Odiapua.com

ନେତାଜୀଙ୍କ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରହାଳୟ ଆଜି ଖୋଲିଲା

ପୁରୀ, ୨୩/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : କୋଭିଡ଼ କଟକଣା ଯୋଗୁଁ ବନ୍ଦ ଥିବା ପୁରୀର ନେତାଜୀ ସଂଗ୍ରହାଳୟ ଖୋଲାଯାଇଛି। ନେତାଜୀଙ୍କ ଜନ୍ମ ତିଥିରେ ତାଙ୍କ ପୈତୃକ ବାସ ଭବନରେ ନିର୍ମିତ ଏହି ସଂଗ୍ରହାଳୟ ଅଦାଲତି ବିବାଦ ଯୋଗୁଁ ମଧ୍ୟ ବନ୍ଦ ପଡ଼ିଥିଲା। ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ଅଗଚୋରରେ ରହିଥିବା ଏହି ଘରକୁ ସଂସ୍କୃତି ବିଭାଗ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରି ସଂଗ୍ରହାଳୟରେ ପରିଣତ କରିଛି। ପୁରୀରେ ରହିଥିବା ନେତାଜୀଙ୍କ ପୈତୃକ ଘର ତାଙ୍କ ପିତା ଜାନକୀ ନାଥ ବୋଷଙ୍କ ନାମରେ ଥିବା ଏହି ଶତାଧିକ ବର୍ଷର କୋଠା ବହୁ ବର୍ଷ ଧରି ଜନସାଧାରଣଙ୍କ ଆଢ଼ୁଆଳରେ ରହିଥିଲା। ୨୦୧୯ ମସିହାରେ ଏହା ନେତାଜୀ ସଂଗ୍ରହାଳୟରେ ପରିଣତ ହେବା ପରେ ଦୀର୍ଘ ଦିନ ଧରି ବନ୍ଦ ରହିଥିଲା। ଅଦାଲତି ବିବାଦ ଓ କୋଭିଡ଼ କଟକଣା ଯୋଗୁଁ ବନ୍ଦ ଥିବା ଏହି ସଂଗ୍ରହାଳୟ ଆଜି ଖୋଲିଛି। ନେତାଜୀଙ୍କ ଜନ୍ମ ଦିନରେ ଏହା ଖୋଲିବା ପରେ ପର୍ଯ୍ୟଟକମାନେ ନେତାଜୀଙ୍କ ପୈତୃକ ଘର ସହ ତାଙ୍କ ବ୍ୟବହୃତ ସାମଗ୍ରୀ ଦେଖିବାର ସୁଯୋଗ ପାଇଛନ୍ତି।