Odiapua.com

ଜାତିସଂଘର ଉଚ୍ଚସ୍ତରୀୟ ରାଜନୈତିକ ମଞ୍ଚରେ ନୀତି ଆୟୋଗ ପକ୍ଷରୁ ଭାରତର ସ୍ୱେଚ୍ଛାକୃତ ଜାତୀୟ ନିରନ୍ତର ବିକାଶ ଲକ୍ଷ୍ୟ ସମୀକ୍ଷା ରିପୋର୍ଟ ଉପସ୍ଥାପିତ

– ଦଶନ୍ଧିର କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟରେ ସହଶ୍ରାବ୍ଦୀର ଲକ୍ଷ୍ୟ ବୈଶ୍ୱିକରୁ କିପରି ସ୍ଥାନୀୟ ହୋଇଛି ସେ ସଂପର୍କରେ ତଥ୍ୟ ଉପସ୍ଥାପନ

ନୂଆ ଦିଲ୍ଲୀ ୧୪-୭ (ଓଡ଼ିଆ ପୁଅ) ନୀତି ଆୟୋଗ ପକ୍ଷରୁ ଜାତିସଂଘର ସର୍ବୋଚ୍ଚ ରାଜନୈତିକ ମଞ୍ଚ (ଏଚ୍‌ଏଲ୍‌ପିଏଫ୍‌)ରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ସଂକ୍ରାନ୍ତ ଭାରତର ଦ୍ୱିତୀୟ ସ୍ୱେଚ୍ଛାକୃତ ସମୀକ୍ଷା ରିପୋର୍ଟ ଉପସ୍ଥାପନ କରାଯାଇଛି। ଏଚ୍‌ଏଲ୍‌ପିଏଫ୍‌ଜାତିସଂଘ ଦ୍ୱାରା ଧାର୍ଯ୍ୟ ହୋଇଥିବା ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟର ପ୍ରଗତି ସଂପର୍କରେ ସମୀକ୍ଷା କରିବା ପାଇଁ ଉଦ୍ଦିଷ୍ଟ ସର୍ବୋଚ୍ଚ ମଞ୍ଚ। ନୀତି ଆୟୋଗର ଉପାଧ୍ୟକ୍ଷ ଡଃ ରାଜୀବ କୁମାର ଏହି ରିପୋର୍ଟ (ଭିଏନ୍‌ଆର ୨୦୨୦) ଉପସ୍ଥାପନ କରିଛନ୍ତି। ଏହାର ନାମ ରଖାଯାଇଛି ଡିକେଡ ଅଫ୍‌ଆକ୍ସନ: ଟେକିଂ ଏସ୍‌ଡିଜି ଫ୍ରମ ଗ୍ଲୋବାଲ ଟୁ ଲୋକାଲ (ଦଶନ୍ଧିର କାର୍ଯ୍ୟାନୁଷ୍ଠାନ: ନିରନ୍ତର ବିକାଶ ଲକ୍ଷ୍ୟକୁ ବିଶ୍ୱରୁ ସ୍ଥାନୀୟ ସ୍ତରକୁ ନେବାକୁ ପ୍ରୟାସ)। ଏହି ଅବସରରେ ନୀତି ଆୟୋଗର ଉପାଧ୍ୟକ୍ଷ ଶ୍ରୀ ରାଜୀବ କୁମାର, ଆୟୋଗର ସଦସ୍ୟ ଡଃ ଭି-କେ- ପାଲ୍‌, ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତ, ନିରନ୍ତର ବିକାଶ ଲକ୍ଷ୍ୟ ସଂକ୍ରାନ୍ତ ପରାମର୍ଶଦାଦାତା ଶ୍ରୀମତୀ ସଂଯୁକ୍ତା ସମାଦାର ପ୍ରମୁଖ ଉପସ୍ଥିତ ଥିଲେ। ଏଚ୍‌ଏଲ୍‌ପିଏଫ୍‌ର ଚଳିତବର୍ଷର ଏହି ବୈଠକ ଏଥର ମହାମାରୀ ସମୟରେ ଆୟୋଜିତ ହେଉଛି। ଏଥିରେ ୪୭ ସଭ୍ୟ ରାଷ୍ଟ୍ର ସେମାନଙ୍କର ସ୍ୱେଚ୍ଛାକୃତ ରିପୋର୍ଟ ଜୁଲାଇ ୧୦ରୁ ୨୦ ତାରିଖ ମଧ୍ୟରେ ଉପସ୍ଥାପିତ କରିବା ପାଇଁ ବ୍ୟବସ୍ଥା ରହିଛି।

