Odiapua.com

ପରିଚାଳନା କମିଟି ବୈଠକରେ ରଥଯାତ୍ରା ହେବା ସଂପର୍କରେ କୌଣସି ନିଷ୍ପତି ହୋଇପାରିଲା ନାହିଁ

ପୁରୀ, ୨୪/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ସ୍ୱତନ୍ତ୍ର ବୈଠକ ଜିଲ୍ଲା ଆପଦକାଳୀନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଥିଲା। ଭିଡିଓ କନଫରେନ୍ସି ମାଧ୍ୟମରେ ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଜଗପ୍ତ ମହାରାଜ ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ଅଧ୍ୟକ୍ଷତା କରି କମିଟିର ସଦସ୍ୟମାନଙ୍କ ସହିତ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା ନୀତି ସଂପର୍କରେ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସଦସ୍ୟମାନେ ରଥଯାତ୍ରା ବିନା ଭକ୍ତରେ ଓ ସୀମିତ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ଓ ଚନ୍ଦନଯାତ୍ରା କରିବା ଉପରେ ମତାମତ ଦେଇଥିଲେ। କିନ୍ତୁ ଶେଷରେ କୌଣସି ନିଷ୍ପତି ହୋଇପାରିନଥିବା ଯୋଗୁଁ ପରିଚାଳନା କମିଟିର ସମସ୍ତ ସଦସ୍ୟ ନିଷ୍ପତି କରିବା ପାଇଁ ଗଜପତି ମହାରାଜାଙ୍କ ଉପରେ ଦାୟିତ୍ୱ ଦେଇଛନ୍ତି। ଆଜି ସନ୍ଧ୍ୟାରେ ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଛତିଶାନିଯୋଗ ନାୟକ ଓ ଅନ୍ୟନ୍ୟ ନିଯୋଗର କର୍ମକର୍ତାମାନଙ୍କ ସହ ଗୋବର୍ଦ୍ଧନ ପୀଠଠାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜାଙ୍କ ସହ ଆଲୋଚନା କରାଯିବା ପରେ ଯେଉଁ ନିଷ୍ପତି ଗ୍ରହଣ କରାଯିବ ତାହାର୍ହି ଚୂଡାନ୍ତ ହେବବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆଜିର ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟବୃନ୍ଦ, ଜିଲ୍ଲାପାଳ, ଏସପି ଓ ଅନ୍ୟାନ୍ୟ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯୋଗଦେଇଥିଲେ।