Odiapua.com

ଡିସେମ୍ବରରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ: ସଜାଡ଼ି ହେବ କି ଭାଜପା ଓଡ଼ିଶା ?

ଭୁବନେଶ୍ୱର: ୨୦୨୪ରେ ହେବାକୁ ଥିବା ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି। ୨୦୨୪କୁ ଦୃଷ୍ଟିରେ ରଖି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଡିସେମ୍ବର ମାସରେ ଦେଶବ୍ୟାପୀ ୧୨୦ ଦିନିଆ ଯାତ୍ରା ଆରମ୍ଭ କରିବେ। ଡିସେମ୍ବର ପ୍ରଥମ ସପ୍ତାହରେ ଉତ୍ତରାଖଣ୍ଡରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏହି ଯାତ୍ରା ଆରମ୍ଭ କରିବେ। ସମ୍ଭବତଃ ୫ ଡିସେମ୍ବରରୁ ଏହି ଯାତ୍ରା ଆରମ୍ଭ ହେବ। ଏହି ସମୟ ମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦଳର ଆଗାମୀ ରଣନୀତି ଉପରେ ମଧ୍ୟ ଆଲୋଚନା କରିବେ ଏବଂ ସମୀକ୍ଷା କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ୧୨୦ ଦିନିଆ ପ୍ରବାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ସଙ୍ଗଠନକୁ ଆହୁରି ମଜବୁତ କରିବା ଏବଂ ପ୍ରତ୍ୟେକ ବୁଥ୍ ୟୁନିଟକୁ ସକ୍ରିୟ ତଥା ମଜବୁତ କରିବା। ୨୦୧୯ ଲୋକସଭା ନିର୍ବାଚନରେ ​​ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ଥିବା ନିର୍ବାଚନ ମଣ୍ଡଳୀ ଗୁଡ଼ିକରେ ସଙ୍ଗଠନକୁ ମଜବୁତ କରିବାର ରଣନୀତି ଉପରେ ମଧ୍ୟ ଆଲୋଚନା କରାଯିବ। ସୂଚନା ମୁତାବକ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ରାଷ୍ଟ୍ରବ୍ୟାପୀ ଏହି ପ୍ରବାସ କାର୍ଯ୍ୟକ୍ରମରେ ପ୍ରତ୍ୟେକ ବୁଥ ସଭାପତି ଏବଂ ବୁଥ କମିଟି ସହିତ ଏକ ବୈଠକ ହେବ। ସେହିପରି ମଣ୍ଡଳ ସଭାପତି ଏବଂ ମଣ୍ଡଳ କମିଟି ସହିତ ମଧ୍ୟ ବୈଠକ ହେବ। ବୁଥ୍ କମିଟି ଏବଂ ମଣ୍ଡଳ ଅଧିକାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ କାର୍ଯ୍ୟ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିଲ୍ଲା ସଭାପତି ମାନଙ୍କ ବ୍ୟତୀତ ରାଜ୍ୟ ପଦାଧିକାରୀ, ଦଳର ବରିଷ୍ଠ ନେତା, ସାଂସଦ ଏବଂ ବିଧାୟକମାନଙ୍କୁ ମଧ୍ୟ ଭେଟିବେ। ୧୨୦ ଦିନର ଏହି ପ୍ରବାସରେ ପ୍ରତ୍ୟେକ ରାଜ୍ୟ ଗସ୍ତ କରି ସଙ୍ଗଠନର ଦୁର୍ବଳ ସ୍ଥିତି ଗୁଡ଼ିକୁ ସଜାଡ଼ିବା ପାଇଁ ପ୍ରୟାସ କରିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମୂଳ ଉଦ୍ଦେଶ୍ୟ ରହିବ।

ସଜାଡ଼ି ହେବ କି ଭାଜପା ଓଡ଼ିଶା –
