Odiapua.com

ଜାତୀୟ ଶିକ୍ଷାନୀତି ବର୍ତ୍ତମାନ ଏବଂ ଉତ୍ତର ପିଢିକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଉଦ୍ଦିଷ୍ଟ : ପ୍ରଧାନମନ୍ତ୍ରୀ

– ଏହି ନୀତି ନୂଆ ଭାରତର ଆଧାରଶିଳା ସ୍ଥାପନ କରିଛି : ପ୍ରଧାନମନ୍ତ୍ରୀ
– ଏଥିରେ ସାମଗ୍ରିକ ଦୃଷ୍ଟିକୋଣ ନିହିତ : ପ୍ରଧାନମନ୍ତ୍ରୀ
– ଉଚ୍ଚଶିକ୍ଷା ସମ୍ମେଳନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ଘାଟନୀ ଭାଷଣ

ନୂଆ ଦିଲ୍ଲୀ ୭-୮ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଚ୍ଚଶିକ୍ଷା ସଂକ୍ରାନ୍ତ ସମ୍ମେଳନକୁ ଆଜି ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ନିଜର ଉଦ୍‌ଘାଟନୀ ଭାଷଣରେ ସେ କହିଛନ୍ତି ଯେ ୩-୪ ବର୍ଷ ଧରି ବ୍ୟାପକ ବିଚାର ବିମର୍ଶ ପରେ ଜାତୀୟ ଶିକ୍ଷା ନୀତି ସରକାରଙ୍କ ଅନୁମୋଦନ ଲାଭ କରିଛି। ଏଥିପାଇଁ ଲକ୍ଷ ଲକ୍ଷ ପ୍ରସ୍ତାବ ଆସିଥିଲା ଏବଂ ସେଗୁଡିକ ଉପରେ ବିଚାର ଆଲୋଚନା କରାଯାଇଥିଲା। ଜାତୀୟ ଶିକ୍ଷାନୀତିରେ ସ୍ୱାସ୍ଥ୍ୟ ସଂକ୍ରାନ୍ତ ବିତର୍କ ଓ ଆଲୋଚନା ମଧ୍ୟ ସାରା ଦେଶରେ ଚାଲିଛି। ଜାତୀୟ ଶିକ୍ଷାନୀତି ଯୁବ ସମାଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବାକୁ ଉଦ୍ଦିଷ୍ଟ। ଏଥିରେ ଜାତୀୟ ମୂଲ୍ୟବୋଧ ଓ ଜାତୀୟ ଲକ୍ଷ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଏହି ଶିକ୍ଷାନୀତିରେ ନୂଆ ଭାରତର ମୂଳଦୁଆ ସ୍ଥାପନ ହୋଇଛି। ଭାରତକୁ ମଜଭୁତ କରିବା ପାଇଁ ଯେଉଁ ଶିକ୍ଷା ଓ କୌଶଳର ଆବଶ୍ୟକତା ରହିଛି ତାହା ଏଥିରେ ସ୍ଥାନ ପାଇଛି। ଏହାଦ୍ୱାରା ଆମ ଯୁବ ସମାଜ ସଶକ୍ତ ହୋଇ ଭାରତକୁ ମଜଭୁତ କରିବା ସହିତ ବିକାଶର ନୂଆ ସୋପାନରେ ପହଞ୍ଚାଇବାରେ ସକ୍ଷମ ହେବେ। ଏହା ଭାରତର ନାଗରିକମାନଙ୍କୁ ସବଳ ଓ ସମର୍ଥ କରିବା ସହ ସେମାନଙ୍କୁ ସବୁକାମ ପାଇଁ ଯୋଗ୍ୟ କରିବାର ସୁଯୋଗ ଦେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୀର୍ଘବର୍ଷ ଧରି ଆମ ଶିକ୍ଷା ବ୍ୟବସ୍ଥା ଅପରିବର୍ତ୍ତିତ ରହିଥିଲା। ଏଥିରେ ଅଗ୍ରାଧିକାର କ୍ଷେତ୍ରଗୁଡିକୁ ବିଶେଷ ଧ୍ୟାନ ଦିଆଯାଉ ନ ଥିଲା। ଫଳରେ ଲୋକେ ଡାକ୍ତର, ଇଂଜିନିୟର କିମ୍ବା ଓକିଲ ହେଉଥିଲେ। ପୁରୁଣା ଶିକ୍ଷାନୀତିରେ ଆଗ୍ରହ, ଦକ୍ଷତା ଓ ଚାହିଦାକୁ ବିଚାରକୁ ନିଆଯାଉ ନ ଥିଲା। ସେ ପ୍ରଶ୍ନ କରିଛନ୍ତି ଯେ ଶିକ୍ଷାରେ ଆଗ୍ରହ, ଦର୍ଶନ ଏବଂ ଉଦ୍ଦେଶ୍ୟ ନ ରହିଲେ ଏହା କିପରି ଯୁବ ସମାଜକୁ ନବସୃଜନ ଓ ଗଭୀର ଚିନ୍ତା ପାଇଁ ଆକର୍ଷିତ କରିବ ଏବଂ ସୁଯୋଗ ଯୋଗାଇବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତିରେ ଗୁରୁ ରବୀନ୍ଦ୍ରନାଥଙ୍କ ଶିକ୍ଷା ଦର୍ଶନ ପ୍ରତିଫଳିତ। ଏହି ଶିକ୍ଷା ଦର୍ଶନର ଲକ୍ଷ୍ୟ ହେଲା ସବୁ ଭୌତିକ ବିଷୟ ସହ ସମନ୍ୱୟ ରକ୍ଷାକରି ଚଳିବା। ଏ କ୍ଷେତ୍ରରେ ଏକ ସାମଗ୍ରିକ ଦୃଷ୍ଟିକୋଣର ଯେଉଁ ଆବଶ୍ୟକତା ଥିଲା ଜାତୀୟ ଶିକ୍ଷାନୀତିରେ ତାହା ସଫଳତାର ସହ ପ୍ରତିଫଳିତ ହୋଇଛି। ଦୁଇଟି ବୃହତ୍ତମ ପ୍ରଶ୍ନକୁ ମନରେ ରଖି ନୂଆ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି। ତାହାହେଲା ଆମ ଶିକ୍ଷାନୀତି ଆମ ଯୁବ ସମାଜକୁ ସର୍ଜନା, ଅନିସନ୍ଧିତ୍ସା ଏବଂ ଅଙ୍ଗୀକାରବଦ୍ଧ ଜୀବନ ପାଇଁ ଅନୁପ୍ରାଣିତ କରୁଛି କି। ଦ୍ୱିତୀୟରେ ଆମ ଶିକ୍ଷାନୀତି ଆମ ଯୁବ ସମାଜକୁ ଦେଶରେ ଏକ ସମୃଦ୍ଧ ସମାଜ ଗଠନ କରିବାକୁ ସମର୍ଥ କରିବାରେ ସହାୟକ ହେଉଛି କି। ଏହି ଦୁଇଟି ପ୍ରସଙ୍ଗ ଉପରେ ନୂଆ ଜାତୀୟ ଶିକ୍ଷାନୀତିରେ ଆବଶ୍ୟକ ଗୁରୁତ୍ୱ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଶିକ୍ଷା ବ୍ୟବସ୍ଥା ସମୟର ଆବଶ୍ୟକତା ଅନୁସାରେ ବଦଳିବା ଅପରିହାର୍ଯ୍ୟ ହୋଇଥିଲା। ନୂଆ ୫+୩+୩+୪ ପାଠ୍ୟକ୍ରମ ଏ ଦିଗରେ ଏକ ଯଥାର୍ଥ ପଦକ୍ଷେପ। ସେ କହିଛନ୍ତି ଯେ ଆମ ଛାତ୍ରଛାତ୍ରୀମାନେ ବିଶ୍ୱର ନାଗରିକ ହୁଅନ୍ତୁ ଏବଂ ନିଜ ମୂଳପିଣ୍ଡ ସହିତ ସଂଯୁକ୍ତ ହୋଇ ରହିଥାନ୍ତୁ, ଏ କଥାଟିକୁ ଆମକୁ ନିଶ୍ଚିତ କରିବାକୁ ପଡିବ। ସେ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଚିନ୍ତା ପରିସର ବୃଦ୍ଧି ଏବଂ ସେମାନଙ୍କୁ ଅନିସନ୍ଧିତ୍ସୁ କିପରି କରାଯାଇପାରିବ ସେ ବିଷୟରେ ନୂଆ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି। ଅନୁସନ୍ଧାନଭିତ୍ତିକ, ଆବିଷ୍କାରଭିତ୍ତିକ, ଆଲୋଚନାଭିତ୍ତିକ, ବିଶ୍ଳେଷଣଭିତ୍ତିକ, ଶିକ୍ଷା ପ୍ରଣାଳୀ ଉପରେ ନୂଆ ଶିକ୍ଷାନୀତିରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହା ଫଳରେ ପିଲାମାନଙ୍କ ମଧ୍ୟରେ ଅଧ୍ୟୟନର ଆଗ୍ରହ ବଢିବ ଏବଂ ସେମାନେ ଶ୍ରେଣୀଗୃହ ପ୍ରତି ଆଗ୍ରହ ପ୍ରକାଶ କରିବେ।

ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସେମାନେ ଏହି ସୁଯୋଗର ସଦ୍‌ବ୍ୟବହାର କରି ନିଜର ପଠନ ଆଗ୍ରହ ପୂରଣ କରିବା ଉଚିତ। ଏଭଳି ପ୍ରାୟତଃ ଘଟେ, ଯେତେବେଳେ ଜଣେ ଛାତ୍ର ପାଠପଢି ସାରିବା ପରେ ଚାକିରି କରିବାକୁ ଯେତେବେଳେ ଯାଏ ସେ ଦେଖେ ଯେ ସେ ପଢିଥିବା ପାଠ ସହିତ ତା’ ଚାକିରର କୌଣସି ସଂପର୍କ ନାହିଁ। ଆହୁରି ମଧ୍ୟ ଅନେକ ଛାତ୍ରଛାତ୍ରୀ ତାଙ୍କର ପାଠ୍ୟକ୍ରମ ମଝିରେ ଛାଡି ଦେଇଥାନ୍ତି। ତେଣୁ ଏଭଳି ବ୍ୟତିକ୍ରମଗୁଡିକୁ ସୁଧାରିବା ପାଇଁ ଏବଂ ସଂପୃକ୍ତ ଛାତ୍ରଛାତ୍ରୀଙ୍କର ଆବଶ୍ୟକତା ପୂରଣ ନିମନ୍ତେ ନୂଆ ପାଠ୍ୟକ୍ରମରେ ବ୍ୟବସ୍ଥା କରାଯାଇଛି। ନୂଆ ଶିକ୍ଷାନୀତିରେ ବହୁମୁଖୀ ପ୍ରବେଶ-ପ୍ରସ୍ଥାନ ବିକଳ୍ପ ବା ମଲ୍‌ଟିପୁଲ ଏଣ୍ଟ୍ରି-ଏକ୍‌ଜିଟ ଅପ୍‌ସନ ଯୋଗାଇ ଦିଆଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଅ ଶିକ୍ଷାନୀତିରେ ଏକ କ୍ରେଡିଟ ବ୍ୟାଙ୍କର ବ୍ୟବସ୍ଥା ଅଛି। ଏହା ଫଳରେ ଛାତ୍ରଛାତ୍ରୀମାନେ ଗୋଟିଏ ପାଠ୍ୟକ୍ରମ ମଝିରେ ଛାଡି ପରବର୍ତ୍ତୀ ସମୟରେ ତାହାକୁ ଚାହିଁଲେ ପଢିପାରିବେ। ସେ କହିଛନ୍ତି ଯେ ଆମେ ଏଭଳି ଏକ ଯୁଗଆଡକୁ ଗତି କରୁଛୁ, ଯେଉଁଠି ଜଣେ ଲୋକଙ୍କୁ ନିରନ୍ତରଭାବେ ନିଜର ଦକ୍ଷତା ବିକାଶ କରିବାକୁ ପଡିବ ଏବଂ ନିଜକୁ ସମୟ ଉପଯୋଗୀ ଓ ସୁଦକ୍ଷ ହେବାକୁ ପଡିବ। ଏହା ସେଲ୍‌ଫ ରି-ସ୍କିଲ୍‌ ଓ ଅପ୍‌-ସ୍କିଲ୍‌ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ କୌଣସି ଏକ ଦେଶର ବିକାଶରେ ସମାଜର ପ୍ରତ୍ୟେକ ବର୍ଗର ମର୍ଯ୍ୟାଦା ଏକ ବଡ ଭୂମିକା ନିର୍ବାହ କରେ। ତେଣୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ଏବଂ ଶ୍ରମର ମର୍ଯ୍ୟାଦା ଉପରେ ନୂଆ ଜାତୀୟ ଶିକ୍ଷାନୀତିରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି।

