Odiapua.com

ପ୍ୟାକେଜିଂରେ ଅତ୍ୟଧିକ ପ୍ଲାଷ୍ଟିକର ବ୍ୟବହାର କରୁଛନ୍ତି ଆମାଜନ ଏବଂ ଫ୍ଲିପକାର୍ଟ – କାର୍ଯ୍ୟାନୁଷ୍ଠାନ ଅଭାବରୁ NGT ର ଅସନ୍ତୋଷ

ନୂଆଦିଲ୍ଲୀ ସେପ୍ଟେମ୍ବର ୧୧ (ଓଡିଆ ପୁଅ) ଇ-କମର୍ସ ପ୍ଲାଟଫର୍ମ ଆମାଜନ ଏବଂ ଫ୍ଲିପକାର୍ଟଙ୍କ ବିରୋଧରେ ଏକ ଆବେଦନ ଶୁଣାଣି କରି ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ୍ (NGT), କମ୍ପାନୀଗୁଡିକ ଦ୍ୱାରା ପ୍ୟାକେଜିଂରେ ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଅଭାବରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗ୍ରୀନ ଟ୍ରିବ୍ୟୁନାଲ ଏହା ଉପରେ ଆଲୋକପାତ କରିଛନ୍ତି ଯେ, ପ୍ରଚଳିତ ନିୟମ ସତ୍ତ୍ୱେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଏ ବାବଦରେ କୌଣସି ଦୃଢ ପଦକ୍ଷେପ ନ ନେବାର କ’ଣ କାରଣ ହୋଇପାରେ।

NGT ଉଲ୍ଲେଖ କରିଛନ୍ତି ଯେ, କର୍ତ୍ତୃପକ୍ଷ “ପ୍ରଦୂଷଣକାରୀ ଦେୟ” ର ନିର୍ଦ୍ଦେଶ ପାଳନ କରୁନାହାଁନ୍ତି, ଯେହେତୁ ସେଠାରେ ଏହାର ନିୟମ ରହିଛି। ଏହା ପରେ NGT, CPCB କୁ ଏହି ପ୍ରସଙ୍ଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଏବଂ ଅକ୍ଟୋବର ୧୪ ସୁଦ୍ଧା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

ଆମାଜନ ଏବଂ ଫ୍ଲିପକାର୍ଟକୁ ସେମାନଙ୍କ ପ୍ୟାକେଜିଂରେ ଅତ୍ୟଧିକ ପ୍ଲାଷ୍ଟିକ ବ୍ୟବହାରରୁ ନିବୃତ୍ତ କରିବା ପାଇଁ ତାଙ୍କ ଓକିଲଙ୍କ ଜରିଆରେ ଟ୍ରିବ୍ୟୁନାଲକୁ ଯାଇଥିବା ୧୬ ବର୍ଷର ବାଳକ ଆଦିତ୍ୟ ଦୁବେଙ୍କ ଦ୍ୱାରା ଏହି ଆବେଦନ କରାଯାଇଥିଲା।