Odiapua.com

ପାଖେଇ ଆସୁଛି ଫାଶୀ ତାରିଖ : ଏବେ ତାକୁ ଭୟ ଲାଗୁଛି ! କାନ୍ଥରେ ମୁଣ୍ଡ ପିଟିଲା ନିର୍ଭୟା ଦୋଷୀ ବିନୟ ଶର୍ମା

ନୂଆ ଦିଲ୍ଲୀ ୨୦-୨ (ଓଡ଼ିଆ ପୁଅ) : ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲା(Nirbhaya Rape and murder case)ରେ ଜଣେ ଦୋଷୀ ବିନୟ ଶର୍ମା (Vinay Sharma) ତିହାଡ଼ ଜେଲ(Tihat Jail)ରେ ନିଜକୁ ଆହତ କରିଛି। ବିନୟ ଜେଲ କାନ୍ଥରେ ନିଜ ମୁଣ୍ଡକୁ ପିଟି ନିଜକୁ ଆହତ କରିଛି।

ଜେଲ ଅଧିକାରିମାନଙ୍କ କହିବା ଅନୁସାରେ ବିନୟ ୧୬ ଫେରୃଆରୀରେ ନିଜର ମୁଣ୍ଡକୁ ଜେଲ କାନ୍ଥରେ ପିଟି ଦେଇଥିଲା। ଅବଶ୍ୟ ତାକୁ ସାଧାରଣ ଆଘାତ ଆସିଛି।

ଉଲ୍ଲେଖନୀୟଯେ, ନିର୍ଭୟା କେସର ଚାରି ଦୋଷିମାନଙ୍କୁ ୩ ମାର୍ଚ୍ଚରେ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ବ୍ଲାକ ୱାରେଣ୍ଟ ଜାରୀ କରାଯାଇଛି। କିନ୍ତୁ ଏହା ପୂର୍ବରୁ ଦୁଇ ଦୁଇଥର ଡେଥ ୱାରେଣ୍ଟ ଜାରୀ କରାଯିବା ସତ୍ତ୍ୱେ ବିଭିନ୍ନ ଆଇନଗତ ବିକଳ୍ପ ବ୍ୟବହାର କରି ଦୋଷୀମାନେ ଫାଶୀ ତାରିଖକୁ ଘୁଞ୍ଚାଇବାରେ ସକ୍ଷମ ହୋଇପାରିଛନ୍ତି। କିନ୍ତୁ ବର୍ତ୍ତମାନ ଚାରିଜଣଙ୍କ ମଧ୍ୟରୁ ତିନିଜଣ ଦୋଷୀଙ୍କର ସମସ୍ତ ବିକଳ୍ପ ସମାପ୍ତ ହେବାପରେ ଜଣେ ଦୋଷୀର ଆଉ ଦୁଇଟି ଆଇନଗତ ବିକଳ୍ପ ବାକୀ ଅଛି। ତେେବ ଫାଶୀ ଦଣ୍ଡର ସମୟ ପାଖେଇ ଆସୁଥିବା ବେଳେ ଭୟରେ ତିହାର ଜେଲରେ ଦିନ ଗଣୁଛନ୍ତି ଦୋଷୀମାନେ।

ପୁନଶ୍ଚ ଉଲ୍ଲେଖନୀୟଯେ, ରାଷ୍ଟ୍ରୀୟ ରାଜଧାନୀର ବସନ୍ତ ବିହାର ନାମକ ସ୍ଥାନରେ ୧୬ ଡିସେମ୍ବର, ୨୦୧୨ ରାତିରେ ୨୩ ବର୍ଷର ପାରାମେଡିକାଲ ଛାତ୍ରୀ ନିର୍ଭୟା ସହିତ ଚଳନ୍ତା ବସରେ ବହୁତ ବର୍ବରତାର ସହିତ ଗଣ ଦୁଷ୍କର୍ମ କରାଯାଇଥିଲା। ଏହି ଜଘନ୍ୟ ଘଟଣାରେ ପୀଡ଼ିତାକୁ ଚିକିତ୍ସା ପାଇଁ ସରକାର ସିଙ୍ଗାପୁର ନେଇଥିଲେ ଯେଉଁଠାରେ ଚିକିତ୍ସା ସମୟରେ ନିର୍ଭୟାର ମୃତ୍ୟୁ ହୋଇଥିଲା।

ଏହି ମାମଲାରେ ଦିଲ୍ଲୀ ପୁଲିସ ବସ ଚାଲକ ସହିତ ଛଅଜଣଙ୍କୁ ଗିରଫ କରିଥିଲା। ଏମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ସାମିଲ ଥିଲା। ଏହି ମାମଲାରେ ନାବାଳକକୁ ତିନି ବର୍ଷ ପର୍ଯ୍ୟନ୍ତ ସୁଧାର ଗୃହରେ ରଖିବା ପରେ ଛାଡ଼ିଦିଆଗଲା। ଆଉ ଜଣେ ଦୋଷୀ ରାମ ସିଂହ ଜେଲରେ ଆତ୍ମହତ୍ୟା କରିଥିଲା। ଫାଷ୍ଟ ଟ୍ରାକ କୋର୍ଟ ଏହି ମାମଲାରେ ଚାରିଜଣ ଅଭିଯୁକ୍ତ ପବନ, ଅକ୍ଷୟ, ବିନୟ ଏବଂ ମୁକେଶକୁ ଦୋଷୀ ମାନି ପାଶୀ ଦଣ୍ଡ ଶୁଣାଇ ଥିଲେ। ଫାଷ୍ଟ ଟ୍ରାକ କୋର୍ଟର ଏହି ନିଷ୍ପତିକୁ ହାଇକୋର୍ଟ ଏବଂ ସୁପ୍ରୀମ କୋର୍ଟ ମଧ୍ୟ ଅପରିବର୍ତ୍ତିତ ରଖିଥିଲେ।