Odiapua.com

ହତ୍ୟା ନାଁ ଆତ୍ମହତ୍ୟା?ଲକ୍ଷ୍ମୀଧରଙ୍କ ମୃତ୍ୟୁକୁ ନେଇ ସପେନ୍ସ!

ଥମୁନି ବିବାଦ,ତୁରନ୍ତ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଦାବି

ରହିଛି ଆଉ ଏକ ଭିଡିଓ?
ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଘଟିଥିବା ଲକ୍ଷ୍ମୀଧରଙ୍କ ମୃତ୍ୟୁ ଘଟଣା ବିବାଦ ଥମିବାର ନାଁ ନେଉନି।ସୋମବାର ଦିନ ନିରାକାରପୁର ସରପଞ୍ଚ ହୃଷିକେଶ ରାଉତରାୟଙ୍କ ନେତୃତ୍ୱରେ ମହିଳାଙ୍କ ସମେତ କିଛି ଲୋକ ତଥା ବିଜେଡି ସମର୍ଥିତ ନିରାକାରପୁର ଥାନାରେ ଏକ ଦାବି ପତ୍ର ଦେଇଛନ୍ତି।ତୁରନ୍ତ ତଦନ୍ତ ସାରି ଲକ୍ଷ୍ମୀଧରଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ଦାବିରେ ଏହି ଦାବି ପତ୍ର ଦିଆଯାଇଛି।