ଏଚ୍‌ଏଲ୍‌ପିଏଫ୍‌ପ୍ରତିବର୍ଷ ଜୁଲାଇ ମାସରେ ୮ ଦିନ ପାଇଁ ଅନୁଷ୍ଠିତ ହୋଇଥାଏ। ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦ ଇକୋସକ୍‌ଆନୁକୂଲ୍ୟରେ ଏହା ଆୟୋଜିତ ହୁଏ। ୨୦୩୦ ସୁଦ୍ଧା ଯେଉଁ ୧୭ଟି ପ୍ରମୁଖ ବିଷୟରେ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ପାଇଁ ଜାତିସଂଘ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛି ତାହାର ଗତିବିଧି, ରୂପାୟନ ଓ ଅଗ୍ରଗତି ସଂପର୍କରେ ଏହି ବୈଠକରେ ସମୀକ୍ଷା ହୋଇଥାଏ। ଏଥିପାଇଁ ସଂପୃକ୍ତ ସଭ୍ୟ ରାଷ୍ଟ୍ରମାନେ ନିଜ ନିଜର ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିଥାନ୍ତି। ଅବଶ୍ୟ ଏହି ରିପୋର୍ଟ ଉପସ୍ଥାପନ ଇଛାଧୀନ। ତେବେ ସଂପୃକ୍ତ ଲକ୍ଷ୍ୟ ହାସଲ ଦିଗରେ ବିଭିନ୍ନ ଦେଶର ସଫଳତା ବିଫଳତା, ରଣନୀତି ଏବଂ ଅନ୍ୟାନ୍ୟ ବିଷୟରେ ସଭ୍ୟ ରାଷ୍ଟ୍ରମାନେ ତଥ୍ୟ ଜାଣିବାକୁ ପାଆନ୍ତି ଏବଂ ତଦନୁସାରେ ନିଜର କାର୍ଯ୍ୟସୂଚୀ ପ୍ରସ୍ତୁତ କରିଥାନ୍ତି। ଏହା ମଧ୍ୟ ଦେଶ-ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଭାଗୀତା ବୃଦ୍ଧିରେ ସହାୟକ ହୋଇଥାଏ। ଭାରତ ପକ୍ଷରୁ ନୀତି ଆୟୋଗ ପ୍ରଥମ ଭିଏନ୍‌ଆର ୨୦୧୭ରେ ଉପସ୍ଥାପିତ କରିଥିଲା।

ଭାରତର ଭିଏନ୍‌ଆର ୨୦୨୦

ଭାରତ ସହିତ ଦ୍ୱିତୀୟ ଥର ପାଇଁ ଏହି ରିପୋର୍ଟ ଯେଉଁସବୁ ଦେଶ ଉପସ୍ଥାପନ କରିଛନ୍ତି ସେଗୁଡିକ ହେଲେ ବାଂଲାଦେଶ, ଜର୍ଜିଆ, କେନିଆ, ମରକ୍କୋ, ନେପାଳ, ନାଇଜର, ନାଇଜେରିଆ ଏବଂ ଉଗାଣ୍ଡା। ରିପୋର୍ଟ ଉପସ୍ଥାପନକାରୀ ଦେଶଙ୍କୁ ଏକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଉପସ୍ଥାପିତ କରିବାକୁ ପଡିଥାଏ। ଯେଉଁଥିରେ ସହଶ୍ରାବ୍ଦୀ ବିକାଶ ଲକ୍ଷ୍ୟ ପୂରଣ ସଂକ୍ରାନ୍ତ କାର୍ଯ୍ୟକ୍ରମର ରୂପାୟନ ତଥ୍ୟାବଳୀ ଥାଏ। ଭାରତ ଏ କ୍ଷେତ୍ରରେ ଯାହାସବୁ ସଫଳତା ହାସଲ କରିଛି ଏଥର ଭିଏନ୍‌ଆରରେ ତାହା ସ୍ଥାନିତ ହୋଇଛି। ରାଜୀବ କୁମାର ତାଙ୍କ ଉଦ୍‌ଘାଟନ ଭାଷଣରେ ଏହି ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ସଂଗ୍ରାମ କରୁଥିବା ରାଷ୍ଟ୍ରଗୁଡିକୁ ସମର୍ଥନ କରି କହିଛନ୍ତି ଯେ କରୋନା ମହାମାରୀ ଯୋଗୁଁ ସେମାନେ ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ। ଭାରତ ଏହି ମହାମାରୀର ମୁକାବିଲା ପାଇଁ ଗ୍ରହଣ କରିଥିବା ଆତ୍ମନିର୍ଭର ଭାରତ ଅଭିଯାନ ସଂପର୍କରେ ସେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ଏହି ସଂକଟ କାଳରେ ଆମେ ସମସ୍ତେ ଭେଦଭାବ ଭୁଲି ଏକାଠି ହୋଇ ଲଢେଇ କରିବା ଉଚିତ। ଏହି ସଂକଟକୁ ଏକ ସୁଯୋଗରେ ପରିଣତ କରିବା ଦିଗରେ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଏହାଦ୍ୱାରା ସହଶ୍ରାବ୍ଦ ବିକାଶ ଲକ୍ଷ୍ୟ ପୂରଣ ସହଜ ହୋଇପାରିବ ବୋଲି ସେ କହିଥିଲେ।

ଭାରତର ସ୍ଥିତି ସଂପର୍କରେ ଉଲ୍ଲେଖକରି ସେ କହିଛନ୍ତି ଯେ ଏହା ଠିକଣା ବାଟରେ ଚାଲିଛି ଏବଂ କେହି ପଛରେ ପଡିଯାଇନାହିଁ। ବହୁମୁଖୀ ଦ୍ରାରିଦ୍ର୍ୟର ଦୂରୀକରଣ, ଖାଦ୍ୟ ନିରାପତ୍ତା ଯୋଗାଣ, ସମସ୍ତଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ନିଶ୍ଚିତ କରିବା, ସମସ୍ତଙ୍କୁ ବିଜୁଳି ସୁବିଧା ଯୋଗଣ, ସ୍ୱଚ୍ଛ ରନ୍ଧନ ଗ୍ୟାସ ସୁବିଧା ଓ ପରିଚ୍ଛନ୍ନତା ତଥା ବିଶ୍ୱର ସର୍ବବୃହତ୍‌ସ୍ୱାସ୍ଥ୍ୟ ବୀମା ବ୍ୟବସ୍ଥା ମାଧ୍ୟମରେ ୫୦ କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଇଛି। ସହଶ୍ରାବ୍ଦ ବିକାଶ ଲକ୍ଷ୍ୟ ପୂରଣ ସହିତ ଲୋକଙ୍କ ଜୀବନ ଜୀବିକାରେ ଏକ ଦୀର୍ଘମିଆଦୀ ପରିବର୍ତ୍ତନ ଆଣିବା ପାଇଁ ଭାରତରେ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଛି। ରାଜ୍ୟ-ରାଜ୍ୟ ଭିତରେ ତଥ୍ୟ ଓ ଜ୍ଞାନକୌଶଳର ଆଦାନପ୍ରଦାନ, ପରସ୍ପରର କାର୍ଯ୍ୟକ୍ରମକୁ ମୂଲ୍ୟାୟନ କରିବାର ସୁଯୋଗ ଏବଂ ସହଯୋଗ ଭିତ୍ତିରେ ଏହି କାର୍ଯ୍ୟ ଚାଲିଛି ବୋଲି ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି। ଏଥର ଭାରତର ସମୀକ୍ଷା ରିପୋର୍ଟରେ ଏକ ବିରାଟ ପରିବର୍ତ୍ତନର ଚିତ୍ର ରହିଛି। ଏଥିରେ ସମାଜର ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି। ଏହି ରିପୋର୍ଟ ପ୍ରସ୍ତୁତ କରିବାରେ ନୀତି ଆୟୋଗ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା, ନାଗରିକ ସମାଜ, ସ୍ଥାନୀୟ ଜନଗୋଷ୍ଠୀ, ଦରିଦ୍ର ବଞ୍ଚିତ ବର୍ଗ ଏବଂ ଘରୋଇ ଉଦ୍ୟୋଗର ସହାୟତା ନେଇଛି। ଏଥିପାଇଁ ୫୦ରୁ ଅଧିକ ଜାତୀୟ ଏବଂ ୧୦୦୦ରୁ ଅଧିକ କ୍ଷୁଦ୍ର କ୍ଷୁଦ୍ର ପରାମର୍ଶ ଶିବିର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ରିପୋର୍ଟ ପ୍ରସ୍ତୁତ ହୋଇଛି। ମହିଳା, ଶିଶୁ, ବୟସ୍କ, ଶାରୀରିକ ଭିନ୍ନକ୍ଷମ, ଏଚଆଇଭି ସଂକ୍ରମିତ ବ୍ୟକ୍ତି ଆଦିଙ୍କ ମତାମତ ସଂଗ୍ରହ କରାଯାଇ ଏଥିରେ ଉପସ୍ଥାପିତ କରାଯାଇଛି।

