Odiapua.com

ଲକଡାଉନ ସତ୍ୱେ ନିରବଚ୍ଛିନ୍ନ ଭାବେ ଶକ୍ତି ଯୋଗାଇ ଦେଉଛି ଏନଟିପିସି – ସବୁ ପ୍ଲାଣ୍ଟରେ ସାମାଜିକ ଦୂରତ୍ୱ ରକ୍ଷା ନିର୍ଦ୍ଦେଶାବଳୀ ପାଳିତ ହେଉଛି

ନୂଆ ଦିଲ୍ଲୀ ୨୫-୪ (ଓଡ଼ିଆ ପୁଅ) ଶକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ରାଷ୍ଟ୍ରାୟତ୍ତ ଜାତୀୟ ତାପଜ ବିଦ୍ୟୁତ ନିଗମ (ଏନଟିପିସି) କରୋନା ମୁକାବିଲା ଜନିତ ଲକଡାଉନ କାଳରେ ନିରବଚ୍ଛିନ୍ନ ଭାବେ ଦେଶକୁ ବିଜୁଳି ଯୋଗାଇ ଚାଲିଛି। ମହାମାରୀ ଜନିତ କଟକଣା ଓ ପ୍ରତିବନ୍ଧକ ଏହି ରାଷ୍ଟ୍ରାୟତ୍ତ ନିଗମର ଉତ୍ସର୍ଗୀକୃତ ଭାବନାକୁ ପ୍ରଭାବିତ କରିବାରେ ବିଫଳ ହୋଇଛି। ମହାରତ୍ନ ମାନ୍ୟତା ପ୍ରାପ୍ତ ଏହି ନିଗମ ଅଧୀନରେ ଥିବା ସମସ୍ତ ଶକ୍ତି ଉତ୍ପାଦନ ପ୍ଳାଣ୍ଟ ନିଜନିଜର ଧାର୍ଯ୍ୟ ଉତ୍ପାଦନ କ୍ଷମତାର ସର୍ବୋଚ୍ଚ ସ୍ତରରେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର ଶକ୍ତି ମନ୍ତ୍ରୀ ଶ୍ରୀ ଆର. କେ ସିଂହଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ନିର୍ଦ୍ଦେଶରେ ଏସବୁ ପ୍ଳାଣ୍ଟ ଚାଲିଛି।

କରୋନା ମହାମାରୀ ଏବଂ ଲକଡାଉନ ଭଳି ଏକ ଅତି ଜଟିଳ ସମୟରେ ବିଜୁଳି ଶକ୍ତିର ଆବଶ୍ୟକତା ଓ ଗୁରୁତ୍ୱ ଅପରିହାର୍ଯ୍ୟ। ଏହି ସମୟରେ ବିଭିନ୍ନ କ୍ଷେତ୍ରର ଅତ୍ୟାବଶ୍ୟକ ସେବାକୁ ସୁରୁଖୁରୁରେ ସଂଚାଳନ ପାଇଁ ବିଜୁଳି ଏକାନ୍ତ ଅପରିହାର୍ଯ୍ୟ ହୋଇଥିବାରୁ ଏନଟିପିସିରେ ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିଛି। ଏହି ସମୟରେ ଏନଟିପିସି ମଧ୍ୟ ନିଜ ପ୍ଳାଣ୍ଟ ସମୂହର କୋଇଲା ଯୋଗାଣ ଓ ବ୍ୟବହାରକୁ ଦକ୍ଷତା ଓ ସଫଳତାର ସହ ପରିଚାଳିତ କରିଛି।

ସବୁ ପ୍ଳାଣ୍ଟରେ ଏହାର କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା କରିବା ସହ ଲକଡାଉନ ନିୟମକୁ ପାଳନ କରୁଛନ୍ତି। ନିଗମର କର୍ମଚାରୀ ଓ ଅଧିକାରୀମାନେ ସମ୍ମୁଖଭାଗରେ ରହି ଶକ୍ତିଯୋଗାଣ ବ୍ୟବସ୍ଥାକୁ ନିରନ୍ତର କରିବାରେ ସଫଳ ହୋଇଛନ୍ତି। ଏହା ବ୍ୟତୀତ ଏନଟିପିସି ଅସୁବିଧାରେ ଥିବା ଲୋକ ଓ ପ୍ରବାସୀ ଶ୍ରମିକଙ୍କୁ ଲକଡାଉନ ବାବଦରେ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ନିଜର ସାମଜିକ ଦାୟିତ୍ୱ ନିର୍ବାହ କରୁଛି। ଅସୁବିଧାରେ ପଡିଥିବା ଲୋକଙ୍କୁ ରାଶନ ଓ ସ୍ୱାସ୍ଥ୍ୟ ସହାୟକ ଯୋଗାଇ ଦିଆଯାଉଛି।

ଏହାସହିତ ଦେଶର କୌଣସି ଅଂଚଳ ଓ ଭାଗ ଯେପରି ଏ ସମୟରେ ଉପଯୁକ୍ତ ବିଜୁଳି ପାଇବାରୁ ବଂଚିତ ନ’ ହୁଏ ସେଥିପାଇଁ ନିମଗର ପରିଚାଳନା ମଣ୍ଡଳୀ ସତର୍କ ଦୃଷ୍ଟି ରଖିଛନ୍ତି।

ବିନ୍ଧ୍ୟାଞ୍ଚଳ ଶକ୍ତି କେନ୍ଦ୍ର ଏନଟିପିସିର ସର୍ବବୃହତ ପ୍ଳାଣ୍ଟ ଚଳିତ ମାସ ୧୩ ତାରିଖରେ ଏହି ପ୍ଳାଣ୍ଟ ତାହାର ଶତ ପ୍ରତିଶତ ଉତ୍ପାଦନ କ୍ଷମତାର ଉପଯୋଗ କରିବାରେ ସଫଳ ହୋଇଛି। ସେହିଭଳି ଏନଟିପିସିର ଖରଗୋନସ୍ଥିତ ପ୍ରଥମ ଅଲଟ୍ରା ସୁପରକ୍ରିଟିକାଲ ପାୱାର ଷ୍ଟେସନର ୬୬୦ ମେଗାୱାଟ କ୍ଷମତା ବିଶିଷ୍ଟ ଦ୍ୱିତୀୟ ୟୁନିଟ ଏହି ଲକଡାଉନ ସମୟରେ କାର୍ଯ୍ୟକ୍ଷମ ହୋଇଛି। ଏହି ୟୁନିଟର ବୈଷୟିକ ଉତ୍ପାଦନ ଦେଶର ବିଜୁଳି ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିଛି।

ଏନଟିପିସିର ମୋଟ ଶକ୍ତି ଉତ୍ପାଦନ କ୍ଷମତା ୬୨୧୧୦ ମେଗାୱାଟ ଦେଶର ବିଭିନ୍ନ ସ୍ଥାନରେ ଏହି ନିଗମର ୭୦ଟି ଶକ୍ତି ଉତ୍ପାଦନ କେନ୍ଦ୍ର ରହିଛି। ସେଥିମଧ୍ୟରୁ ୨୪ ଟି କୋଇଲା ଦ୍ୱାରା ଚାଳିତ ହେଉଥିବାବେଳେ ୭ଟି ଉଭୟ ଗ୍ୟାସ/ଇଂନ୍ଧନରେ ମିଳିତ ଭାବେ ଚାଲୁଛି। ଏହାଛଡା ଏହା ଅଧୀନରେ ଗୋଟିଏ ଜଳ ବିଦ୍ୟୁତ, ୧୩ଟି ଅକ୍ଷୟଶକ୍ତି ଓ ୨୫ଟି କେଭି (ମିଳିତ ଉପଯୋଗ) ଶକ୍ତି ଉତ୍ପାଦନ କେନ୍ଦ୍ର କାର୍ଯ୍ୟ କରୁଛି।