ତେବେ, ସଙ୍ଗଠନର ଦୁର୍ବଳ ସ୍ଥିତି ଗୁଡ଼ିକୁ ସଜାଡ଼ିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଏହି ପ୍ରୟାସ ଓଡ଼ିଶାରେ କେତେ ସଫଳ ହେବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କାରଣ, ଓଡ଼ିଶା ବିଜେପିରେ ଏବେ ଅନ୍ତର୍ଦ୍ୱନ୍ଦ ଚରମ ସୀମାରେ ପହଁଚିଛି। ଦଳ ଯେ ଦୁଇ ଫାଳ ନୁହେଁ କେତେ ଫାଳ ହୋଇଯାଇଛି। ବିଶେଷତଃ ଭୁବନେଶ୍ୱର ସାଂସଦଙ୍କ ମନମୁଖୀ କାର୍ଯ୍ୟକ୍ରମକୁ ନେଇ କେତେ ଅସନ୍ତୁଷ୍ଟ ଥିବା ବେଳେ, ତେଣେ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କୁ ହଟାଇବା ଏବଂ ଏହାପରେ ବିବାଦ ସୃଷ୍ଟି ହେବା ପରେ ତାଙ୍କୁ ପୁଣି ପୁନଃ ଅବସ୍ଥାପିତ କରିବା ଘଟଣା ପରେ ଓଡ଼ିଶା ବିଜେପିରେ ଚାଲିଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଯାଇଛି। ଏହି ନିଷ୍ପତ୍ତିକୁ ଏକ ପ୍ରକାର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବିଜୟ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ଭାବରେ ଦେଖାଯାଉଛି। ଭିତରେ ଭିତରେ କୁହୁଳୁଛି ଓଡ଼ିଶା ବିଜେପି। କାହା ସହିତ କାହାର ସମନ୍ୱୟ ନାହିଁ। କେହି କାହାକୁ ବିଶ୍ୱାସକୁ ନେଇପାରୁ ନାହାଁନ୍ତି। ଯିଏ ଯାହାର ସ୍ଥିତି ଦେଖୁଛନ୍ତି, ଗୋଷ୍ଠୀ ତିଆରି କରୁଛନ୍ତି। ଦଳର ଅନେକ ପ୍ରମୂଖ ନେତାଙ୍କୁ ଅବହେଳା, ଅଣଦେଖା କରାଯାଇ ଏକ ଚାଟୁକାର ଗୋଷ୍ଠୀ କ୍ଷମତା କେନ୍ଦ୍ର ସାଜିଛନ୍ତି, ପଦ ପଦବୀ ମାଡ଼ି ବସିଛନ୍ତି। ଯାହାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ରହିଛି। ଦକ୍ଷ ସଙ୍ଗଠକଙ୍କୁ ଅଣଦେଖା କରାଯାଇ ପ୍ରିୟାପ୍ରତି ତୋଷଣରେ ପଦାଧିକାରୀ ନିଯୁକ୍ତ ହେଉଛନ୍ତି। ଜିଲ୍ଲା ସଭାପତି ଏବଂ ରାଜ୍ୟ ସଭାପତି ଚୟନର ପାଖାପାଖି ବର୍ଷେ ହେବାକୁ ପହଁଚିଲାଣି। କିନ୍ତୁ ଏ’ ପର୍ଯ୍ୟନ୍ତ ଜିଲ୍ଲା କମିଟି କିମ୍ବା ରାଜ୍ୟ ସ୍ତରରେ ବିଭିନ୍ନ ମୋର୍ଚ୍ଚା କମିଟି ଗୁଡ଼ିକ ଗଠନ ହୋଇ ପାରିନାହିଁ। ଦଳ ଭିତରେ କ୍ଷମତା ଦଖଲ ନେଇ ଯେତିକି ପ୍ରୟାସ କରାଯାଉନି, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପନା କରିବାରେ ଅଧିକ ପ୍ରୟାସ କରାଯାଉଛି। ଯେପରି ଓଡ଼ିଆରେ ଏକ ଢେଗ ଅଛି, “ମୂଳରୁ ମାଇପ ନାହିଁ ନାଁ, ପୁଅ ନାଁ ଗୋପାଳିଆ।” ଏବେ ଅପରାଜିତାଙ୍କ ଗୋଷ୍ଠୀ ମଧ୍ୟ ସେହି କାମରେ ଲାଗି ଯାଇଛନ୍ତି। ଦଳରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଚାଟୁକାରୀ କରି ପଦପଦବୀ ମାଡ଼ି ବସିଥିବା ଏକ ଗୋଷ୍ଠୀ ଗୋଟେ ପଟେ ରହିଥିବା ବେଳେ ଅପରାଜିତା ଷଡ଼ଙ୍ଗୀ ଖୁଲମଖୁଲା ନିଜର ଏକ ଗୋଷ୍ଠୀ ତିଆରି କରୁଛନ୍ତି। ଏ’ ଭିତରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ଡାଃ ସମ୍ବିତ ପାତ୍ର, ଅନ୍ୟତମ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ସାଂସଦ ସୁରେଶ ପୂଜାରୀ, ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓ, ବିଜୟ ମହାପାତ୍ର, ଐର ଖାରବେଳ ସ୍ୱାଇଁଙ୍କ ପରି ଅନେକ ନେତା ନିଜ ନିଜର ଯୋଜନା ଦେଖୁଛନ୍ତି। ଅଧିକାଂଶ ନେତୃତ୍ୱ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଟୁକାର ଗୋଷ୍ଠୀଙ୍କ ମନମାନି, ବ୍ୟବହାର ଏବଂ କର୍ତ୍ତୃତ୍ୱ ଜାହିର ଆଦି ନୀତିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ଏହି ଚାଟୁକାର ମାନଙ୍କ କାରଣରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଅସନ୍ତୁଷ୍ଟ ହୋଇ ତାଙ୍କ ଚେର କାଟିବା ଉଦ୍ଦେଶ୍ୟରେ କେବଳ କେତେଜଣ ଅପରାଜିତା ଷଡ଼ଙ୍ଗୀଙ୍କୁ ଭିତିରିଆ ସମର୍ଥନ କରୁଛନ୍ତି। ଦେଖିବାକୁ ଗଲେ କିନ୍ତୁ, ସେହି ଚାଟୁକାର ମାନେ ଧର୍ମେନ୍ଦ୍ରଙ୍କର ଯେତିକି ଭଲ ଚାହାଁନ୍ତି ନାହିଁ, ଧର୍ମେନ୍ଦ୍ରଙ୍କ ପାଖରେ ଭଲେଇ ହେବାକୁ ବେଶୀ ଚାହାଁନ୍ତି।

ଏ’ କି ଗୋଲକଧନ୍ଦା –
ଖୋଦ୍ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଦଳ ଭିତରେ ଚାଲିଥିବା କାର୍ଯ୍ୟଧାରାରେ ଅସନ୍ତୁଷ୍ଟ ହୋଇ ରାଜ୍ୟ କାର୍ଯ୍ୟାଳୟରେ ନରହି ଉତ୍କଳ ବିପନ୍ନ ସହାୟତା ସମିତି (ୟୁବିଏସ୍ଏସ୍) କାର୍ଯ୍ୟଳୟରେ ଏକ ପ୍ରକାର ଅଜ୍ଞାତବାସରେ ରହୁଛନ୍ତି। ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଅଦ୍ୟାବଧି ସବୁଠାରୁ ଅପାରଗ, ଦୁର୍ବଳ ସଭାପତି କୁହାଯାଇ କାଠ କଣ୍ଡେଇ, ରବର ଷ୍ଟାମ୍ପ ସଭାପତି ଭାବରେ ନାମିତ କରାଯାଉଛି। ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଅଘୋଷିତ କାର୍ଯ୍ୟକାରୀ ସଭାପତି ଭାବରେ କାମ କରୁଥିବା କୁହାଯାଉଛି। ଡଃ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟ ସାଧାରଣ ସମ୍ପାଦିକା ହେବା ପରଠାରୁ ନିଜକୁ ବହୁ ଉର୍ଦ୍ଦ୍ଵରେ ଭାବୁଛନ୍ତି। ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଅଯଥା ବିବାଦୀୟ ମନ୍ତବ୍ୟ ଗୁଡ଼ାଏ ଦେଇ ଦଳକୁ ତଳେ ପକାଇ ଦେଉଛନ୍ତି। ବିଶେଷତଃ ଏ’ ଦୁଇ ସାଧାରଣ ସମ୍ପାଦକ ଗୋଲକ, ଲେଖା ଏବଂ ଆଉ କିଛି ମନ୍ତ୍ରୀଙ୍କ ଚାଟୁକାର ମିଶି ସତେ ଯେପରି ଦଳକୁ ଚଲାଉଛନ୍ତି। ଏ ଦୁହେଁ ତ’ ନିଜକୁ ସତେ ଯେପରି ଏକାଧାରାରେ ସାଧାରଣ ସମ୍ପାଦକ, ପ୍ରବକ୍ତା ଏପରିକି ଅଘୋଷିତ କାର୍ଯ୍ୟକାରୀ ସଭାପତି ବୋଲି ବୋଧେ ଭାବୁଛନ୍ତି। ନିଜେ କେବେ କୌଣସି ସ୍ଥାନରେ ତୃଣମୂଳ ସ୍ତରରେ ସଙ୍ଗଠନ କରିବାରେ ଏମାନଙ୍କୁ ଦେଖାଯାଏ ନାହିଁ। କେବଳ କାହାକୁ ନିର୍ଦ୍ଦେଶ ଦେବା, ଆୟୋଜିତ ହୋଇଥିବା ସମାବେଶରେ ଯାଇ ଭାଷଣ ମାରିବା କିମ୍ବା ବିଜେପି ପ୍ଲାଟଫର୍ମର ଉପଯୋଗ କରି ଟିଭି କିମ୍ବା ସୋସିଆଲ୍ ମିଡିଆରେ ନିଜର ପ୍ରଚାର କରାଇବାରେ ଏମାନଙ୍କୁ ଦେଖାଯାଏ। ଏପରିକି ରାଜ୍ୟ ସଭାପତି ମଧ୍ୟ ସତେ ଯେପରି ଏମାନଙ୍କ ଆଦେଶ ପାଳନ କରୁଥିବା ପରି ଅନୁଭବ ହୁଏ ବୋଲି ଏକ ଆଲୋଚନା ଚାଲିଛି। ଏମାନଙ୍କର ଏପରି କାର୍ଯ୍ୟଧାରାକୁ ନେଇ ଦଳ ଭିତରେ ପ୍ରବଳ ଅସନ୍ତୋଷ ରହିଛି। ସେହିପରି ଓଡ଼ିଶା ବିଜେପିରେ କାଲି ଦଳକୁ ଆସିଥିବା ଲୋକ ଆଜି ପଦାଧିକାରୀ ସାଜୁଛନ୍ତି। ସେମାନେ ପୁଣି ପ୍ରଶିକ୍ଷଣ ଶିବିରରେ ଦୀର୍ଘ ଦିନର କାର୍ଯ୍ୟକର୍ତ୍ତା, ପୂରୁଣା ସଙ୍ଗଠକ ମାନଙ୍କୁ ବିଜେପି ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି। ଏଇ ବର୍ଷେ ତଳେ ଯିଏ ବିଜେପି, ମୋଦି, ଯୋଗୀଙ୍କୁ ଗାଳି କରୁଥିଲା, ଅପଶବ୍ଦ କହୁଥିଲା, ମୋଦିଙ୍କ ପୋଷ୍ଟରକୁ ଜୋତାରେ ପିଟୁଥିଲା ଏବଂ ସଂଘ (ଆରଏସ୍ଏସ୍)କୁ ଶକୁନି ମାମା କହି ଆରଏସ୍ଏସ୍ ମୁକ୍ତ ବିଜେପି କଥା କହୁଥିଲା ତାକୁ ଫୁଲ ମାଳ ଦେଇ ସ୍ୱାଗତ କରାଯାଉଛି, ରାଜ୍ୟ ପ୍ରବକ୍ତାର ପଦବୀରେ ଅଧିଷ୍ଠିତ କରାଯାଉଛି। ଯାହାକୁ ମୂଳ ସଙ୍ଗଠନ କାର୍ଯ୍ୟକର୍ତ୍ତା ସହଜରେ ହଜମ କରିପାରୁ ନାହାଁନ୍ତି। ଓଡ଼ିଶା ବିଜେପିରେ ଚାଲିଥିବା ଏହି ଗୋଷ୍ଠୀ କନ୍ଦଳ ଏବଂ ବିଶେଷ କରି କାଲି ଦଳକୁ ଆସିଥିବା ଲୋକଙ୍କର ରାଜତ୍ୱରେ ଅତିଷ୍ଠ, ଅସହାୟ ହୋଇ ପଡ଼ିଛନ୍ତି ମୂଳ ସଙ୍ଗଠନର କାର୍ଯ୍ୟକର୍ତ୍ତା ଏବଂ କ୍ୟାଡର ଭିତ୍ତିକ ସଙ୍ଗଠକ। ଅବଶ୍ୟ ଏ’ ଭିତରେ ଓଡ଼ିଶା ବିଜେପି ପ୍ରଭାରୀ ବଦଳି ଡି ପୁରନ୍ଦେଶ୍ୱରୀ ନୂଆ ଭାବରେ ଦାୟିତ୍ୱ ସମ୍ଭାଳିଛନ୍ତି। ଧର୍ମେନ୍ଦ୍ର ଏବଂ ତାଙ୍କ ଗୋଷ୍ଠୀଙ୍କ ସହିତ ପୂର୍ବରୁ ପ୍ରଭାରୀ ଥିବା ଅରୁଣ ସିଂହ ରହିଥିବା ଏକ ପ୍ରିୟାପ୍ରୀତି ରାଜନୀତି ଉପରେ ହୁଏତ ଅଙ୍କୁଶ ଲାଗିଯାଇଛି। ତଥାପି, ଓଡ଼ିଶା ବିଜେପିରେ ଚାଲିଆସିଥିବା ଗୋଳିଆ ଗୋଲକଧନ୍ଦା ପରିସ୍ଥିତିକୁ ଆସି କେତେ ସଜାଡ଼ି ପାରୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ତାହା ଦେଖିବାକୁ ଅପେକ୍ଷା ରହିଲା।
/- ଦେବଦତ୍ତ ରଥ