Odiapua.com

ରାଜ୍ୟ ସ୍ତରୀୟ ସାଙ୍ଗଠନିକ ବୈଠକରେ ଯୋଗ ଦେଲେ ବିଜେପି ଓଡ଼ିଶା ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

ଭୁବନେଶ୍ୱର: ଆଗାମୀ ଦିନରେ ରାଜ୍ୟର ତୃଣମୂଳ ସ୍ତରରେ ବିଜେପିର ସଙ୍ଗଠନକୁ ଆହୁରି ସୁଦୃଢ଼ କରାଯିବ। ପ୍ରତ୍ୟେକ ବୁଥରେ ୨୫ ଜଣିଆ ବୁଥ କମିଟି ଗଠନ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ଲୋକଙ୍କ ସୁଖ ଦୁଃଖରେ ଭାଗିଦାର ହୋଇ ରାଜ୍ୟରେ ଆଗାମୀ ଦିନରେ କିପରି ବିଜେପି ସରକାର ଗଠନ କରିବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଡି ପୁରନ୍ଦେଶ୍ୱରୀ କହିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ୩୬ଟି ସାଙ୍ଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଓ ପ୍ରଭାରୀ, ସମସ୍ତ ସାଂସଦ ଓ ସାଂସଦ ପାର୍ଥୀ, ସମସ୍ତ ବିଧାୟକ ଓ ବିଧାୟକ ପାର୍ଥୀ ମାନଙ୍କୁ ସଙ୍ଗଠନ ସୁଦୃଢ଼ କରିବା ନେଇ ଦିଶା ନିର୍ଦ୍ଦେଶ କରିଛନ୍ତି ପୁରନ୍ଦେଶ୍ୱରୀ। ଏହା ପୂର୍ବରୁ ଗୁରୁବାର ଦିନ ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ପଦାଧିକାରୀ ବୈଠକରେ ଯୋଗ ଦେଇ ଦଳର ଆଗାମୀ ରଣନୀତି ସଂପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ।

ରାଜ୍ୟ ପ୍ରଭାରୀଙ୍କ ନିର୍ଦ୍ଦେଶାନୁଯାୟୀ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତା ଆଗାମୀ ଦିନରେ ସଙ୍ଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରିବେ। ରାଜ୍ୟରେ ମହିଳା, ଯୁବକ, କୃଷକ, ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ତୃଣମୂଳ ସ୍ତରରେ ବିଭିନ୍ନ ବର୍ଗର ଲୋକଙ୍କୁ ଦଳରେ ସାମିଲ କରାଇ ଏକ ନୂଆ ଓଡ଼ିଶା ଗଠନ ଦିଗରେ କାର୍ଯ୍ୟ କରାଯିବ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି। ଆସନ୍ତା କାଲି ସକାଳେ ପୁରନ୍ଦେଶ୍ୱରୀ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପୁରୀରୁ ଫେରିବା ପରେ ସକାଳ ୧୧ ଟାରେ ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମକୁ ସମ୍ବୋଧିତ କରିବେ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ରାଜ୍ୟ ସ୍ତରୀୟ ସାଙ୍ଗଠନିକ ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ଉପସଭାନେତ୍ରୀ ପ୍ରଭାତି ପରିଡ଼ା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର ଏବଂ ଡଃ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସମେତ ବିଜେପି ସାଂସଦ, ସାଂସଦ ପାର୍ଥୀ, ବିଧାୟକ, ବିଧାୟକ ପ୍ରାର୍ଥୀଙ୍କ ସମେତ ଦଳୀୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
-@Dr