Odiapua.com

ଓଡ଼ିଶା ବିଜେପି ପ୍ରତିନିଧି ଦଳଙ୍କ ଗୁଜୁରାଟ ଗସ୍ତ: କ’ଣ ଇଙ୍ଗିତ ଦେଉଛି ଏ’ ଗସ୍ତ ..?

ଭୁବନେଶ୍ୱର: ଓଡ଼ିଶା ବିଜେପିର ଏକ ପ୍ରତିନିଧି ଦଳ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଦଳୀୟ ତଥା ସାଙ୍ଗଠନିକ ସରଞ୍ଚନା ଓ କାର୍ଯ୍ୟଶୈଳୀ ସମ୍ପର୍କରେ ସବିଶେଷ ଅନୁଧ୍ୟାନ ନିମନ୍ତେ ଭାରତୀୟ ଜନତା ପାର୍ଟି ଓଡ଼ିଶା ପ୍ରଦେଶର ଏକ ରାଜ୍ୟ ସ୍ତରୀୟ ୯ ଜଣିଆ ପ୍ରତିନିଧି ମଣ୍ଡଳୀ ଗୁଜୁରାଟ ଯାଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡାଙ୍କ ନିର୍ଦ୍ଦେଶ ତଥା ପ୍ରଦେଶ ଅଧ୍ୟକ୍ଷ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ, ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ସଙ୍ଗଠନ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାରଦା ଶତପଥୀ, ଅଶୋକ ମିଶ୍ର ଏବଂ ରାଜ୍ୟ ବିଜେପି ଆଇଟି ବିଭାଗ ପ୍ରମୁଖ ସ୍ୱୟଂ ପ୍ରକାଶ ବରାଳ ଆଦି ଏହି ପ୍ରତିନିଧି ମଣ୍ଡଳୀ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଏହି ଟିମ୍ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ସୁରଟଠାରେ ବିଜେପିର ସାଙ୍ଗଠନିକ ସରଞ୍ଚନା, ସ୍ଥିତି, ବ୍ୟବସ୍ଥା ଏବଂ କାର୍ଯ୍ୟଶୈଳୀ ଆଦି ଉପରେ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ବିଶେଷ ଅନୁଧ୍ୟାନ କରିବେ। ତେବେ, ଏହାକୁ ନେଇ ଏବେ ଏକ ଭିନ୍ନ ଆଲୋଚନା ଜୋର୍ ଧରିଛି। ରାଜ୍ୟ ବିଜେପିରେ ଏକ ନୂଆ ଆଶା ଓ ଆଶଙ୍କା ପ୍ରକାଶ ପାଉଛି। ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ନିର୍ଦ୍ଦିଷ୍ଟ ଭାବରେ ଏହି ଟିମ୍ ଯିବା ଏକ ଭିନ୍ନ ଦିଗକୁ ସୂଚାଉଥିବା ବେଳେ ସେଠାରୁ ଭାଇରାଲ୍ ହେଉଥିବା ଏକ ଭିଡିଓ ଏକ ଭିନ୍ନ ଦିଗକୁ ଇସାରା ଦେଉଛି।

