Odiapua.com

ମୃତକଙ୍କୁ ନେଇ ରାଜନୀତି:ଲକ୍ଷ୍ମୀଧରଙ୍କ ମୃତ୍ୟୁର କାରଣ କ’ଣ?

★ଗୋଟିଏ ନୁହେଁ,ଲକ୍ଷ୍ମୀଧରଙ୍କର ଦୁଇଟି ଭିଡିଓ ଜାରି!

★ଆଜି ସରପଞ୍ଚଙ୍କ ଉପସ୍ଥିତିରେ ଲକ୍ଷ୍ମୀଧରଙ୍କ ପତ୍ନୀ କୁମାରୀ ବେହେରାଙ୍କ ଭିଡିଓ ଜାରି

ଭୁବନେଶ୍ୱର:ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନିରାକାରପୁର ପାଟଣା ସାହିର ଲକ୍ଷ୍ମୀଧର ବେହେରଙ୍କର ମୃତ ଦେହ ଉଦ୍ଧାର ହେଲା ମାଳୁଣି ପୋଖରୀ ପଛପଟେ ଥିବା ବିଲ ନିକଟସ୍ଥ ଏକ ଆମ୍ବଗଛ ନିକଟରୁ।ଦାନାଦାର ଖାଇ ଲକ୍ଷ୍ମୀଧର ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି।ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଛି।ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି।

ତେବେ ଏହି ଘଟଣାକୁ ନେଇ ରାଜନୀତି ଏବେ ଜୋର ଧରିଛି।କାରଣ ହେଲା ଲକ୍ଷ୍ମୀଧରଙ୍କ ମୃତ୍ୟୁ ପୂର୍ବରୁ ଭାଇରାଲ ହୋଇଥିବା ତାଙ୍କର ଭିଡିଓ।ଭିଡିଓରେ ଲକ୍ଷ୍ମୀଧର ଗ୍ରାମାଞ୍ଚଳ ଆବାସ ଯୋଜନାରେ ଘର ନପାଇବା,ଏଥିଲାଗି ବ୍ଲକ କାର୍ଯ୍ୟଳୟରେ ତାଙ୍କୁ ୧୫/୨୦ ହଜାର ଟଙ୍କା ମଗାଯିବା ଆଦି ନେଇ ଅଭିଯୋଗ କରିଛନ୍ତି।ଭିଡିଓ ଲକ୍ଷ୍ମୀଧରଙ୍କର ମୃତ୍ୟୁର ୩/୪ ଦିନ ପୂର୍ବରୁ ଭାଇରାଲ ହୋଇଛି।ତେଣୁ ମୃତ୍ୟୁ ପୂର୍ବରୁ ମୃତକଙ୍କ ଭାଇରାଲ ଭିଡିଓ ରାଜନୀତିଆଙ୍କୁ ରାଜନୀତି କରିବାକୁ ସୁଯୋଗ ଦେଇଛି।

https://twitter.com/odiapuanews/status/1086324776560320512

ଗୁରୁବାର ଅପରାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅପରାଜିତା ଷଡ଼ଙ୍ଗୀ,ଖୋର୍ଦ୍ଧାର ପୂର୍ବତନ ବିଧାୟକ ମୃତକଙ୍କ ପରିବାରକୁ ଯାଇ ଭେଟିଛନ୍ତି।ଏବଂ ତତ୍କ୍ଷଣାତ ଧର୍ମେନ୍ଦ୍ର ପ୍ରଧାନ ଏନେଇ ବିଜେଡି ଶାସନ,ନବୀନ ସରକାର,ବିଡିଓ, ବ୍ଲକ ଅଫିସ ଏବଂ ପିସି କାରବାରକୁ ଆକ୍ଷେପ କରିଛନ୍ତି।ଏଣେ ନିରାକାରପୁର ସରପଞ୍ଚ ହୃଷୀକେଶ ରାଉତରାୟଙ୍କ ସହିତ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ ମଧ୍ୟ ମୃତକଙ୍କ ପରିବାରକୁ ଭେଟିଛନ୍ତି।ଏଠି ଭିନ୍ନ କଥା କୁହାଯାଉଛି।ରାଜେନ୍ଦ୍ର ସାହୁ କହିଛନ୍ତି,କିଏ ତାଙ୍କୁ ଲାଞ୍ଚ ମାଗିଛନ୍ତି ତାର ତଦନ୍ତ ହୋଇ ସତ୍ୟ ହୋଇଥିଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ହେବା ଉଚିତ।କିନ୍ତୁ ଯଦି ସତ୍ୟ ହୋଇ ନଥିବ?ଉଦ୍ଧେଶ୍ୟ ମୂଳକ ଭାବରେ ଗୋଟେ ଲୋକକୁ ମଦ ପିଆଇ ଭିଡିଓ ଭାଇରାଲ କରି,୪ ଦିନ ହେଲା ଭିଡିଓ ଭାଇରାଲ ହେଲାଣି। ହଠାତ କେମିତି ମରିଗଲା ବୋଲି ବିଧାୟକ ପ୍ରଶ୍ନ ଉଠାଇଛନ୍ତି।ସରପଞ୍ଚଙ୍କ କହିବା ଅନୁଯାୟୀ ଲକ୍ଷ୍ମୀଧରଙ୍କ ପତ୍ନୀ କୁମାରୀଙ୍କ ନାମରେ ତିତିଲି ଜନିତ କ୍ଷୟକ୍ଷତି ଯୋଜନାରେ ଗୃହ ନିର୍ମାଣ ପାଇଁ ମଞ୍ଜୁରୀ ହୋଇଯାଇଛି।୧୪ ନମ୍ବର କ୍ରମିକ ନମ୍ବରରେ ଓଆରଟି ୨୪୨୩୦୦୯୩୪୮୭୬୧ରେ ତାଙ୍କ ନାମ ରହିଛି।ଆଜି ପିଠା କାର୍ଯ୍ୟକ୍ରମରେ ଲଷ୍ମୀଧର ବେହେରାଙ୍କ ପତ୍ନୀଙ୍କୁ ଟାଙ୍ଗି ବିଡିଓ ଭାସ୍କର ରାଇତ,ବ୍ଲକ ଚ୍ୟାୟରମ୍ୟାନ ବିଜୟ କୁମାର ଜେନା ଏବଂ ସରପଞ୍ଚ ହୃଷିକେଶ ରାଉତରାୟ ଗୃହ ନିର୍ମାଣ ପାଇଁ ତାଙ୍କ ବାସଭବନକୁ ଯାଇ କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର କହିଛନ୍ତି ଯାହା ନିର୍ଦ୍ଦେଶ ଦିଆଯାଇଛି,ବ୍ଲକ ଅଫିସର କେହି ଟଙ୍କା ମାଗି ନଥିବେ।ଯଦି କେହି ତୃତୀୟ ପକ୍ଷ ଟଙ୍କା ମାଗିଥିବେ,ତାର ତଦନ୍ତ ହେବ।

