Odiapua.com

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀର ଜେଲରେ ଆତ୍ମହତ୍ୟା ଉଦ୍ୟମ

ନୂଆ ଦିଲ୍ଲୀ ୨୧-୭ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ନଳିନୀ ଜେଲରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା। ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଜେଲରେ ଥିବା ଜଣେ କଏଦୀଙ୍କ ସହ ଝଗଡା ପରେ ନଳିନୀ ଆତ୍ମହତ୍ୟା ଉଦ୍ୟମ କରିଥିଲା।

ସୂଚନାଯୋଗ୍ୟଯେ, ନଳିନୀ ଦୀର୍ଘ ଦିନ ଧରି ତାମିଲନାଡୁର ଭେଲୋର ଜେଲରେ ବନ୍ଦୀ ଅଛି। ସେ ଆଜୀବନ କାରାଦଣ୍ଡ ଭୋଗୁଛି। ନଳିନୀ ୨୮ ବର୍ଷ ଧରି ଜେଲରେ ଅଛି।

ସେ କାରାଗାରରେ ମଧ୍ୟ ଏକ ଝିଅ ଜନ୍ମ ଦେଇଥିଲା। ତା’ ସହ ଜେଲରେ ରାଜୀବ ହତ୍ୟା ମାମଲାର ୬ ଜଣ ଦୋଷୀ ମଧ୍ୟ କାରାବାସ କାଟୁଛନ୍ତି। ତା’ ସ୍ୱାମୀ ମୁରୁଗାନ୍ ମଧ୍ୟ ଏଥିରେ ଅଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ତାମିଲନାଡୁର ଶ୍ରୀପେରୁମବୁଦୁରରେ ଏକ ନିର୍ବାଚନ ରାଲିରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ସେ ସେତେବେଳେ ପ୍ରଧାନମନ୍ତ୍ରୀ ନଥିଲେ। ୨୧ ମଇ ୧୯୯୧ ର ରାତିରେ ସେ ଏକ ରାଲି ପାଇଁ ମଞ୍ଚକୁ ଚଢ଼ୁଥିବା ସମୟରେ ଆତଙ୍କବାଦୀ ସଂଗଠନ LTTE ର ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ଏଥିରେ ରାଜୀବ ଗାନ୍ଧୀଙ୍କ ସମେତ ଅନ୍ୟ ଅନେକଙ୍କର ମୃତ୍ୟୁ ଘଟିଥିଲା। ନଳିନୀ ଏହି ହତ୍ୟାରେ ପ୍ରତ୍ୟେକ୍ଷ ଜଡିତ ନଥିଲେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ତାକୁ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ, କିନ୍ତୁ ତାମିଲନାଡୁ ସରକାର ତାହା ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ।