Odiapua.com

ଜଳ ସଂପଦକୁ ବିପଦ- ନବୀନ ସରକାର: ନୀତି ଆୟୋଗ ରିପୋର୍ଟରେ ୧୭ ରାଜ୍ୟରୁ ୧୪ ନଂରେ ଓଡିଶା

ଭୁବନେଶ୍ୱର ୨୪.୮ (ଓଡ଼ିଆ ପୁଅ) – ନିକଟରେ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ସମନ୍ୱିତ ଜଳ ପରିଚାଳନା ସାରଣୀ ବା ସି.ଡବ୍ଲ୍ୟୁ.ଏମ୍ .ଆଇ. ରିପୋର୍ଟରେ ୧୭ଟି ଅଣ ହିମାଳୟ ରାଜ୍ୟ ମଧ୍ୟରୁ ଓଡିଶାର ପ୍ରଦର୍ଶନ ସବୁଠାରୁ ଖରାପ ବୋଲି ଦର୍ଶାଯାଇଛି। ମୋଟ୍ ୧୭ଟି ରାଜ୍ୟ ମଧ୍ୟରୁ ଓଡିଶାର ସ୍ଥାନ ୧୪ ନମ୍ବରକୁ ଖସି ଯାଇଛି। ଗୁରୁତ୍ୱପୂର୍ଣ୍ଣ କଥାହେଲା ୨୦୧୫-୧୬ ରିପୋର୍ଟରେ ରାଜ୍ୟର ସ୍ଥାନ ୯ ନମ୍ବର ଥିବା ବେଳେ ୨୦୧୬-୧୭ ରେ ୪ ସ୍ଥାନ ତଳକୁ ଖସି ୧୩ ନମ୍ବରରେ ପହଂଚିଥିଲା। ଆଶ୍ଚର୍ଯ୍ୟର କଥା ଫଳାଫଳ ଭଲ ହେବ କ’ଣ ୨୦୧୭-୧୮ ରିପୋର୍ଟରେ ଓଡିଶା ଆହୁରି ଗୋଟିଏ ସ୍ଥାନ ତଳକୁ ଖସି ୧୪ ନମ୍ବରରେ ପହଂଚିଛି। ମୋଟ୍ ୧୭ଟି ରାଜ୍ୟର ପ୍ରଦର୍ଶନକୁ ନେଇ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଓଡିଶାର ପ୍ରଦର୍ଶନ ସବୁଠୁ ଖରାପ ହାରରେ ତଳକୁ ଖସିଛି ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ସୂଚନା ଦେଇ କହିଛନ୍ତି ନୀତି ଆୟୋଗ ରିପୋର୍ଟରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ତଳକୁ ଖସିବା ହାର ୭.୨୭ ପ୍ରତିଶତ, ଯାହାକି ସର୍ବାଧିକ। ସୂଚନାଯୋଗ୍ୟ ଯେ ସମନ୍ୱିତ ଜଳ ପରିଚାଳନା ସାରଣୀ ବା ସି.ଡବ୍ଲ୍ୟୁ.ଏମ୍ .ଆଇ. ଏଭଳି ଏକ ବ୍ୟବସ୍ଥା ଯେଉଁଥିରେ ରାଜ୍ୟଗୁଡିକରେ ଜଳସେଚନ ସ୍ଥିତି, ପାନୀୟ ଜଳ, ଜଳାଶୟଗୁଡିକର ବିକାଶ, ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପର ସ୍ଥିତି, ଜଳଛାୟାର ବିକାଶ, ଗ୍ରାମ୍ୟ ଓ ସହରାଂଚଳ ପାନୀୟ ଜଳଯୋଗାଣ ଓ ପରିମଳ, ଜଳସେଚନ ସଂପର୍କିତ ନୀତି ଓ ପ୍ରଶାସନର ସ୍ଥିତି ସଂପର୍କରେ ଆକଳନ କରିହେବ। ଏହି ବ୍ୟବସ୍ଥା ଦ୍ୱାରା ଦେଶରେ ଯେଭଳି ଭାବେ ଜଳସଂକଟର ସମସ୍ୟା ବଢିବାରେ ଲାଗିଛି ତାହାର ବାସ୍ତବ ସ୍ଥିତି ଜାଣିବା ସହ ସମାଧାନ କରିବା। ଏଥିପାଇଁ ନୀତି ଆୟୋଗ ୨୮ଟି ପରିମାପକର ବ୍ୟବସ୍ଥା ରଖିଛନ୍ତି। ଦୁର୍ଭାଗ୍ୟର କଥା ଓଡିଶା ସରକାର ୨/୩ଟି ଛାଡିଦେଲେ ଓଡିଶା ସରକାରଙ୍କ ପ୍ରଦର୍ଶନ ଅତି ନିରୁତ୍ସାହଜନକ। ନୀତି ଆୟୋଗର ଏହି ରିପୋର୍ଟ ବାସ୍ତବରେ ରାଜ୍ୟ ସରକାରଙ୍କର ମୁଖା ଖୋଲି ଦେଇଛି। ମହାନଦୀ ଓ ଜଳସଂପଦର ପରିଚାଳନାକୁ ନେଇ ନବୀନ ବାବୁ ଓ ତାଙ୍କ ସରକାର ସଂକଳ୍ପର ଯେଉଁ ପ୍ରଚାର ଚଳାଇଛନ୍ତି ଏସବୁ କେବଳ ବିଫଳତାକୁ ଲୁଚାଇବା ପାଇଁ ବାହାସ୍ପୋଟ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି।

ଆହୁରି ଉଦ୍ ବେଗଜନକ ବିଷୟ ହେଲା ଯେ ନଦୀ, ନାଳ, ଜଳାଶୟଗୁଡିକୁ ଯେଭଳି ଭାବେ ଶିଳ୍ପାନୁଷ୍ଠାନ ଓ ମାଫିଆଙ୍କ ଦ୍ୱାରା ଜବରଦଖଲ ବା ବେଆଇନ ଅଧିଗ୍ରହଣ କରାଯାଉଛି ଏବଂ ବେଆଇନ୍ ଭାବରେ ଜଳ ବ୍ୟବହାର କରିବା ସହ ପ୍ରଦୂଷିତ କରାଯାଉଛି ତାକୁ ରୋକିବା ପାଇଁ ନୀତି ଆୟୋଗ ପକ୍ଷରୁ ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା ଯେ ରାଜ୍ୟମାନେ ଏକ ସ୍ୱତନ୍ତ୍ର ଆଇନ୍ ବା ବିଧେୟକ ପାସ୍ ଲାଗୁ କରିବେ। ପ୍ରାୟ ୯୦ ପ୍ରତିଶତ ରାଜ୍ୟ ଜଳାଶୟ, ନଦୀନାଳ ବେଆଇନ୍ ଅଧିଗ୍ରହଣକୁ ରୋକିବା ପାଇଁ ଆଇନ୍ ଲାଗୁ କରିସାରିଥିବା ବେଳେ ଓଡିଶା ସରକାର ଏଯାଏଁ ଜଳାଶୟ ଗୁଡିକର ସଂରକ୍ଷଣ ପାଇଁ ସ୍ୱତନ୍ତ୍ର ଆଇନ୍ ଆଣୁ ନାହାନ୍ତି କାହିଁକି ବୋଲି ସତ୍ୟପ୍ରକାଶ ପ୍ରଶ୍ନ କରିଛନ୍ତି। ଆଇନ୍ ନଆଣି ଶିଳ୍ପପତି ଓ ମାଫିଆମାନଙ୍କୁ ଜଳାଶୟ, ନୀଦନାଳର ଜବରଦଖଲରେ ରାଜ୍ୟ ସରକାର ସହାୟତା କରୁଛନ୍ତି ବୋଲି ସତ୍ୟ ପ୍ରକାଶ ଅଭିଯୋଗ ଆଣିଛନ୍ତି। ୨୦୦୦ ମସିହାରୁ ଆଜିଯାଏଁ ମୁଖ୍ୟମନ୍ତ୍ରୀ ନିଜ ପାଖରେ ଜଳସଂପଦ ବିଭାଗକୁ ପ୍ରାୟ ୧୫ ବର୍ଷ ରଖିଛନ୍ତି। ତେଣୁ ନୀତି ଆୟୋଗ ରିପୋର୍ଟରେ ଓଡିଶା ସରକାରଙ୍କର ଯେଉଁ ବିଫଳତାର ପ୍ରମାଣ ଦିଆଯାଇଛି ତାର ଉତରଦାୟିତ୍ୱ ନବୀନ ସରକାର ନିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।