Odiapua.com

ନୀତି ଆୟୋଗ ଦ୍ୱାରା ପ୍ରଥମ ବିଦ୍ୟାଳୟ ଶିକ୍ଷା ମାନକ ସୂଚକାଙ୍କ ଉନ୍ମୋଚିତ : ପ୍ରଶାସନିକ ପ୍ରକ୍ରିୟା ବର୍ଗରେ ଓଡ଼ିଶାର ଉନ୍ନତ ପ୍ରଦର୍ଶନ

ନୂଆ ଦିଲ୍ଲୀ ୩୦-୯ (ଓଡ଼ିଆ ପୁଅ) ପ୍ରଥମ ଥର ପାଇଁ ନୀତି ଆୟୋଗ ପକ୍ଷରୁ ବିଦ୍ୟାଳୟ ଶିକ୍ଷା ମାନକ ସୂଚକାଙ୍କ (ଏସଇକ୍ୟୁଆଇ) ବିକଶିତ କରାଯାଇଛି। ଏହା ମାଧ୍ୟମରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରଦର୍ଶନର ମୂଲ୍ୟାଙ୍କନ କରିବା ନିମନ୍ତେ ପ୍ରୟାସ କରାଯାଇଛି। ଫଳାଫଳ ଆଧାରିତ ଶିକ୍ଷା ନୀତି ଉପରେ ଗୁରୁତ୍ୱାରୋପ କରାଯାଇ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ସେମାନଙ୍କ ସାମର୍ଥ୍ୟ ଓ ଦୁର୍ବଳତା ଚିହ୍ନଟ କରିବା ଲାଗି ଏକ ମଂଚ ଯୋଗାଇ ଦେବା ସହିତ ତ୍ରୁଟି ସୁଧାର ଏବଂ ନୀତିଗତ ହସ୍ତକ୍ଷେପ କାର୍ଯ୍ୟକାରୀ କରିବା ଏହି ସୂଚକାଙ୍କର ଉଦ୍ଦେଶ୍ୟ।

ନୀତି ଆୟୋଗର ଉପାଧ୍ୟକ୍ଷ ଡ. ରାଜୀବ କୁମାର, ସଦସ୍ୟ ଡ. ବିନୋଦ ପଲ, ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତାଭ କାନ୍ତ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀମତୀ ରୀନା ରାୟଙ୍କ ସମେତ ବିଶ୍ୱ ବ୍ୟାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଏସଇକ୍ୟୁଆଇର ପ୍ରଥମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା।

ପ୍ରତିଦ୍ୱନ୍ଦ୍ୱିତାମୂଳକ ତଥା ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଜଣାଇ ନୀତି ଆୟୋଗ ପକ୍ଷରୁ ଏସଇକ୍ୟୁଆଇ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଶ୍ରେଷ୍ଠ ଜ୍ଞାନ ଏବଂ ପ୍ରଚଳନ ଯୋଗାଇ ଦେବା ଲାଗି ପ୍ରୟାସ କରାଯାଇଛି। ଏହାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ବିଶ୍ୱ ବ୍ୟାଙ୍କ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହାୟତାରେ ମିଳିତ ଭାବେ ବିକଶିତ କରାଯାଇଛି। ଶିକ୍ଷାଦାନର ମାନ ଦିଗରେ ୩୦ଟି ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କକୁ ଏଥିରେ ସାମିଲ କରାଯାଇଛି।

ଦୁଇଟି ପ୍ରମୁଖ ବର୍ଗ ଯଥା, ଫଳାଫଳ ଏବଂ ଫଳାଫଳ ହାସଲ ଦିଗରେ ପ୍ରଶାସନିକ ପ୍ରକ୍ରିୟାର ସହାୟତା ଆଧାରରେ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ୨୦ଟି ବୃହତ ରାଜ୍ୟ ମଧ୍ୟରୁ ୧୦ଟି ରାଜ୍ୟ ଫଳାଫଳ ବର୍ଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। କର୍ଣ୍ଣାଟକ, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ଅନ୍ୟ ବୃହତ ରାଜ୍ୟଗୁଡ଼ିକ ଫଳାଫଳ ହାସଲ ଦିଗରେ ପ୍ରଶାସନିକ ପ୍ରକ୍ରିୟାର ସହାୟତା ବର୍ଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଏହି ବର୍ଗରେ ଓଡ଼ିଶା, ପଞ୍ଜାବ ଓ ହରିୟାଣାର ପ୍ରଦର୍ଶନ ଉନ୍ନତ ରହିଛି।

ବିଦ୍ୟାଳୟ ଶିକ୍ଷାଦାନରୁ ଏକ ସଫଳ ପରିଣାମ ଆସିବାର ଆବଶ୍ୟକତା ରହିଛି। ଏ କ୍ଷେତ୍ରରେ ସୁଧାର ଆଣିବାକୁ ହେଲେ ଏକ ବିଶ୍ୱସନୀୟ ନିରୀକ୍ଷଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା ଦିଗରେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ କେନ୍ଦ୍ରୀଭୂତ କରିବା ଉଦ୍ଦେଶ୍ୟରେ ଏସଇକ୍ୟୁଆଇରେ ଶିକ୍ଷାଦାନ ଫଳାଫଳ ଉପରେ ଗୁରୁତ୍ୱାରୋପ କରାଯାଇଛି।