କେନ୍ଦ୍ର ପାଇଁ ସିନା ଲୋଡ଼ା କିନ୍ତୁ, ଓଡ଼ିଶା ବିଜେପି ପାଇଁ ବୋଧେ ଅଲୋଡ଼ା ହୋଇ ଯାଇଥିଲେ ଅପରାଜିତା ଷଡ଼ଙ୍ଗୀ। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଓଡ଼ିଶା ବିଜେପି କଣଠେସା କରୁଥିବାର ଦେଖାଯାଏ। କେନ୍ଦ୍ରରେ ସିନା ଅପରାଜିତାଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ଦିଆଗଲା, କିନ୍ତୁ ରାଜ୍ୟ ବିଜେପି ତାଙ୍କୁ ଅଣଦେଖା କରୁଥିବା ପରି ଅନୁଭବ ହୁଏ। କୋଭିଡ୍ ନିୟମ ଉଲଘଂନ ଅଭିଯୋଗରେ ବିଏମସି ଯେତେବେଳେ ଅପରାଜିତା ଷଡ଼ଙ୍ଗୀଙ୍କ ଅଫିସ୍ ସିଲ୍ କରିଦେଲା, ଅପରାଜିତା ରାଜ୍ୟ ସରକାରଙ୍କ ବିରୋଧରେ ଏକାକୀ ଲଢ଼ିବାର ଦେଖାଯାଇଥିଲା। ରାଜ୍ୟ ବିଜେପିର ସେପରି କୌଣସି ପ୍ରମୂଖ ନେତୃତ୍ୱ ଅପରାଜିତାଙ୍କ ସପକ୍ଷରେ ବାହାରିବା ପରି ଦେଖାଯାଇ ନଥିଲା। କେବଳ ଯେ ଏହି କଥାରେ ନୁହେଁ। କେବେ କୌଣସି ବି ପ୍ରସଙ୍ଗରେ ରାଜ୍ୟ ବିଜେପିର ସେପରି କୌଣସି ପ୍ରମୂଖ ନେତୃତ୍ୱ ଅପରାଜିତା ଷଡ଼ଙ୍ଗୀଙ୍କ ସମର୍ଥନରେ ବାହାରିବା ଦେଖାଯାଏ ନାହିଁ। ଓଡ଼ିଶା ବିଜେପିର ମଙ୍ଗୁଆଳ ବୋଲାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଅପରାଜିତା ଷଡ଼ଙ୍ଗୀ ଯେପରି ଏକ କଣ୍ଟା ବୋଲି ବିବେଚନା କରାଯାଏ। ଉଭୟଙ୍କ ଭିତରେ ଏକ ଶୀତଳ ଯୁଦ୍ଧ ଚାଲିଥିବା କୁହାଯାଏ। ମନ୍ତ୍ରୀଙ୍କୁ ସନ୍ତୁଷ୍ଟ ରଖିବାକୁ ଅନେକ ଅପରାଜିତା ଷଡ଼ଙ୍ଗୀଙ୍କ ସପକ୍ଷରେ ସୋସିଆଲ୍ ମିଡିଆରେ କୌଣସି ପୋଷ୍ଟ କରିବା ଦେଖାଯାଏ ନାହିଁ। ଏପରିକି ଓଡ଼ିଶା ବିଜେପିର ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପରାଜିତା ଷଡ଼ଙ୍ଗୀଙ୍କ ପୋଷ୍ଟ ଦେଖିବାକୁ ମିଳିବା ପ୍ରାୟତଃ ନାଁ!

ଏମିତିରେ ଅପରାଜିତା ଷଡ଼ଙ୍ଗୀ ବି କିଛି କମ୍ ନୁହଁନ୍ତି। ୧୧ ବର୍ଷର ପ୍ରଶାସନିକ ସେବା ଚାକିରୀ ଛାଡ଼ି କେବଳ ଯେ ଏକ ସାଂସଦ ହେବା ପାଇଁ ସେ ରାଜନୀତିକୁ ଆସି ନାହାଁନ୍ତି। ବଡ଼ ମହତ୍ୱକାଂକ୍ଷା ରହିଛି ତାଙ୍କର। ଅପରାଜିତା ଷଡ଼ଙ୍ଗୀଙ୍କ କଥା, କାର୍ଯ୍ୟଶୈଳୀ (ଆଚରଣ ଏବଂ ଉଚ୍ଚାରଣ) ସ୍ପଷ୍ଟ ଭାବରେ ତାଙ୍କର ମହତ୍ୱକାଂକ୍ଷା ଦିଗକୁ ଦର୍ଶାଉଛି। ଏମିତିରେ ଅଜିତା, ୟୁଥ୍ ଫର୍ ଆକ୍ସନ୍ ଆଦି ନାମରେ ଅଣ- ରାଜନୈତିକ ସଙ୍ଗଠନ କରି ଭଲ ରାଜନୀତି କରୁଛନ୍ତି ଅପରାଜିତା। କେବଳ ନିଜ ସଂସଦୀୟ କ୍ଷେତ୍ରରେ ନୁହେଁ, ସାରା ଓଡ଼ିଶାରେ ଏହି ସଙ୍ଗଠନ ଗୁଡ଼ିକ ମାଧ୍ୟମରେ ସେ ନିଜର ପତିଆରା ବଢ଼ାଇ ଚାଲିଛନ୍ତି। ବିଜେପିରେ ଯୁବମୋର୍ଚ୍ଚା, ମହିଳା ମୋର୍ଚ୍ଚା ଆଦି ସଙ୍ଗଠନ ଥିବା ବେଳେ ସେଥିପାଇଁ କାମ ନକରି ଅଜିତା ଏବଂ ୟୁଥ୍ ଫର୍ ଆକ୍ସନ୍ ଆଦି ନାମରେ ନିଜସ୍ୱ ସଙ୍ଗଠନ କରି ଅପରାଜିତା ଦଳ ଭିତରେ ପାରାଲାଲ୍ ସଙ୍ଗଠନ କରୁଛନ୍ତି, ଗୋଷ୍ଠୀ ବିବାଦ ସୃଷ୍ଟି କରୁଛନ୍ତି ବୋଲି ଅନେକ ଚିଲେଉ ଥିଲେ ମଧ୍ୟ ଅପରାଜିତାଙ୍କ ଉପରେ ତା’ର କୌଣସି ପ୍ରଭାବ ପଡ଼ୁନାହିଁ। ବରଂ ଦିନକୁ ଦିନ ସେ ଆହୁରୀ ସକ୍ରିୟ ହୋଇ ତାଙ୍କ ସଙ୍ଗଠନ ଗୁଡ଼ିକର ବିସ୍ତାର କରାଉଛନ୍ତି। ମନ୍ତ୍ରୀଙ୍କ ଗୋଷ୍ଠୀ ଲୋକ ଯେତେ ଚିଲାଇଲେ ମଧ୍ୟ କେହି କିଛି କରି ପାରୁନାହାଁନ୍ତି। ଏମିତିରେ ଆକ୍ସନ୍ ନେବ ବା କିଏ? ଆକ୍ସନ୍ ନେବା ଲୋକଙ୍କର ନିଜର ଅନେକ ତୃଟି ରହିଛି। ଏଠି ଗୋଷ୍ଠୀ ବିବାଦ, ଚାଟୁକାରୀ ପ୍ରଥା ନିଜେ ମଙ୍ଗୁଆଳ ବୋଲାଉଥିବା ନେତୃତ୍ୱ ହିଁ ସୃଷ୍ଟି କରାଇଛନ୍ତି। ସେ ଗୋଷ୍ଠୀ ଯେପରି କେନ୍ଦ୍ରମନ୍ତ୍ରୀଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ସଜାଉଛନ୍ତି, ଅପରାଜିତା ଷଡ଼ଙ୍ଗୀଙ୍କ ଗୋଷ୍ଠୀ ମଧ୍ୟ ଅନୁରୂପ ଭାବରେ ଅପରାଜିତାଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଉପସ୍ଥାପନ କରୁଛନ୍ତି।

ଏବେ ଦଳର ମୂଳ କାମ, ସାଙ୍ଗଠନିକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ ପାଇଁ ସେହି ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ଟିମ୍ ଗୁଜୁରାଟ ଯାଇଛି। ସେଠାରେ ଏମାନଙ୍କୁ ପ୍ରବାସୀ ଓଡ଼ିଆ ମାନଙ୍କ ପକ୍ଷରୁ ସ୍ୱାଗତ କରାଯିବା ସମୟରେ ଅପରାଜିତା ଷଡ଼ଙ୍ଗୀଙ୍କୁ ଆଗାମୀ ଓଡ଼ିଶା ସିଏମ୍ (ମୁଖ୍ୟମନ୍ତ୍ରୀ) କହି ନ୍ୟାରା ଦିଆଯାଇଛି। ଯାହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ବଡ଼ କଥା ହେଲା ଏହି ଟିମ୍ ଭିତରେ ଅନ୍ୟ ମାନଙ୍କ ମଧ୍ୟରେ ମନ୍ତ୍ରୀଙ୍କ ଖାସ୍ ଲୋକ କୁହାଯାଉଥିବା ରାଜ୍ୟ ଆଇଟି ସେଲ୍ ପ୍ରମୂଖ ସ୍ୱୟଂ ପ୍ରକାଶ ବରାଳ ଅଛନ୍ତି। ଓଡ଼ିଶା ବିଜେପିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ପ୍ରସାର ହେଉଥିବା ଫଟୋ, ପୋଷ୍ଟର, କ୍ୟାପ୍ସନ୍ ଆଦି ସ୍ୱୟଂ ପ୍ରକାଶଙ୍କ ଦ୍ଵାରା ହିଁ ପ୍ରେରିତ ହୋଇଥାଏ। ସେଠାରୁ ଆସୁଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ, ପୋଷ୍ଟର, କ୍ୟାପ୍ସନ୍ ଆଦି ପରବର୍ତ୍ତୀ ମୁହୂର୍ତ୍ତରେ ତାଙ୍କ ସମର୍ଥକ ନେତାନେତ୍ରୀ ଏବଂ କାର୍ଯ୍ୟକର୍ତ୍ତା ଗଣ ଗୋଟାକ ପରେ ଗୋଟେ ସେୟାର୍, ପୋଷ୍ଟ ଆଦି କରିଚାଲନ୍ତି। ଆଜି ସ୍ୱୟଂ ସେହି ସ୍ୱୟଂ ପ୍ରକାଶଙ୍କୁ ଅପରାଜିତାଙ୍କ ସାଙ୍ଗରେ ରହି ଅପରାଜିତାଙ୍କ ଜୟକାର ଶୁଣିବାକୁ ପଡ଼ୁଛି। ଓଡ଼ିଶା ବିଜେପିରେ ଏକ ପରିବର୍ତ୍ତନର ପ୍ରତିଧ୍ୱନୀ ଶୁଣିବାକୁ ମିଳୁଛି।
-@DevDrath