ଶ୍ରୀ ମୋଦୀ କହିଛନ୍ତି ଯେ, ସମଗ୍ର ବିଶ୍ୱକୁ ପ୍ରତିଭା ଏବଂ ଟେକ୍‌ନୋଲଜିର ସମାଧାନ ସୂତ୍ର ଦେବାକୁ ଭାରତର ସାମର୍ଥ୍ୟ ରହିଛି ଏବଂ ଜାତୀୟ ଶିକ୍ଷାନୀତିରେ ଏହି ଦାୟିତ୍ୱକୁ ନିର୍ବାହ କରିବାର ବ୍ୟବସ୍ଥା କରାଯାଇଛି। ଏଥିରେ ଅନେକ ଟେକ୍‌ନୋଲଜି ଭିତ୍ତିକ ପାଠ୍ୟକ୍ରମ ଓ ପାଠ୍ୟ ଖସଡା ପ୍ରସ୍ତୁତ କରାଯାଇଛି। ଭର୍ଚୁଆଲ ଲ୍ୟାବ ଭଳି ବିଚାର ଯାହା ଉତ୍ତମ ଶିକ୍ଷାର ଏକ ସ୍ୱପ୍ନ, ତାହାକୁ କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ହୋଇଛି। ପୂର୍ବରୁ ଯେଉଁମାନେ ଆବଶ୍ୟକ ଲ୍ୟାବ ଅଭିଜ୍ଞତା ଅଭାବରୁ ଏସବୁ ବିଷୟ ପଢିପାରୁ ନ ଥିଲେ ଏବେ ସେମାନେ ତାହା ପଢିବାର ସୁଯୋଗ ପାଇବେ। ନୂଆ ଜାତୀୟ ଶିକ୍ଷାନୀତି ମଧ୍ୟ ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଯେଉଁ ପାର୍ଥକ୍ୟ ରହିଛି ତାହାକୁ ଦୂର କରିବାରେ ସଫଳ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି ଓ ଶୈକ୍ଷିକ ସଂସ୍କାର ଦେଶର ପ୍ରତିଷ୍ଠାନ ଓ ଭିତ୍ତିଭୂମିଗୁଡିକରେ ଯେତେବେଳେ ଉତ୍ତମଭାବେ ପ୍ରତିଫଳିତ ହେବ ସେତେବେଳେ ଯାଇ ଏହା ଅଧିକ ସଫଳ ଓ ଦ୍ରୁତତରଭାବେ କାର୍ଯ୍ୟକାରୀ ହୋଇପାରିବ। ଅତଏବ ବର୍ତ୍ତମାନ ନବସୃଜନର ମୂଲ୍ୟବୋଧ ଏବଂ ସମାଜ ସହିତ ନିଜକୁ ଖାପଖୁଆଇବାର ସମୟ ଉପଗତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଏଥିପାଇଁ ଆମ ଅନୁଷ୍ଠାନଗୁଡିକ କାର୍ଯ୍ୟ ଆରମ୍ଭ କରିବାକୁ ଗୁରୁତ୍ୱ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡିକ ଅଧିକ ସ୍ୱୟଂଶାସିତ ହୋଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ସ୍ୱୟଂଶାସନ ସଂପର୍କରେ ଦୁଇପ୍ରକାର ବିତର୍କ ହେଉଛି। ଗୋଟିଏ ପକ୍ଷ କହୁଛନ୍ତି ଯେ ପ୍ରତ୍ୟେକ ଜିନିଷ ସରକାରୀ ନିୟନ୍ତ୍ରଣରେ ସରକାରଙ୍କ କଡ଼ା କଟକଣା ଭିତରେ ହେବା ଉଚିତ। ଅନ୍ୟମାନଙ୍କର ମତ ହେଲା ଯେ ସବୁ ଶିକ୍ଷାନୁଷ୍ଠାନକୁ ସ୍ୱୟଂ ଶାସନର ଦାୟିତ୍ୱ ଛାଡିଦେବା ଉଚିତ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ବିଚାରରେ ଅଣସରକାରୀ ଶିକ୍ଷାନୁଷ୍ଠାନ ପ୍ରତି ବିଶ୍ୱାସର ଅଭାବ ରହୁଛି। ଦ୍ୱିତୀୟ ବିଚାରରେ ବେସରକାରୀ କ୍ଷେତ୍ରରେ ସ୍ୱୟଂଶାସନକୁ ଏକ ଅଧିକାର ଭାବରେ ବିଚାର କରାଯାଉଛି। ସେ କହିଛନ୍ତି ଭଲ ଏବଂ ଉତ୍ତମ ମାନର ଶିକ୍ଷା ଏହି ଦୁଇପ୍ରକାର ବିଚାର ମଝିରେ କେଉଁଠି ରହିଛି। ସେ ଅନୁଭବ କରିଛନ୍ତି ଯେ ଯେଉଁ ଶିକ୍ଷାନୁଷ୍ଠାନ ମାନକ ଏବଂ ଉତ୍ତମ ମାନର ଶିକ୍ଷା ପାଇଁ ଅଧିକ କାମ କରୁଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଇ ଅଧିକରୁ ଅଧିକ ସ୍ୱାଧୀନତା ଦିଆଯିବା ଉଚିତ। ଏହା ଫଳରେ ଶିକ୍ଷାର ମାନ ବୃଦ୍ଧି ଉଦ୍ୟମ ପ୍ରୋତ୍ସାହିତ ହେବ ଏବଂ ଏହାଦ୍ୱାରା ସମସ୍ତେ ଆଗକୁ ବଢିବା ପାଇଁ ପ୍ରୋତ୍ସାହନ ପାଇବେ। ଜାତୀୟ ଶିକ୍ଷାନୀତିର ସଂପ୍ରସାରଣ ସହିତ ଶିକ୍ଷାନୁଷ୍ଠାନଗୁଡିକୁ ସ୍ୱୟଂ ଶାସନ କ୍ଷମତା ପ୍ରଦାନ ପ୍ରକ୍ରିୟା ମଧ୍ୟ ବେଗଗାମୀ ହେବ।

ପୂର୍ବତନ ରାଷ୍ଟ୍ରପତି ଡଃ ଏ-ପି-ଜେ ଅବଦୁଲ କଲାମ କହିଥିଲେ ଯେ, ‘ଶିକ୍ଷାର ଲକ୍ଷ୍ୟ, ଦକ୍ଷତା ଓ ବିଶେଷ ନୈପୁଣ୍ୟ ଥିବା ଉତ୍ତମ ମଣିଷ ଗଢିବା। ଶିକ୍ଷକମାନଙ୍କ ଦ୍ୱାରା ପ୍ରବୁଦ୍ଧ ମଣିଷ ସୃଷ୍ଟି ହୋଇପାରିବେ’। ଡ- କଲାମଙ୍କ ଏହି ଉକ୍ତି ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନୂଆ ଶିକ୍ଷାନୀତିରେ ଏକ ଦୃଢ଼ ଶୈକ୍ଷିକ ବ୍ୟବସ୍ଥା ସୃଷ୍ଟି କରିବାର ବ୍ୟବସ୍ଥା କରାଯାଇଛି। ଜଣେ ଶିକ୍ଷକ ଉତ୍ତମ, ପେସାଦାର ଓ ନାଗରିକ ସୃଷ୍ଟି କରିବା ପାଇଁ ସମର୍ଥ ହେବେ। ଶିକ୍ଷକମାନଙ୍କ ତାଲିମକୁ ନୂଆ ଶିକ୍ଷାନୀତିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କୁ ନିରନ୍ତର ସେମାନଙ୍କ ଜ୍ଞାନ ଓ ଦକ୍ଷତା ବୃଦ୍ଧି କରିବାକୁ ପଡିବ। ଏଥିପାଇଁ ନୂଆ ନୀତିରେ ବ୍ୟବସ୍ଥା ରହିଛି।

ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସେମାନେ ମିଳିତଭାବେ ସଂକଳ୍ପବଦ୍ଧ ହୋଇ ନୂଆ ଶିକ୍ଷାନୀତିକୁ କାର୍ଯ୍ୟକାରୀ କରିବାରେ ସହାୟକ ହୁଅନ୍ତୁ। ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲ, ଶିକ୍ଷାବୋର୍ଡ, ବିଭିନ୍ନ ରାଜ୍ୟ ବୋର୍ଡ ଏବଂ ଶିକ୍ଷା ସହ ସଂପୃକ୍ତ ବିଭିନ୍ନ ପକ୍ଷଙ୍କ ସହ ଏବେଠୁ ଏକ ନୂଆ ପର୍ଯ୍ୟାୟର ଆଲୋଚନା ଏବଂ ସମନ୍ୱୟ କାର୍ଯ୍ୟ ଚାଲିବ। ଜାତୀୟ ଶିକ୍ଷାନୀତି ଉପରେ ୱେବିନାରମାନ ଜାରି ରଖିବା ସହ ଏହା ଉପରେ ଅଧିକରୁ ଅଧିକ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହି ଆଲୋଚନାଚକ୍ରରେ ଉତ୍ତମ ପ୍ରସ୍ତାବ, ଯଥାର୍ଥ ସମାଧାନ ସୂତ୍ର ଆଦି ବାହାରିବା ସହ ନୂଆ ଶିକ୍ଷାନୀତିର ସଫଳ କାର୍ଯ୍ୟକାରିତା ପାଇଁ ବାଟ ବାହାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।