Odiapua.com

ଶୁଦ୍ଧ କାର୍ଯ୍ୟରେ ଅଶୁଦ୍ଧ କର୍ମକାଣ୍ଡ କରୁଛି ବିଜେପି .. !

ଭୁବନେଶ୍ୱର: ଖେଲା ହବେ। ଖେଲା ବି ହେଲା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଖେଳ କରିଦେଲେ ମମତା ବାନାର୍ଜୀ। ତୃଣମୂଳ କଂଗ୍ରେସ (ଟିଏମସି)ର ବିପୁଳ ବିଜୟ ହେଲା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି)ର ଶୋଚନୀୟ ପରାଜୟ ହେଲା। ସମାନ କଥା ଓଡ଼ିଶାରେ ମଧ୍ୟ ହେଲା। ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ (ବିଜେଡି)ର ବିପୁଳ ବିଜୟ ହେଲା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ଧୂଳି ଚାଟିଲା। ଯାହା ଜଣାପଡ଼ୁଛି ଏବେ ପୌର ଏବଂ ମହାନଗର ନିର୍ବାଚନରେ ବିଜେପିର ସମାନ ସ୍ଥିତି ରିପିର୍ଟ ହେବ! ଏଥର ପୌର ନିର୍ବାଚନରେ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସାମିଲ୍ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। କିନ୍ତୁ, ଯାହା ଜଣାପଡ଼ୁଛି, ଏହାର ମୂଲ୍ୟ କିଛି ରହିବ ନାହିଁ। ଏମିତିରେ ଦଳ ଜିତିବା ଉଦ୍ଦେଶ୍ୟରେ ଲଢ଼ୁଥିବା ଭଳି ଅନୁଭବ ହେଉନି। ରାଜ୍ୟ ବିଜେପିରେ ଶୀର୍ଷ ନେତୃତ୍ୱ ମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ଏବେ ଚରମ ସୀମାରେ ପହଁଚିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଅନୁଗତ, ଖୋସାମତିଆ ଗୋଷ୍ଠୀ ଦଳର ପ୍ରମୂଖ, ପ୍ରଭାବୀ ଏବଂ ପରିଚିତ ନେତୃତ୍ୱ ମାନଙ୍କୁ ଦମନ କରି ଅବା କଣଠେସା କରି ରଖିଛନ୍ତି। ଏଣେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ତାଙ୍କର ଏକ ସ୍ୱତନ୍ତ୍ର ଗୋଷ୍ଠୀ ତିଆରି କରି ନିଜ ମନମାନି ଚଲାଇଛନ୍ତି। ଯାହାର ଗୁରୁତ୍ୱର ପ୍ରଭାବ ଦଳ ଉପରେ ପଡ଼ୁଛି। ସେହିପରି ତୃଣମୂଳ ସ୍ତରରେ ସମନ୍ଵୟର ଘୋର ଅଭାବ ରହି ପାର୍ଥି ଚୟନରେ ବିଭ୍ରାଟ ଦେଖାଦେଉଛି। ପରିବାରବାଦ (ନେପୋଟିଜିମ୍) ଏବଂ ପ୍ରିୟାପ୍ରତି ତୋଷଣରେ ଟିକେଟ୍ ବଣ୍ଟନ ହେଉଛି ବୋଲି ଅଭିଯୋଗ ହେଉଛି। ପରିସ୍ଥିତି ଏମିତି ହେଉଛି, ବିଜେପି ସମର୍ଥନରେ କଦବା କୋଚିତ୍ କୋଉଠି ଜିତିଥିବା ପାର୍ଥି ବିଜେଡିକୁ ଚାଲି ଯାଉଛନ୍ତି। ତେବେ, ଏସବୁ ଏବଂ ଏହିପରି ଆହୁରୀ ଅନେକ ଚରମ ବିଭ୍ରାଟ ଭିତରେ ସତେ ଯେପରି, ଶୁଦ୍ଧ କାର୍ଯ୍ୟରେ ଅଶୁଦ୍ଧ କର୍ମକାଣ୍ଡ କରୁଛି ବିଜେପି! ବିବାହ ଉତ୍ସବରେ ଶ୍ରାଦ୍ଧ କର୍ମ କରୁଛି ବିଜେପି! ଯେଉଁ “ଖେଲା ହବେ” ଗୀତରେ ପଶ୍ଚିମବଙ୍ଗରେ ବିଜେପିକୁ ଧୂଳି ଚଟାଇଲେ ମମତା ବାନାର୍ଜୀ, ଏଠି ବିଜୁ ଜନତା ଦଳ (ବିଜେଡି)କୁ ସେହି ଗୀତ ଗାଇବାକୁ ପଡ଼ୁନି। ଏଠି ଓଡ଼ିଶାରେ ବିଜେପି ନିଜେ ସେହି ଗୀତ ଗାଇ ବୁଲୁଛି। ଗୀତରେ କ’ଣ କୁହାଯାଇଛି, କିଛି ବୁଝିନବୁଝି ପାର୍ଥି ମାନଙ୍କ ପ୍ରଚାର କାର୍ଯ୍ୟରେ ସେହି ଗୀତ ବ୍ୟବହାର କରାଯାଉଛି। ପ୍ରଚାର ଭିଡିଓରେ ସେହି ଗୀତ ଯୋଡ଼ାଯାଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରାଯାଉଛି। ଅର୍ଥାତ୍ ଯେପରି, ଶୁଦ୍ଧ କର୍ମରେ ଅଶୁଦ୍ଧ କର୍ମକାଣ୍ଡ କରୁଛି ବିଜେପି। ବିବାହ ଉତ୍ସବରେ ଶ୍ରାଦ୍ଧକର୍ମ କରୁଛି ବିଜେପି!
-/DevDrath