Odiapua.com

ଓଡ଼ିଶା ସରକାରଙ୍କ ନୂତନ ପଦକ୍ଷେପ ନିଶୁଳ୍କ ଟେଲିମେଡ଼ିସିନ୍ ସେବା – ପଢ଼ନ୍ତୁ କିପରି ପାଇବେ ଏହି ସେବା

ଭୁବନେଶ୍ୱର ୭ା୪ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭୂତାଣୁ ରୋଗ (କୋଭିଡ୍ -୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗଚୀ, ସୂଚନା ଓ ଲୋକସଂପର୍କ କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ପୂର୍ଭ ବିଭାଗ ଶାସନ ସଚିବ ଡ. କ୍ରିଷନ୍‌ କୁମାର ଆଜି ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଡାକ୍ତର, ସ୍ଵାସ୍ଥ୍ୟ କର୍ମଚାରୀ, ନର୍ସ, ଆଶାକର୍ମୀ ଏବଂ ପ୍ରସୂତି ସହାୟିକାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟ ସରକାର କୋଭିଡ଼୍–୧୯ର ଦୃଢ଼ ମୁକାବିଲା କରିବା ନିମନ୍ତେ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ମହାମାରୀର ମୁକାବିଲା ଦିଗରେ ଡାକ୍ତରମାନଙ୍କର ଭୂମିକା ସର୍ବଗରିଷ୍ଠ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସରକାର ସମ୍ଭାବ୍ୟ କୋଭିଡ୍ ରୋଗୀ ଯେଉଁମାନଙ୍କଠାରେ ଜ୍ୱର, କାଶ, ଥଣ୍ଡା, ଶ୍ୱାସଜନିତ ଲକ୍ଷଣ ପ୍ରକାଶ ପାଉଛି ସେମାନଙ୍କୁ ସ୍ଵାସ୍ଥ୍ୟ ପରାମର୍ଶ ଓ ସହାୟତା ଯୋଗାଇଦେବା ନିମନ୍ତେ ଏକ ଉତ୍ସର୍ଗୀକୃତ ନିଃଶୁଳ୍କ ଟେଲିମେଡିସିନ୍ ସହାୟତା ନଂ-୧୪୪୧୦ ଆରମ୍ଭ କରିବାକୁ ଯାଉଛନ୍ତି। ଏଭଳି ଏକ ଅସାଧାରଣ ସମୟରେ ରୋଗୀମାନଙ୍କୁ ସ୍ବତଃପ୍ରବୃତ୍ତ ଭାବରେ ଏହି ଟେଲି ମେଡିସିନ୍ ସହାୟତା ସେବା ଯୋଗାଇଦେବାକୁ ଆଗେଇ ଆସିବା ପାଇଁ ରାଜ୍ୟ ତଥା ଦେଶର ଡାକ୍ତରମାନଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଏଥି ପାଇଁ ଉଦ୍ଦିଷ୍ଟ ୱେବ୍‌ସାଇଟ୍ www.bit.ly_IndiaTeleMed ରେ ପଞ୍ଜୀକରଣ କରିବାକୁ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟ ଏହି ଡାକ୍ତରମାନଙ୍କ ତ୍ୟାଗ ପାଇଁ ସେମାନଙ୍କ ନିକଟରେ କୃତଜ୍ଞ ରହିବ। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଏ ପର୍ଯ୍ୟନ୍ତ ୩୦୦ରୁ ଊର୍ଦ୍ଧ ଡାକ୍ତର ଏହି ୱେବ୍‌ସାଇଟ୍ ଜରିଆରେ ପଞ୍ଜିକରଣ କରିଛନ୍ତି।

ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବୁଧବାର ୮ ତାରିଖ ଠାରୁ ରାଜ୍ୟରେ ଟେଲିମେଡିସିନ୍ ହେଲ୍ପଲାଇନ୍ ନମ୍ବରକୁ କାର୍ଯ୍ୟକାରୀ କରିବେ। ଲୋକେ ଘରେ ଥାଇ ହେଲ୍ପଲାଇନ ଏହି ନମ୍ବର-୧୪୪୧୦କୁ ଫୋନ କରି ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପରାମର୍ଶ ପାଇପାରିବେ। ତା’ ସହିତ ରୋଗୀଙ୍କୁ ଏହି ହେଲ୍ପଲାଇନ ମାଧ୍ୟମରେ ଡାକ୍ତରୀ ପରାମର୍ଶ ମଧ୍ୟ ମିଳିପାରିବ। ଏହି ହେଲ୍ପଲାଇନ ନମ୍ବର ୧୦୪ ଭଳି କାମ କରିବ ବୋଲି କହିଛନ୍ତି ସଚିବ ଡ. କ୍ରିଷ୍ଣ କୁମାର। କୋଭିଡ-୧୯ ମୁଖ୍ୟ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ଡ. କ୍ରିଷ୍ଣ କୁମାର କହିଛନ୍ତି, ରାଜ୍ୟ ସରକାର ଟେଲିମେଡିସିନ ହେଲ୍ପଲାଇନ ନମ୍ବର-୧୪୪୧୦ ଖୁବ ଶୀଘ୍ର ଜାରି ହେବାକୁ କରବାକୁ ଯାଉଛନ୍ତି। ଟେଲିମେଡିସିନ ହେଲ୍ପଲାଇନରେ ଆଇଭିଆରଏସ ସିଷ୍ଟମ ବ୍ୟବସ୍ଥା ଅଛି। ଏହାରି ମାଧ୍ୟମରେ ଟେଲିମେଡିସିନ ପାଇଁ ନିଯୁକ୍ତ ହୋଇଥିବା ୩୦୦ ଡାକ୍ତର ଯୋଡ଼ି ହୋଇଯିବେ। ଲୋକେ ଏହି ଟେଲିମେଡିସିନ ହେଲ୍ପଲାଇନକୁ ଫୋନ କରି ଉପକୃତ ହେବେ।