Odiapua.com

NEET ଏବଂ JEE Main ୨୦୨୦: ପରୀକ୍ଷା ସ୍ଥଗିତ କରିବା ପାଇଁ କରାଯାଇଥିବା ଆବେଦନ ସୁପ୍ରିମକୋର୍ଟରେ ପ୍ରତ୍ୟାଖ୍ୟାନ

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) NEET ଏବଂ JEE ପରୀକ୍ଷା ୨୦୨୦ ର ସ୍ଥଗିତ ରଖିବାକୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାରଦିନ ପ୍ରତ୍ୟାଖ୍ୟାନ କରିଛନ୍ତି।

ବିଚାରପତି ଅରୁଣ ମିଶ୍ରଙ୍କର ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ, ଏହି ଆବେଦନ ଉପରେ କହିଛନ୍ତିଯେ, ଜାତୀୟ ପରୀକ୍ଷା ଏଜେନ୍ସି (NTA)ର ନିଷ୍ପତ୍ତିରେ ହସ୍ତକ୍ଷେପ କରି, ଛାତ୍ରଛାତ୍ରୀମାନଙ୍କ କ୍ୟାରିଅରକୁ ବିପଦରେ ପକାଯାଇପାରିବ ନାହିଁ। ଆବେଦନରେ ଆମେ କୌଣସି ଯୋଗ୍ୟତା ପାଇନାହୁଁ। ଏହି ଆବେଦନକୁ ଖାରଜ କରିଦିଆଯାଇଛି ବୋଲି ବିଚାରପତି ବିଆର ଗାଭାଇ ଏବଂ କୃଷ୍ଣ ମୁରାରୀ ମଧ୍ୟ କହିଛନ୍ତି।

“ଆପଣ (ଆଇନଜୀବୀମାନେ) ଫିଜିକାଲ କୋର୍ଟ ଖୋଲିବାକୁ ଦାବି କରୁଛନ୍ତି। କିନ୍ତୁ ଇପରପକ୍ଷରେ ଆପଣ ଚାହୁଁଛନ୍ତି ଯେ ପରୀକ୍ଷା ସ୍ଥଗିତ ରଖାଯାଉ ବୋଲି। ପରୀକ୍ଷା ସ୍ଥଗିତ କରିବା ଦେଶ ପାଇଁ କ୍ଷତି” ବୋଲି ଖଣ୍ଡପୀଠ କହିଛନ୍ତି।

ଆବେଦନକାରୀଙ୍କ ଓକିଲ ଆଲାଖ ଆଲୋକ ଶ୍ରୀବାସ୍ତବ କହିଥିଲେ ଯେ, “କୋଭିଡ ପାଇଁ ଟିକା ଆସୁଛି ଏବଂ ସେ ପରୀକ୍ଷାଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ଚାହୁଁ ନାହାଁନ୍ତି।” କିନ୍ତୁ ବେଞ୍ଚ ଏହି ମାମଲାରେ କୌଣସି ଯୋଗ୍ୟତା ପାଇ ନଥିଲେ।

NTA ଦ୍ୱାରା ପ୍ରକାଶ ପାଇଥିବା ସର୍ବସାଧାରଣ ବିଜ୍ଞପ୍ତି ଅନୁଯାୟୀ, JEE (Main) ୨୦୨୦ ପରୀକ୍ଷା ସେପ୍ଟେମ୍ବର ୧-୬ ରୁ ଅନୁଷ୍ଠିତ ହେବାକୁ ଥିବାବେଳେ NEET-UG ୨୦୨୦ ପରୀକ୍ଷା ସେପ୍ଟେମ୍ବର ୧୩ ପାଇଁ ଧାର୍ଯ୍ୟ ହୋଇଛି।