା ପରି ନୀରବଦ୍ରଷ୍ଟା ସାଜିଛନ୍ତି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ଏ’ ପ୍ରକାରର କୃଷକ ସ୍ୱାର୍ଥ ବିରୋଧୀ ନୀତିରୁ ନିବୃତ୍ତ ରହି ରାଜ୍ୟ ସରକାର ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ସ୍ୱାର୍ଥ ସହ ଖେଳନ୍ତୁ ନାହଁ।

କାମ୍ପାଫଣ୍ଡ୍ ର୍ଦୁନୀତି –
ଭାରତବର୍ଷରେ ସମସ୍ତ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶାକୁ ସବୁଠାରୁ ଅଧିକ ଅର୍ଥରାଶି କାମ୍ପାଫଣ୍ଡ୍ ଯୋଜନାରେ ଯୋଗାଇ ଦେଇଛନ୍ତି ମୋଦି ସରକାର। ୫,୯୩୪ କୋଟି ଟଙ୍କା ପରିମାଣର ଏହି ଅର୍ଥରାଶିକୁ ବେଆଇନ୍ ଭାବେ ହଡପ୍ କରିବାର ଅନେକ ଉଦାହରଣ ବିଭିନ୍ନ ଜିଲ୍ଲାରୁ ଗଣମାଧ୍ୟମ ଜରିଆରେ ଲୋକ ଲୋଚନକୁ ଆସିଛି। କେନ୍ଦ୍ର ସରକାରଙ୍କ ଅନେକ ଯୋଜନାର ଅର୍ଥକୁ ଲୁଟ୍ କରାଯିବା ଭଳି କାମ୍ପାଫଣ୍ଡ୍ ଅର୍ଥକୁ ମଧ୍ୟ ରାଜ୍ୟ ସରକାର ଳୁଟ୍ କରିବାର ଯୋଜନା କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଅପଚେଷ୍ଟାକୁ ଆଜିର କାର୍ଯ୍ୟକାରିଣୀ ଦୃଢ଼ ବିରୋଧ କରୁଛି।

ଲଘୁ ଖଣିଜ ଦ୍ରବ୍ୟର ଲୁଟ୍ –
ବେଆଇନ୍ ଭାବେ ପରିବେଶ ଓ ଜନ ଜୀବନକୁ ଖାତିର ନକରି ବ୍ୟାପକ ଭାବରେ ଲଘୁ ଖଣିଜ ଦ୍ରବ୍ୟକୁ ଲୁଟ୍‌ କରି ବାହାର ରାଜ୍ୟ ଓ ବିଦେଶକୁ ଚୋରାଚାଲାଣ କରାଯାଉଛି। ଜିଲ୍ଲ୍ଲା, ତହସିଲ, ପୋଲିସ୍ ପ୍ରଶାସନ ଓ ଶାସକଦଳ ନେତାଙ୍କ ଚୋରା ଅସାଧୁ ମେଣ୍ଟରେ ଶହ ଶହ କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣକାରୀ ମାଫିଆ ମାନଙ୍କୁ ସୁରକ୍ଷା ମିଳୁଛି। ରାଜ୍ୟର ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଲି, ମୋରମ୍‌, ମାଙ୍କଡା ପଥର ଓ କଳାପଥର (ଚିପ୍ସ୍ ) ଇତ୍ୟାଦି ଖନନ କରାଯାଇ ରାଜ୍ୟର କୋଟି କୋଟି ଟଙ୍କାର ରାଜସ୍ୱହାନୀ ଘଟାଇ ମାଫିଆଙ୍କ ଜରିଆରେ ଶାସକ ବିଜେଡି ଦଳ ତା’ର ଦଳୀୟ ପାଣ୍ଠି ସଂଗ୍ରହ କରୁଛି। ରାଜ୍ୟସ୍ୱାର୍ଥ ବିରୋଧୀ ଏହି ସମସ୍ତ ବେଆଇନ୍ କାର୍ଯ୍ୟକୁ ବନ୍ଦ କରିବା ପାଇଁ ଆଜିର କାର୍ଯ୍ୟକରିଣୀ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଉଛି।

ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ଶିକ୍ଷାନୀତି –
ଭାରତବର୍ଷକୁ ଜ୍ଞାନ କୌଶଳ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ରାଷ୍ଟ୍ର କରିବା ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାକୁ କେନ୍ଦ୍ର ସରକାରଙ୍କ ନୂଆ ଜାତୀୟ ଶିକ୍ଷାନୀତିରେ ସ୍ଥାନୀତ କରାଯାଇଛି। ଏହି ଜାତୀୟ ଶିକ୍ଷାନୀତି ଏବଂ ସେଥିରେ ଅର୍ନ୍ତଭୁକ୍ତ ସମସ୍ତ ବିନ୍ଦୁ ଦେଶର ଶିକ୍ଷା ଭିତ୍ତିଭୂମିକୁ ଆହୁରି ବଳିଷ୍ଠ କରିବ ବୋଲି ଆଜିର କାର୍ଯ୍ୟକାରିଣୀ ହୃଦ୍‌ବୋଧ କରୁଛି। ଦୁର୍ଭାଗ୍ୟର ବିଷୟ ଯେ ଠିକ୍ ଏହାର ବିପରୀତ ଦିଗରେ ୟୁଜିସିର ନିୟମାବଳୀକୁ ଅଣଦେଖା କରି ରାଜ୍ୟ ସରକାର ଏକ ନୂଆ ଶିକ୍ଷାନୀତି ପ୍ରଣୟନ ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ପ୍ରସ୍ତାବ ଆଗତ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ଶିକ୍ଷାନୀତି କାର୍ଯ୍ୟକାରୀ ହେଲେ ବିଶ୍ୱବିଦ୍ୟାଳୟ ଗୁଡ଼ିକ ତାଙ୍କର ସ୍ୱତନ୍ତ୍ରତା ଓ ନିଜ ନିଜର ଐତିହାସିକ ପରିଚୟ ହରାଇବେ। କୂଳପତି ଓ ଅଧ୍ୟାପକମାନଙ୍କ ଚୟନ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସଂପୃକ୍ତି, ବିଶ୍ୱବିଦ୍ୟାଳୟ ମାନଙ୍କରେ ସିନେଟ୍‌ର ଉଚ୍ଛେଦ ଭଳି ଅନେକ ନିଷ୍ପତି ରାଜ୍ୟ ସରକାରଙ୍କ ଅମଲାତାନ୍ତ୍ରିକ ମାନସିକତାର ପରିଚୟକୁ ଆହୁରି ଦୃଢୀଭୂତ କରିଛି। ଏହି ନୂଆ ଶିକ୍ଷାନୀତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବାକୁ କାର୍ଯ୍ୟକାରିଣୀ ଦାବି କରୁଛି।

ଆଇନ ଶୃଙ୍ଖଳା ପରିସ୍ଥିତି ଓ ମହିଳା ନିର୍ଯ୍ୟାତନା –
ରାଜ୍ୟରେ ଚୋରୀ, ଡକାୟତି, ହତ୍ୟା, ଦୁଷ୍କର୍ମ ଓ ମହିଳା ନିର୍ଯାତନା ଅହେତୁକ ଭାବେ ବୃଦ୍ଧି ପାଇଛି। କିନ୍ତୁ ଶାସକ ଦଳର ବିଧାୟକ ଓ ନେତାଙ୍କ ପୃଷ୍ଠପୋଷକତା କାରଣରୁ ପୋଲିସ୍ ପ୍ରଶାସନ ସବୁ ଜାଗାରେ ନୀରବଦ୍ରଷ୍ଟା ସାଜିଛି। ଡ୍ରଗ୍‌ସ ଚୋରାକାରବାର ରାଜ୍ୟ ସାରା କାୟାବିସ୍ତାର କରି ଅନେକ ଯୁବକ ଯୁବତୀଙ୍କୁ ପଥଭ୍ରଷ୍ଟ କରୁଥିବା ସତ୍ତ୍ୱେ ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସରକାର। ମହିଳା ନିର୍ଯ୍ୟାତନା ଦୁଷ୍କର୍ମ ଓ ହତ୍ୟା ଏବେ ରେକର୍ଡ ସଂଖ୍ୟାରେ ପହଞ୍ଚିବା ଆରମ୍ଭ କରିଛି। କୋଟପାଡର ନେତ୍ରୀ ଭଦ୍ରା ଦୁଷ୍କର୍ମ, ହତ୍ୟାଠାରୁ ଆରମ୍ଭ କରି ମାଲକାନଗିରିରେ ଜନଜାତି ମହିଳାଙ୍କ ଦୁଷ୍କର୍ମ ହତ୍ୟା ଓ ବୀରମିତ୍ରପୁର ପୋଲିସ ଷ୍ଟେସନରେ ଦୁଷ୍କର୍ମ ଭଳି ବହୁ ଜଘନ୍ୟ ଘଟଣା ନଜରକୁ ଆସୁଥିବା ବେଳେ ରାଜ୍ୟ ସରକାର ତାଙ୍କ ନୈତିକ ଦାୟିତ୍ୱ ଭୁଲିଗଲା ଭଳି ଚୁପ୍ ବସିଛନ୍ତି। ସରକାରଙ୍କର ଏତାଦୃଶ ନପାରିଲାପଣିଆକୁ ରାଜ୍ୟ କାର୍ଯ୍ୟକାରିଣୀ ନିନ୍ଦା ଏବଂ ଧିକ୍କାର କରୁଛି। /- ଦେବଦତ୍ତ ରଥ