Odiapua.com

ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ : ଭକ୍ତ ଦର୍ଶନ ପାଇବାରୁ ବଞ୍ଚିତ

ପୁରୀ, ୨୭/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଜି ବିନା ଭକ୍ତରେ ଦୀର୍ଘ ୨୫ ବର୍ଷ ପରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଛି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଠାରୁ ପ୍ରାୟ ୩ ଘଣ୍ଟା ବିଳମ୍ବରେ ସରିଥିଲା ବେଶ। ସମସ୍ତ ସେବାୟତ ମହାପ୍ରଭୁଙ୍କ ଏହି ବେଶ ଦେଖିବାର ସୁଯୋଗ ପାଇଥିଲେ ମଧ୍ୟ କରୋନା କଟକଣା ପାଇଁ ଚଳିତ ବର୍ଷ ଭକ୍ତମାନେ ଏହି ବେଶ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ନାଗାର୍ଜ୍ଜୁନ ବେଶ ପାଇଁ ଚାରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ୧୪୪ ଧାରା ଜାରୀ କରାଯାଇଥିଲା। ପୁରୀର କିଛି ସ୍ଥାନୀୟ ଭକ୍ତ ବ୍ୟାରିକେଡ଼ ବାହାରୁ କେବଳ ପତିତପାବନଙ୍କୁ ଦର୍ଶନ କରି ଆତ୍ମ ସନ୍ତୋଷ ଲାଭ କରିଥିଲେ। ଗତକାଲି ରାତି ୨:୪୫ରେ ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ହରଚଣ୍ଡୀ ସାହି ସ୍ଥିତ ଚକ୍ରକୋଟ ଯାଗାରେ ନାଗାର୍ଜ୍ଜୁନ ବେଶ ପୂଜାର୍ଚ୍ଚନା କରାଯାଇ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ କଡ଼ା ସୁରକ୍ଷା ମଧ୍ୟରେ ବେଶ ଅଣାଯାଇଥିଲା। ଘଣ୍ଟା, ଘଣ୍ଟ, ଛତ୍ରୀ, କାହାଳୀ ଓ ଜୟ ଜଗନ୍ନାଥ ଧ୍ୱନି ମଧ୍ୟରେ ପ୍ରାତଃ ୪:୧୦ରେ ବେଶ ଶ୍ରୀମନ୍ଦିରକୁ ଆସିଥିଲା। ୩:୩୫ ରେ ମଙ୍ଗଳଆଳତୀ, ମଇଲମ, ତଡ଼ପ ଲାଗି ଓ ଅବକାଶ ନୀତି ପରେ ୪:୪୫ ରେ ବେଶ ଆରମ୍ଭ ହୋଇଥିଲା। ତେବେ ରତ୍ନସିଂହାସନ ଉପରକୁ ସିଂହାରୀ ସେବାୟତଙ୍କ ଚଢ଼ିବା ସଂଖ୍ୟାକୁ ନେଇ ସିଂହାରୀ ଓ ମେକାପ ସେବାୟତଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ଉପୁଜିଥିଲା। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରୁ ବେଶ ଆରମ୍ଭ ହୋଇ ସକାଳ ୭ଟା ସୁଦ୍ଧା ଶେଷ ହେବାର ଥିଲେ ମଧ୍ୟ ୧୦:୧୫ରେ ବେଶ ଶେଷ ହୋଇଥିଲା। ଶ୍ରୀକ୍ଷେତ୍ରରେ ସାହିଯାତର ପରମ୍ପରା ସହିତ ରାମାୟଣରେ ବର୍ଣ୍ଣିତ ପର୍ଶୁରାମ ରୂପ ସହ ଶ୍ରୀଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶର ସାମଞ୍ଜସ୍ୟ ରହିଥିବାରୁ ରାମାନନ୍ଦଙ୍କ ପ୍ରଭାବରେ ଏହି ବେଶ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି। ପୈାରାଣିକ ମତ ଅନୁଯାୟୀ, ପର୍ଶୁରାମଙ୍କ ସହସ୍ରାର୍ଜ୍ଜୁନ ବଦ୍ଧ କିମ୍ବା ଅର୍ଜ୍ଜୁନ ଓ ତାଙ୍କ ପୁତ୍ର ନାଗାର୍ଜ୍ଜୁନ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତି ସ୍ୱରୂପ ଏହି ବେଶ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ୨୫ ବର୍ଷ ପରେ ଏହି ଦୁର୍ଲଭ ନାଗାର୍ଜ୍ଜୁନ ବେଶ ଅନୁଷ୍ଠିତ ହୋଇଥିଲେ ମଧ୍ୟ କରୋନା ମହାକାରୀ ପାଇଁ ଭକ୍ତ ଦର୍ଶନରୁ ବଞ୍ଚିତ ହୋଇ ଭାବବିହ୍ୱଳ ହୋଇପଡ଼ିଥିଲେ। ମରଚିକୋଟ ଛକରୁ ବ୍ୟାରିକେଡ଼ ସହ ଶ୍ରୀଜଗନ୍ନାଥ ମନ୍ଦିରର ଚତୁଃପାର୍ଶ୍ୱରେ ୧୪୪ ଧାରା ଜାରୀ କରାଯାଇଥିଲା। ବେଶ ଓଲାଗି ପରେ ପତିତପାବନଙ୍କ ଦର୍ଶନ ସ୍ୱାଭାବିକ ହୋଇଥିଲା। ନାଗାର୍ଜ୍ଜୁନ ବେଶ ପରେ ଗୋପାଳବଲ୍ଲଭ ଓ ସକାଳ ଧୂପ ନୀତି ହୋଇଥିଲା। ଜଗନ୍ନାଥବଲ୍ଲଭ ମଠରେ ଭକ୍ତଙ୍କ ପାଇଁ ମହାପ୍ରସାଦ କ୍ରୟର ବ୍ୟବସ୍ଥା ହୋଇଥିଲା। ଅପରାହ୍ନରେ ବେଶ ଓଲାଗି ହୋଇଛି। ଏହି ବେଶ କୁ ଭକ୍ତଙ୍କ ଦେଖିବା ପାଇଁ ସଂରକ୍ଷଣ କରି ରଖାଯିବା ପାଇଁ ନିଷ୍ପତ୍ତି ହୋଇଛି।