ଏଥର ଏ ରିପୋର୍ଟ ପ୍ରସ୍ତୁତିରେ ଆନ୍ତର୍ଜାତିକ ସହଯୋଗର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି। ଆନ୍ତର୍ଜାତିକ ସୌର ମେଣ୍ଟ, ବିପର୍ଯ୍ୟୟ ପ୍ରତିରୋଧ, ଭିତ୍ତିଭୂମି ନିର୍ମାଣରେ ସହଯୋଗ ତଥା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସେଣ୍ଡାଇ ଚୁକ୍ତି ଓ ପ୍ୟାରିସ ଚୁକ୍ତିର କାର୍ଯ୍ୟକାରିତା କ୍ଷେତ୍ରରେ ଭାରତର ଉପଲବ୍‌ଧି ଓ ଭୂମିକା ସଂପର୍କରେ ସେ ଉଲ୍ଲେଖ କରିଛନ୍ତି।

ଏହି ରିପୋର୍ଟ ଉପସ୍ଥାପନ ପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଇକ୍ୱେଡର, ବାଂଲାଦେଶ ତଥା ବିଭିନ୍ନ ସଂଗଠନର ସଦସ୍ୟମାନେ ଯୋଗଦେଇଥିଲେ। ଅକ୍ଷୟଶକ୍ତି, ବିତ୍ତୀୟ ସମାବେଶୀ ବ୍ୟବସ୍ଥା ଏବଂ ସରକାରଙ୍କ ଭବିଷ୍ୟତ ରଣନୀତି ଆଦି ସଂପର୍କରେ ଏଥିରେ ଆଲୋକପାତ କରାଯାଇଥିଲା।

ଦଶବର୍ଷର ଉପଲବ୍ଧି ବିଶ୍ୱରୁ ସ୍ଥାନୀୟ

ଏହି ଅବସରରେ ଭାରତର ଭିଏନ୍‌ଆର ୨୦୨୦ ରିପୋର୍ଟ ଉନ୍ମୋଚିତ ହୋଇଥିଲା। ଏଥିରେ ୨୦୩୦ ସୁଦ୍ଧା ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ୧୭ଟି ବିଷୟକ- ସହଶ୍ରାବ୍ଦୀ ବିକାଶ ଲକ୍ଷ୍ୟ ଯୋଜନା ଏବଂ ଏହାର କାର୍ଯ୍ୟକାରିତା ସଂପର୍କରେ ଉଲ୍ଲେଖ ରହିଛି। ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ଏହି କାର୍ଯ୍ୟକ୍ରମକୁ ବିଶ୍ୱସ୍ତରରୁ ଆଣି କିପରି ସ୍ଥାନୀୟ ସ୍ତରରେ କାର୍ଯ୍ୟକାରୀ କରାଯାଉଛି ସେ ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଲକ୍ଷ୍ୟ ହାସଲର ପ୍ରକ୍ରିୟା, ଯୋଜନା, ନୀତି, ପରିସର, ପରିବେଶ ଆଦି ସଂପର୍କରେ ଏଥିରେ ଆଲୋଚନା ହୋଇଥିଲା।

ଏହି ରିପୋର୍ଟରେ ନିରନ୍ତର ବିକାଶ ସଂକ୍ରାନ୍ତ ପ୍ରସଙ୍ଗଗୁଡିକ ଉପରେ ବିଭିନ୍ନ ପକ୍ଷ ଓ ସମୁଦାୟରୁ ସଂଗୃହୀତ ତଥ୍ୟାବଳୀମାନ ଉପସ୍ଥାପିତ ହୋଇଛି। ଏହା ସହିତ ସଂକ୍ଷେପରେ ସମସ୍ୟା ବା ପ୍ରସଙ୍ଗ, ଏହାର ସମାଧାନ ମାର୍ଗ ଓ ଲକ୍ଷ୍ୟ ପୂରଣର ଉପାୟ ଆଦି ବର୍ଣ୍ଣନା କରଯାଇଛି। ମୋଟାମୋଟି ଭାବେ ଦୀର୍ଘ ୧୦ ବର୍ଷର ଏହି କାର୍ଯ୍ୟକ୍ରମର ରୂପାୟନ ପ୍ରକ୍ରିୟା, ଏହାର ବିଭିନ୍ନ ଦିଗ, ପ୍ରଗତି ଓ ଫଳାଫଳ ଏଥିରେ ସ୍ଥାନ ପାଇଛି। ନିର୍ଦ୍ଧାରିତ ୧୭ଟି ମଧ୍ୟରୁ ପ୍ରତ୍ୟେକ ଲକ୍ଷ୍ୟରେ କେତେ ପ୍ରଗତି ହାସଲ କରାଯାଇଛି ଏବଂ କେଉଁ କେଉଁ କ୍ଷେତ୍ରରେ ପ୍ରତିବନ୍ଧକ ରହିଛି ତଥା ସମସ୍ୟା ସମାଧାନର ସଫଳତା ପଥ ଆଦି ସଂପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି।

ଲକ୍ଷ୍ୟ ହାସଲରେ ବିଜ୍ଞାନ, ପ୍ରଯୁକ୍ତି ଓ ନବସୃଜନର ଉପଯୋଗ, କାର୍ଯ୍ୟକ୍ରମର ବ୍ୟୟ ଏବଂ ଏଥିପାଇଁ ସମ୍ବଳ ଯୋଗାଡ଼ ରୂପାୟନ ପ୍ରକ୍ରିୟାରେ ବିଶେଷ ମହତ୍ୱ ରଖୁଥିବାରୁ ସେ ବିଷୟରେ ରିପୋର୍ଟରେ ଉଲ୍ଲେଖ ରହିଛି। ବିଭିନ୍ନ ରାଜ୍ୟ ବିଶେଷକରି ଆକାଂକ୍ଷୀ ଜିଲାଗୁଡିକରୁ ବିଭିନ୍ନ ସଫଳ ଉଦାହରଣମାନ ସଂଗ୍ରହ କରାଯାଇ ନିରନ୍ତର ବିକାଶ ସଂକ୍ରାନ୍ତ, ବୈଶ୍ୱିକ ଚିନ୍ତନ କିପରି ସ୍ଥାନୟୀଭାବରେ ସଫଳତାର ସହ ପ୍ରୟୋଗ ହୋଇପାରୁଛି ତାହା ମଧ୍ୟ ରିପୋର୍ଟରେ ସ୍ଥାନୀତ ହୋଇଛି। ସୂଚନାଯୋଗ୍ୟ ଯେ ନୀତି ଆୟୋଗ ସହଶ୍ରାବ୍ଦ ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଏବଂ ଏହାର ତଦାରଖ କାର୍ଯ୍ୟ କରୁଛି।