https://twitter.com/odiapuanews/status/1086327658777059328

ଏଣେ ଲକ୍ଷ୍ମୀଧରଙ୍କ ପତ୍ନୀ କୁମାରୀ ବେହେରାଙ୍କ କଥା ଆଉ କିଛି ରହୁଛି।ଗଣମାଧ୍ୟମ ଆଗରେ କୁମାରୀ ଭିନ୍ନ ପ୍ରକାର କହିଥିବା ବେଳେ ଏଫଆଇଆରରେ ଭିନ୍ନ ପ୍ରକାର ଦର୍ଶାଇଛନ୍ତି।ଗଣମାଧ୍ୟମ ଆଗରେ ସେ ଟଙ୍କା କରଜ କଥା କହିଥିବା ବେଳେ ଏଫଆଇଆରରେ ଭାଗଚାଷ,ଫସଲ ନଷ୍ଟ,ହାତ ଉଦ୍ଧାରି,କରଜ ଆଦି କଥା ଲେଖିବା ସହ ରୃଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଛନ୍ତି ବୋଲି କହିଛନ୍ତି।ଶେଷରେ ବିଦ୍ର:ରେ ବାସଗୃହ ନିର୍ମାଣ ପାଇଁ ବାରମ୍ବାର ସରକାରୀ ଅଫିସକୁ ଧାଇଁ ନିରାଶ ହୋଇଛୁ ବୋଲି ଉଲ୍ଲେଖ କରିଛନ୍ତି।

ତେବେ ଏଠାରେ ଆହୁରି କେତେକ କଥା ମଧ୍ୟ ଉଠୁଛି।ପ୍ରଥମତଃ ଲକ୍ଷ୍ମୀଧରଙ୍କର ଗୋଟିଏ ନୁହେଁ ୨ଟି ଭିଡିଓ ଜାରି ହୋଇଛି।ଗୋଟିଏ ଭିଡିଓରେ ସେ ସାଧାରଣରେ କହିଥିବା ବେଳେ ଆଉ ଏକ ଭିଡିଓରେ କାନ୍ଦି କାନ୍ଦି କହିଛନ୍ତି।ଗୋଟିଏ ଭିଡିଓରେ ବ୍ଲକ ଅଫିସ,ଲାଞ୍ଚ ମଗାଯିବା କଥା କହିଥିବା ବେଳେ ଅନ୍ୟ ଭିଡିଓଟିରେ ବିଡିଓଙ୍କ ସମେତ ସରପଞ୍ଚ,ୱାର୍ଡ ମେମ୍ବର କେହି ତାଙ୍କ କଥା ଶୁଣି ନଥିବା କହିଛନ୍ତି।ଗୋଟେ ଭିଡିଓରେ କେବଳ ନେହୁରା,ଅନୁରୋଧ କରିଥିବା ବେଳେ ଗୋଟେ ଭିଡିଓରେ ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି।

ଆଲୋଚନା ହେଉଛି ଭିଡିଓ ଜାରି ପରେ ସରପଞ୍ଚଙ୍କ ସମର୍ଥକ ତଥା କିଛି ବିଜେଡି କର୍ମି ଏନେଇ ଲକ୍ଷ୍ମୀଧରଙ୍କୁ ପଚରାଉଚରା କରିଥିଲେ।ଏହାପରେ ଲକ୍ଷ୍ମୀଧର ଦିନେ ଦୁଇଦିନ ଘରୁ ଦୂରେଇ ରହିଥିଲେ।ଡିଆ କପିଳେଶ୍ୱରଙ୍କ ମନ୍ଦିରକୁ ସେ ଯାଇଥିବା ଶୁଣିବାକୁ ମିଳୁଛି।ଏହାପରେ ତାଙ୍କ ସାଇକେଲ ମଧ୍ୟ ଉଦ୍ଧାର ହୋଇଥିବା ଶୁଣିବାକୁ ମିଳୁଛି।ତା’ପରେ ବିଲ ମଝିରୁ ତାଙ୍କ ମୃତ ଦେହ ଉଦ୍ଧାର ହୋଇଛି।ଯିଏ ଯାହା ଦଳୀୟ ଚଷମାରେ ଘଟଣାଟିକୁ ଦେଖୁଛନ୍ତି।କିନ୍ତୁ ବାସ୍ତବ ଘଟଣା ସମ୍ନାକୁ ଆସୁ ବୋଲି ସାଧାରଣରେ ଲୋକେ ଚାହୁଁଛନ୍ତି।/ଦେବଦତ୍ତ