ଦାବିପତ୍ରରେ ଲେଖାଯାଇଛି,ଗତ ୧୬ ତାରିଖରେ ଲକ୍ଷ୍ମୀଧର ବେହେରାଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଲୋକମାନଙ୍କ ମଧ୍ୟରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି।ସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି, କିମ୍ବା ତାଙ୍କୁ ବିଷ ପିଆଇ ହତ୍ୟା କରାଯାଇଛି!ସେ ଭିଡିଓ କେଉଁ ଜାଗାରେ ପ୍ରସ୍ତୁତ କରାଯାଇଛି?କିଏ ପ୍ରସ୍ତୁତ କରିଛି?ସେ ଭିଡିଓରେ ଥିବା କହୁଥିବା ସ୍ୱରଟି କାହାର?ଭିଡିଓରେ ଥିବା ତଥ୍ୟକୁ ଆଧାର କରି ଏଥିରେ କେଉଁମାନେ ସଂପୃକ୍ତ,ତା’ର ବାସ୍ତବ ସତ୍ୟ ଲୋକ ଲୋଚନକୁ ଅଣାଯାଉ।ଉକ୍ତ ଘଟଣାକୁ କେନ୍ଦ୍ରକରି ଏହାକୁ ରାଜନୈତିକ ରୂପରେଖ ଦେବାର ହିନ ଚକ୍ରାନ୍ତକୁ ବନ୍ଦ କରାଯାଇ ପ୍ରକୃତ ଦୋଷୀକୁ ଧରାଯାଉ।ଦୁଃଖ ଦୁର୍ଦ୍ଦିନରେ ଭାଙ୍ଗି ପଡ଼ିଥିବା ଲକ୍ଷ୍ମୀଧର ବେହେରାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରାଯାଉ।ଏହା ସହ ତୁରନ୍ତ ତଦନ୍ତ କରି ସଂପୃକ୍ତ ଦୋଷୀମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ନିରାକାରପୁରକୁ ସଂପୂର୍ଣ୍ଣ ଅଚଳ କରିଦିଆଯିବାର ଧମକ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଲକ୍ଷ୍ମୀଧରଙ୍କ ମୃତଦେହ ବିଲ ମଝିରୁ ମିଳିବା ପରେ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଗଲା।ତେବେ ମୃତ୍ୟୁ ପୂର୍ବରୁ ଲକ୍ଷ୍ମୀଧରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା।ଯେଉଁଥିରେ ଗ୍ରାମାଞ୍ଚଳ ଆବାସ ଯୋଜନାରେ ଘର ପାଇବାକୁ ନେଇ ତାଙ୍କୁ ବ୍ଲକ ଅଫିସରେ ଟଙ୍କା ମଗାଯାଇଥିବା ସେ କହିଥିଲେ।ତେଣୁ ଏହାକୁ ନେଇ ରାଜନୀତି ଜୋର ଧରିଲା।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ,ପୂର୍ବତନ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ରଙ୍କ ସମେତ ବିଜେପି ନେତାମାନେ ଲକ୍ଷ୍ମୀଧରଙ୍କ ଘରକୁ ଗଲେ।ଏବଂ ମିଡିଆରେ ଛାଇ ଯାଇଥିବା ସେହି ଭାଇରାଲ ଭିଡିଓ ଆଧାରରେ ଧର୍ମେନ୍ଦ୍ର ପ୍ରଧାନ ତତ୍କ୍ଷଣାତ ନବୀନ ସରକାର,ବିଡିଓ,ବ୍ଲକ ଅଫିସ,ପିସି କାରବାର ଆଦିକୁ ଆକ୍ଷେପ କରି କହିଲେ।ତେବେ ଖୋର୍ଦ୍ଧା ବିଧାୟକ ଲକ୍ଷ୍ମୀଧରଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକଟ କରିଥିଲେ।ଏପରିକି ତାଙ୍କୁ କେହି ମଦ ପିଆଇ ଏପରି କରିଥିବା ଅଭିଯୋଗ ଉଠାଇଥିଲେ।ସରପଞ୍ଚ ହୃଷୀକେଶ ରାଉତରାୟ କହିଥିଲେ, ଲକ୍ଷ୍ମୀଧରଙ୍କ ପତ୍ନୀ କୁମାରୀ ବେହେରାଙ୍କ ନାମରେ ତିତିିଲି ଜନିତ କ୍ଷୟକ୍ଷତି ଆଧାରରେ ଗୃହ ନିର୍ମାଣ ପାଇଁ ମଞ୍ଜୁରୀ ହୋଇସାରିଛି।ପିଠା କାର୍ଯ୍ୟକ୍ରମ ଦିନ ଅନ୍ୟ ହିତାଧିକାରୀଙ୍କ ସମେତ ତାଙ୍କୁ କାର୍ଯ୍ୟାଦେଶ ଦିଆଯିବ।ଏବଂ ୧୮ ତାରିଖରେ ପିଠା କାର୍ଯ୍ୟକ୍ରମରେ କୁମାରୀ ବେହେରାଙ୍କୁ କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଥିଲା।ଏ ଭିତରେ ଏପରି ଘଟଣା ଘଟି ଯାଇଥିବାରୁ ବିଡିଓ, ତହସିଲଦାର, ସରପଞ୍ଚ ଲକ୍ଷ୍ମୀଧରଙ୍କ ଘରକୁ ଯାଇ ତାଙ୍କ ପତ୍ନୀ କୁମାରୀ ବେହେରାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।ସେ ସମୟରେ କୁମାରୀ ବେହେରା ବ୍ଲକ ଅଫିସରେ ତାଙ୍କୁ ଟଙ୍କା ମଗାଯିବା କଥାକୁ ଅସ୍ୱୀକାର କରିଥିଲେ।ଟଙ୍କା ମଗାଯିବା ନେଇ ଲକ୍ଷ୍ମୀଧର ତାଙ୍କୁ କେବେ କହିଥିଲେ କି,ପଚାରି ଯିବାରେ ସେ ମନା କରିଥିଲେ।ତେବେ ଗୋଟେ ଭିଡିଓ ଭାଇରାଲକୁ ନେଇ ସିନା ପ୍ରଥମେ ଘଟଣା ଗୋଟିଏ ଦିଗକୁ ଯାଉଥିଲା।କିନ୍ତୁ ପରେ ଲକ୍ଷ୍ମୀଧରଙ୍କର ଆଉ ଏକ ଭିଡିଓ ଆସିବା ପରେ ଘଟଣା ମୋଡ଼ ବଦଳାଇଲା।ଏବେ ପୁଣି ଆଉ ଭିଡିଓ ଥିବା କଥା କୁହାଯାଉଛି।ମୃତକଙ୍କୁ ନେଇ ଚାଲିଥିବା ଏହି ରାଜନୀତି ଭିତରେ କିନ୍ତୁ ବାସ୍ତବ ସତ୍ୟ କ’ଣ ତାହା ଜାଣିବାକୁ ସ୍ଥାନୀୟ ଲୋକ ଚାହିଁ ବସିଛନ୍ତି।/ଦେବଦତ୍ତ

ମୃତକଙ୍କୁ ନେଇ ରାଜନୀତି:ଲକ୍ଷ୍ମୀଧରଙ୍କ ମୃତ୍ୟୁର କାରଣ କ’ଣ?