Odiapua.com

ନୂଆ ଟ୍ରାଫିକ ନିୟମ : ଗୁଜରାଟ ପରେ କର୍ଣ୍ଣାଟକ କମ କରିବ ଜରିମାନା ରାଶି !

କର୍ଣ୍ଣାଟକ ୧୧-୯ (ଓଡ଼ିଆ ପୁଅ) କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏବେ ଗୁଜରାଟ ପଥରେ ଯିବାକୁ ମନ ବଳାଇଲେଣି। ଅର୍ଥାତ୍ ସାଧାରଣ ଲୋକଙ୍କ ଅସନ୍ତୋଷ ପରେ ଏବେ ପୁଣି ଏକ ବିଜେପି ଶାସିତ ରାଜ୍ୟ ନୂଆ ମୋଟର ଯାନ ଆଇନ୍ ଉଲ୍ଲଙ୍ଘନ ଉପରେ ଲଗାଯାଉଥିବା ଜରିମାନା ରାଶିକୁ କମ କରିବାକୁ ଯାଉଛି। ସେଥିପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ରାଜ୍ୟର ପରିବହନ ଅଧିକାରୀମାନଙ୍କୁ ଆସନ୍ତା ପାଞ୍ଚଦିନ ମଧ୍ୟରେ ରାଜ୍ୟରେ ହେଉଥିବା ନିୟମର ଉଲ୍ଲଙ୍ଘନର ମାତ୍ରା ଏବଂ ଏହା ଉପରେ ଜରିମାନା ଉପରେ ବିଶେଷ ରୂପରେ ତର୍ଜମା କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୁହାଯାଉଛିଯେ, ଗୁଜରାତ ମଡ଼େଲରେ କର୍ଣ୍ଣାଟକ ଜରିମାନା ରାଶି କମ କରିବ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟଯେ, ସାରା ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଦେଖାଯାଇଛି। ଆମ ରାଜ୍ୟରେ ଆଗାମୀ ୩ ମାସ ପର୍ଯ୍ୟନ୍ତ ନୂଆ ନିୟମକୁ କୋହଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଲେ ଗୁଜରାଟ ସରକାର ଜରିମାନା ରାଶିକୁ ଅଧା କରିଦେଇଛନ୍ତି। ସଂଶୋଧିତ ମୋଟରଯାନ ଆଇନରେ ବିନା ହେଲମେଟରେ ଦୁଇଚକିଆ ଗାଡି ଚଳାଇଲେ ହଜାରେ ଟଙ୍କା ଫାଇନର ବ୍ୟବସ୍ଥା ଥିବାବେଳେ ଗୁଜରାଟ ସରକାର ଏହାକୁ ୫ ଶହ ଟଙ୍କା କରିଛନ୍ତି। ସେହିଭଳି ସିଟବେଲ୍ଟ ନବାନ୍ଧିଲେ ହଜାରେ ବଦଳରେ ୫ ଶହ ଟଙ୍କା ଦେବାକୁ ପଡିବ। ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡି ଚଳାଇ ଧରାପଡିବା ଅବସ୍ଥାରେ ନୂଆ ସଂଶୋଧିତ ଆଇନରେ ୫ ହଜାର ଟଙ୍କା ଫାଇନ ଥିବାବେଳେ ଗୁଜରାଟ ସରକାର ଦୁଇଚକିଆ ଯାନ ଚାଳକଙ୍କ ପାଇଁ ୨ ହଜାର ଓ ଅନ୍ୟାନ୍ୟ ଜରିମାନା ରାଶି କମ କରିଦେଇଥିବା ବେଳେ କର୍ଣ୍ଣାଟକର ବିଜେପି ସରକାର ଏବେ ଏହାକୁ ଲାଗୁ କରିବା ପାଇଁ ଯାଉଛନ୍ତି।